ମୁଁ ବି ମିତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ବରଗଡ଼: ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁବ ଭୋଟରମାନଙ୍କ ପଞ୍ଜୀକରଣ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ “ମୁଁ ବି ମିତା” ନାମରେ ସଚେତନତା ଅଭିଯାନ ନିମିତ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟଟୋ, ଉପ ଜିଲ୍ଲାପାଳ, ବରଗଡ଼ ଲଲାଟ ଲୁହା, ଉପ ଜିଲ୍ଲାପାଳ, ପଦ୍ମପୁର, ସଦାକର କୁମ୍ଭାର, ଡେପୁଟି କଲେକ୍ଟର (ନିର୍ବାଚନ), ମମତା ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ସ୍ଵେଚ୍ଛାସେବୀ ଭାବରେ ଚୟନ କରାଯାଇଥିବା ବିଦ୍ୟାଳୟ ତଥା ମହାବିଦ୍ୟାଳୟର ୧୦୦ ଜଣ ଛାତ୍ରୀଙ୍କୁ “ମୁଁ ବି ମିତା” ଅଭିଯାନରେ ଭୋଟର ସଚେତନତା ସୃଷ୍ଟି କରିବା, ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ନିମିତ୍ତ ନୂତନ ଭୋଟରଙ୍କର ନାମ ଯୋଗ, ନାମ କାଟିବା ଏବଂ ଅନ୍ୟାନ୍ୟ ସଂଶୋଧନ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେମାନେ “ମୁଁ ବି ମିତା ଅଭିଯାନରେ ନେତୃତ୍ବ ନେଇ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ଵୟଂ ସହାୟକ ଗୋଷ୍ଠୀ, ଜନ ସାଧାରଣ ଓ ଯୁବ ଭୋଟରମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ ।

Comments are closed.