‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାମରେ ଜି-୨୦ ନିମନ୍ତ୍ରଣ, କଂଗ୍ରେସର ଆପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ ରହିଛି । କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଛି ।

ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ (ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ ତାହା ହେଲେ ଏହି ଖବର ବାସ୍ତବରେ ସତ। ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ‘ପ୍ରସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାମରେ ନିମନ୍ତ୍ରଣ ପଠାଇଛନ୍ତି। ସମ୍ବିଧାନର ଧାରା ୧ରେ କୁହାଯାଇଛି, ‘ଇଣ୍ଡିଆ, ଅର୍ଥାତ୍ ଭାରତ, ରାଜ୍ୟମାନଙ୍କ ଏ ସଂଘ ହେବ’। କିନ୍ତୁ ବର୍ତ୍ତମାନ ଏହି ‘ରାଜ୍ୟମାନଙ୍କ ସଂଘ’ ଉପରେ ମଧ୍ୟ ଆକ୍ରମଣ ହୋଇଛି ।”

ଆଗାମୀ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କ ବିରୋଧରେ ଏକାଠି ଲଢ଼ିବା ପାଇଁ ବିରୋଧୀ ‘ଇଣ୍ଡିଆ’ ନାମରେ ଏକ ମେଣ୍ଟ ଗଠନ କରିଛନ୍ତି । ବିରୋଧୀଙ୍କ ଏହି ମେଣ୍ଟ ନାମ ଘୋଷଣା ହେବା ଦିନ ଠାରୁ ‘ଇଣ୍ଡିଆ’ ଶବ୍ଦ ଚର୍ଚ୍ଚାରେ ହିଆସିଛି। ‘ଇଣ୍ଡିଆ’ ନାମକରଣ ନେଇ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଆସିଛି ।

ବିଜେପି ସାଂସଦ ହରନାଥ ସିଂ ଯାଦବ କହିଛନ୍ତି, ‘ଇଣ୍ଡିଆ’ ବଦଳରେ ‘ଭାରତ’ ଶବ୍ଦ ବ୍ୟବହାର କରିବାକୁ ପୂରା ଦେଶ ଦାବି କରୁଛି। ବ୍ରିଟିଶମାନେ ଆମ ପାଇଁ ଜାଣିଶୁଣି ‘ଇଣ୍ଡିଆ’ ଶବ୍ଦ ବ୍ୟବହାର କରିଥିଲେ । ଅକ୍ସଫୋର୍ଡ ଡିକ୍ସନାରିରେ ମଧ୍ୟ ‘ଇଣ୍ଡିଆ’ ଶବ୍ଦର ଅର୍ଥ ଦାସ ବା ଚାକର ବୋଲି ଦର୍ଶାଯାଇଛି । ଅନ୍ୟପକ୍ଷରେ ‘ଭାରତ’ ଶବ୍ଦ ଆମ ସଂସ୍କୃତିର ପ୍ରତୀକ । ମୁଁ ଚାହୁଁଛି ସମ୍ବିଧାନରେ ଦେଶର ନାମ ବଦଳାଇ ‘ଭାରତ’ ରଖାଯାଉ।

କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ ରୁ ୨୨ ମଧ୍ୟରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ଅନେକ ବିଲ୍ ଆଣିପାରନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ବିଧାନରୁ ‘ଇଣ୍ଡିଆ’ ଶବ୍ଦକୁ ହଟାଇବା ମଧ୍ୟ ମୋଦୀ ସରକାରଙ୍କ ଏଜେଣ୍ଡାର ଅଂଶବିଶେଷ ହୋଇପାରେ। ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନ ପାଇଁ ଏଜେଣ୍ଡା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Comments are closed.