ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ଓଡିଶାର ଅବିଭକ୍ତ କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ ଅନେକ ଅଂଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ।

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ।ଅବଶ୍ୟ ଏଥିପାଇଁ ତିଥି, ବାର ନକ୍ଷତ୍ର ଦେଖାଯାଇଥାଏ। ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହା ଏକ ଗଣ ପର୍ବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ନୂଆଖାଇ ପର୍ବର ପୂର୍ବ ଓ ପର ଦିନର ଯେଉଁ ଲୋକ ବିଶ୍ୱାସ ତଥା ଲୋକ ପ୍ରଥା ପ୍ରଚଳିତ ହୋଇ ଆସୁଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।
ପଶ୍ଚିମ ଓଡିଶା ବାସୀଙ୍କର ମୁଖ୍ୟ ଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇ ଆସୁଛି।

ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନ କୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବାଦେବୀଙ୍କ ପାଦପଦ୍ମରେ ଅର୍ପଣ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେ ସଙ୍ଗେ କର୍ମ ଓ ବିରାଗ ମଧ୍ୟରେ ପ୍ରାଚୀନ ଜୀବନର ଇତିହାସ ଓ ଦର୍ଶନ ହେଉି ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ।
ପଶ୍ଚିମ ଓଡିଶା କଳିଙ୍ଗ-କୋଶଳ ଭାବେ ପରିଚିତ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ପ୍ରସିଦ୍ଧ। ଏହି ଅଂଚଳ ବାସୀ ମୁଖ୍ୟତଃ କୃଷିଜୀବି। ଅଧିକ ଫସଲ ଉତ୍ପାଦନ କରିବା ପାଇଁ ସେମାନେ ମାଟି ମାଆଁକୁ ପୂଜା କରି ବିଭିନ୍ନ କୃଷି ଭିତ୍ତିକ ପର୍ବ ପାଳନ କରି ଆସୁଛନ୍ତି, ଯାହାକି ଆଜି ପ୍ରତ୍ୟେକ ଓଡିଆ ଜନମାନସରେ ସେହି ପରମ୍ପରା ସ୍ଥାନ ପାଇ ସାରିଛି ଓ ପ୍ରଚଳିତ ହୋଇ ଆସୁଛି। କୃଷିକୁ ମୁଖ୍ୟ ଜୀବିକା ଓ ଅନ୍ନକୁ ବ୍ରହ୍ମ ରୂପେ ବହୁ ପୂର୍ବରୁ ପରିକଳ୍ପନା କରାଯାଇଛି। ଗଙ୍ଗାଧର ମେହେରଙ୍କ ଭାଷାରେ – କୃଷି ସିନା ସଂସାରେ ସଭ୍ୟତାର ଚୂଳ, କୃଷି ଏକା ସକଳ ଜୀବିକାର ମୂଳ। ପ୍ରତିଟି ମଣିଷ ଅନ୍ନରୁ ଜାତ, ଅନ୍ନ ଜୀବନ ଧାରଣର ମାଧ୍ୟମ ଓ ଆନନ୍ଦର ବାର୍ତ୍ତାବହ। ବେଦ ଉପନିଷଦରେ ମଧ୍ୟ ଅନ୍ନକୁ ବ୍ରହ୍ମ ଈଶ୍ୱର ଭାବେ ବର୍ଣ୍ଣନା କରାଯାଇଛି। ଗଙ୍ଗାଧର ମେହେର କହିଛନ୍ତି–ଅନ୍ନ ଘେନି ରହିଛି ଅଖିଳ ସଂସାର, ଅନ୍ନ ବିନା ଜଗତେ ଉଠେ ହା ହା କାର।
ପଶ୍ଚିମ ଓଡିଶାର ଅଧିବାସୀ ଓ ଲୋକ ସମାଜ ପ୍ରକୃତି ସହିତ ଏକ ନିବିଡ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରି ବଂଚି ଆସୁଥିବାରୁ କେବଳ ଧାନ ହିଁ ନୂଆ ମଧ୍ୟରେ ସିମିତ ନ ରହି ପ୍ରତିଟି ଶସ୍ୟର ନୂଆ ଫସଲକୁ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ପରେ ହିଁ ନିଜେ ବ୍ୟବହାର କରିଥାଏ। ଠିକ ସେହିପରି ଶ୍ରାବଣ ମାସରେ ମାଣ୍ଡିଆ ନୂଆଖିଆ ଓ ଗୁର୍ଜୀ ନୂଆଖିଆ, ଦଶହରା ଶୁକ୍ଳ ଦଶମୀ ଦିନ ବାଲିଗଜା ସମୟରେ ମକା ମଞ୍ଜିର ଗଜାକରି ପୂଜା କରିବା ପରେ ମକା ଖାଇବା ପରମ୍ପରା ଥିଲା। ଦଶହରା ଅଷ୍ଟମୀ ଦିନ ପୁଅ ଜିଉନ୍ତିଆ ଓଷା କରି ସାରିବା ପରେ କମଳା ଜାତୀୟ ଫଳ ପୂଜା କରି ସାରିବା ପରେ ସେହି ଫଳ ସବୁ ଖାଇବା ପଶ୍ଚିମ ଓଡିଶାର ଏକ ମୁଖ୍ୟ ପ୍ରଥା। ମାର୍ଗଶୀର ମାସରେ କୃଷ୍ଣ ପକ୍ଷ ଅଷ୍ଟମୀ ଦିନ ଶିମ୍ବ, କଖାରୁ, ବିରି, ଝୁଡଙ୍ଗ, ମୂଳା ଇତ୍ୟାଦିକୁ ପୂଜା କରି ଦେବାତାଙ୍କୁ ଅର୍ପଣ କରିସାରିବା ପରେ ଖିଆଯାଇଥାଏ। ଫାଲଗୁନ ପୂର୍ଣ୍ଣିମା ଦିନ ଆମ୍ବକୁ ଦେବତାଙ୍କ ପାଖରେ ପୂଜା କରି ସେହିଦିନ ଠାରୁ ଖିଆଯାଏ। ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ଯେଉଁ ମଙ୍ଗଳବାର ପଡେ ସେହି ମଙ୍ଗଳବାର ଦିନ କାନ୍ଦୁଳ, ମହୁଲ, ଚାହାଁର ଇତ୍ୟାଦି ଫଳକୁ ଭାଜିକରି ଦେବାଦେବୀଙ୍କୁ ଅର୍ପଣ କରିବା ପରେ ଖିଆଯାଇଥାଏ। ଏହା ପୂର୍ବରୁ ମହୁଲକୁ ରନ୍ଧା ମଧ୍ୟ ଯାଇନଥାଏ। ଏଥିରୁ ସ୍ପଷ୍ଟ ଜଣାପଡେ ଯେ, ମଣିଷ ଯେତେସବୁ ଶସ୍ୟ ଉତ୍ପାଦନ କରେ ସେସବୁକୁ ପ୍ରଥମେ ନିଜ ଦେବାଦେବୀଙ୍କୁ ଅର୍ପଣ କରିବା ପରେ ହିଁ ନିଜେ ଭକ୍ଷଣ କରିଥାଏ। ହେଲେ ଆଜିକାଲିର ଏହି ପରିବେଶଗତ ଅସନ୍ତୁଳନ ଜନୀତ ଆଧୁନିକ ମଣିଷ ଠିକ ସମୟ ପୂର୍ବରୁ ମଧ୍ୟ ଚାଷ କରି ଅମଳ କରି ପାରୁଛି ଏବଂ ବେଳେ ବେଳେ କୌଣସି ପ୍ରକାରେ ସମୟରେ ମଧ୍ୟ ସବୁ କିଛି ହୋଇପାରୁଛି, ତେଣୁ କ୍ରମଶଃ ଏହାର ଗୁରୁତ୍ୱ କମିବାରେ ଲାଗିଛି। ଏତେସବୁ ଘଟଣା ପରେ ମଧ୍ୟ ମୁଖ୍ୟତଃ ଧାନ ଚାଷ ପ୍ରାୟତଃ ପରିବେଶ ଗତ ଅସନ୍ତୁଳିତ ଜନିତ ଚାଷ କରିବାର ସମୟ ସାଙ୍ଗକୁ ଅମଳ କରିବାର ସମୟ ବଳୁଥିଲେ ହେଁ ଆଜି ମଧ୍ୟ ସେହି ପ୍ରାଚୀନ ପରମ୍ପରା ଅନୁଯାୟୀ ଏହି ଗଣ ପର୍ବ ନୂଆଖାଇ। ପାଳିତ ହେଉଛି।

ପଶ୍ଚିମ ଓଡିଶା ଶକ୍ତିପୀଠ ଭାବେ ପରିଚିତ କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀ ଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ପ୍ରସାଦ ନୂଆ ଅନ୍ନ କୁ ସମସ୍ତେ ଗ୍ରହଣ କରି ସେହି ଦିନଠାରୁ ନୂତନ ଫସଲର ଅନ୍ନ ଖାଇବା ପରମ୍ପରା ରହିଛି।

ନୂଆଖାଇର ପ୍ରାକ ପ୍ରସ୍ତୃତି ପର୍ବ ଆରମ୍ଭ ହୋଇଥାଏ ନିର୍ଦ୍ଦିଷ୍ଟ ଦିନର କିଛି ଦିନ ପୂର୍ବରୁ। ନୂଆଖାଇ ଦିନ ପ୍ରାୟତଃ ସମସ୍ତଙ୍କ ଘରେ ସମସ୍ତେ ନୂଆ ବସ୍ତ୍ରର ବ୍ୟବସ୍ଥା କରିଥାନ୍ତି। ଯେତେ ଦୂରରେ ଥିଲେ ମଧ୍ୟ ନିଜର ଜନ୍ମ ମାଟିକୁ ଫେରି ସପରିବାର ସହ ନୂଆ ଖାଇବାର ଯୋଜନା ହୋଇଥାଏ। ଘରର ଶୁଦ୍ଧତା ପାଇଁ ସଫାସୁତୁରା, ଲିପା ପୋଛା କରାଯାଇ ପୁରୁଣା ବ୍ୟଥା, ବେଦନା, ଦୁଃଖ, ରୋଗବ୍ୟାଧି ସବୁ ଭଲି ଏକ ନୂତନ ଚିନ୍ତା ଚେତନାରେ ନୂଆ ଜୀବନ ବଂଚିବାର ପ୍ରୟାସ କରାଯାଇାଏ। ନୂଆଖାଇ ବେଳକୁ ପ୍ରାୟତଃ ଆଁଟ ଜମି ବା ଢିପ ଜମିରେ ଧାନ ଫସଲ ହୋଇଥାଏ। ତେଣୁ ଗ୍ରାମର ପୂଜକ ଜମିରୁ ଧାନ ଛିଣ୍ଡାଇ ଆଣି ଗ୍ରାମ ଦେବାଦେବୀଙ୍କ ପାଖରେ ଅର୍ପଣ କରି ସାରିଥାଏ। ଧାନ ମଂଜି ମିଳି ନ ପାରିଲେ ଧାନ ଫୁଲକୁ ମଧ୍ୟ ପୂଜାକରି ନୂଆଖାଇ ପର୍ବ ପାଳନ କରିବାର ବିଶ୍ୱାସ ରହିଛି। ଗ୍ରାମଦେବତାଙ୍କୁ ଅର୍ପଣ କରିବା ପରେ ଜନସାଧାରଣ ନିଜ ନିଜର ସାଧ୍ୟମତେ ନୂଆବସ୍ତ୍ର ପରିଧାନ କରି ନବନିର୍ମିତ ଚୂଲିରେ ନୂଆହାଣ୍ଡିରେ ଧାନ ପକାଇ ଚୂଡା ଭାଜିଥାନ୍ତି। ସେହି ନୂତନ ଚୂଡାରେ ଗାଈ ଘିଅ, କ୍ଷୀର, ନଡିଆ, କଦଳୀ, ଗୁଡ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୃତ କରାଯାଇଥାଏ। ନୂଆଖାଇରେ ସର୍ବଶୁଦ୍ଧି ଓ ଦେବାଦେବୀଙ୍କ ମାନ୍ୟତା ପ୍ରାପ୍ତ କୁରେଇପତ୍ର ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ ଏବଂ ସେହି କୁରେଇ ପତ୍ରରେ ହିଁ ଘରର ମୂଖିଆ ସମସ୍ତଙ୍କୁ ନବାନ୍ନ ବଂଟନ କରିଥାନ୍ତି। ପ୍ରଥମେ ଇଷ୍ଟ ଦେବାଦେବୀ ଙ୍କ ପାଖରେ ନୂଆ ଧାନର ବେଣି କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବାଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି।

ନବାନ୍ନ ଭକ୍ଷଣ ଦିନ ପ୍ରତ୍ୟୁଷରୁ ପ୍ରତ୍ୟେକ ପରିବାର ସଦସ୍ୟ ଶୁଦ୍ଧପୁତ ମନରେ ନୂଆ ବସ୍ତ୍ର ପରିଧାନ କରି ସମସ୍ତ ପ୍ରଥାନୁସାରେ ନୂଆଖାଇ ସାରିବା ପରେ ପ୍ରଥମେ ଇଷ୍ଟଦେବୀ ଓ ପରେ ପରିବାରର ଛୋଟରୁ ବଡ ପର୍ଯ୍ୟାୟ ଭିତିକ ଜୁହାର ପର୍ବ ଆରମ୍ଭ ହୋଇଥାଏ। ବଡମାନେ ସୁଖ ଶାନ୍ତିରେ ବର୍ଷଟିର ଶୁଭକାମନା ପୂର୍ବକ ସାନମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି। ପରିବାର ମଧ୍ୟରେ ଯିଏ ଯାହାର ସାଧ୍ୟ ମତେ ବିଭିନ୍ନ ପ୍ରକାର ପିଠାପଣା, ମଣ୍ଡାପିଠା, ଖିରୀପୁରୀ, ତରକାରୀ ଇତ୍ୟାଦି କରି ଏକ ଜାକ ଜମକରେ ନୂଆଖାଇ ପର୍ବଟିରେ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବ ଗହଣରେ ଏକାଠି ଭୋଜନ କରିଥାନ୍ତି। ତାପରେ ଆରମ୍ଭ ହୋଇଥାଏ ଭଜନ କୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ଦିର ଗ୍ରାମ ବା ସହରରେ ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଯେତେ ଯାହା ଶତୃଭାବ ଥିଲେ ସୁଦ୍ଧା ନୂଆଖାଇ ଜୁହାର ଭେଟ ହୋଇଗଲେ ସବୁ ମିଟିଯାଇ ବନ୍ଧୁଭାବ ଜାଗ୍ରତ ହୋଇଯାଏ ବୋଲି ଜନସାଧାରଣରେ ବିଶ୍ୱାସ ରହିଛି।

କଳାହାଣ୍ଡିର ଗଣପର୍ବ ଯେମିତି ନୂଆଖାଇ ଠିକ ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଣବାଦ୍ୟ ରୂପେ ଘୁମୁରା ବେଶ ପ୍ରଚଳିତ। ନୂଆଖାଇ ଆସିବା ପୂର୍ବରୁ ପୋଏଲ ଉଆାଁସ ଅର୍ଥାତ ଶ୍ରାବଣ ଅମାବାସ୍ୟା ଦିନ ଘୁମୁରା ବାଦ୍ୟ ସବୁକୁ ପୂଜାକରି ଏହି ଗଣବାଦ୍ୟ ଘୁମୁରା ବାଦ୍ୟର ଅଭ୍ୟାସ ଆରମ୍ଭ କରାଯାଉଥିବାର ମଧ୍ୟ ପରଂପରା ରହିଛି। ନୂଆଖାଇ ଦିନ ତାର ଆତ୍ମ ପ୍ରକାଶ ଘଟି ସମସ୍ତଙ୍କ ଘରକୁ ଘର ବୁଲି ଘୁମୁରା ନୃତ୍ୟ ବାଦ୍ୟ ପରିବେଷଣ କରିବାର ପରଂପରା ଆଜିମଧ୍ୟ ପ୍ରଚଳିତ।

Comments are closed.