ଗଞ୍ଜାମରେ ବର୍ଷାରୁ ଚାଷୀଙ୍କୁ ଆଶ୍ଵସ୍ତି: ବଜ୍ରପାତରେ ୨ ମୃତ ଓ ୪ ଆହତ, ୧୦ ଛେଳି ମଲେ

ବ୍ରହ୍ମପୁର: ପାଣିପାଗ ବିଭାଗ ଆକଳନ ମୁତାବକ ଗଞ୍ଜାମ ଜିଲ୍ଲାତମାମ ମଙ୍ଗଳବାର ବିକ୍ଷୀପ୍ତ ତଥା ଲଗାଣ ବର୍ଷା ହୋଇଥିଲା। ଏହାକୁ ମିଶାଇ ଗତ ୧୯ ଦିନରେ ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଛି। ଫଳରେ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ନିଅଣ୍ଟିଆ ବର୍ଷାରୁ ତ୍ରାହି ମିଳିଛି। ଚାଷ ପାଇଁ ଆବଶ୍ୟକ ପାଣି ପାଇପାରିଛି କୃଷକ। ସେଥିପାଇଁ ଏବେ ଚାଷ ଜମି ଚଳଚଞ୍ଚଳ ହୋଇଛି। ବୁଧବାର ପାଇଁ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରିଛି ପାଣିପାଗ ବିଭାଗ। ଏଥିପାଇଁ ଜିଲ୍ଲା ନିମନ୍ତେ ପାଣିପାଗ ବିଭାଗ ଜାରି କରିଛି ୟେଲୋ ଓ୍ବାର୍ଣ୍ଣିଂ। ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଗାମୀ ଦିନେ ଦୁଇ ଦିନ ଏମିତି ବର୍ଷା ଜାରି ରହିବ। ଚଳିତବର୍ଷ ଜୁନ୍‌ ମାସରେ ଗଞ୍ଜାମ ଜିଲ୍ଲାରେ ୫୩ ପ୍ରତିଶତ, ଜୁଲାଇରେ ୧୨ ପ୍ରତିଶତ ଓ ଅଗଷ୍ଟରେ ୩୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ତେବେ ଏ ମାସରେ ଭଲ ବର୍ଷା ହେବା ପରେ ଧାନ ଚାଷ ତଥା ରୁଆ କାମ ଆଗକୁ ବଢ଼ିଛି।

ଗୋଟିଏ ପଟେ ଚାଷୀଙ୍କୁ ଆଶ୍ଵସ୍ତି ମିଳିଥିବା ବେଳେ କିନ୍ତୁ ଆରପଟେ ବଜ୍ରପାତ ଘଟି ପୃଥକ୍‌ ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ଏମାନେ ସମସ୍ତେ କୃଷି ଶ୍ରମିକ ବା ପଶୁପାଳକ ଅଟନ୍ତି। ବଜ୍ରାଘାତରେ ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ପଶୁପାଳକ ଭାଲୁ ମହାଙ୍କୁଡ଼ (୫୧) ପ୍ରାଣ ହରାଇଛନ୍ତି। ଭାଲୁ ମହାଙ୍କୁଡ଼ ବି.ତୁରୁବୁଡି ପଞ୍ଚାୟତର ଏରାବନ୍ଧ ଅଞ୍ଚଳରେ ଛେଳିପଲ ଚରାଉଥିବା ସମୟରେ ବର୍ଷା ସହ ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହି ବ୍ଲକ୍‌ ଗଡ଼ଗୋବିନ୍ଦପୁର ଗ୍ରାମର ୪ ଜଣ ମହିଳା କୃଷି ଶ୍ରମିକ ବଜ୍ରପାତରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏମାନେ ଜମିରେ ଧାନ ରୋଇବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ଚିକିଟି ଡାକ୍ତରଖାନାରେ ଜୟନ୍ତୀ ସାହୁ ଓ ବର୍ଷା ସାହୁ ଚିକିତ୍ସିତ ହୋଇଥିବା ବେଳେ ସଞ୍ଜୁ ସାହୁ ଓ ଉଷା ସାହୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ପାଟପୁର ଥାନା ଅନ୍ତର୍ଗତ ବରମୁଣ୍ଡଳୀ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା (୫୫) ଓ କିଛି ମହିଳା ମିଶି ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଅଚେତ ଅବସ୍ଥାରେ ବିଷ୍ଣୁପ୍ରିୟାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଚିକିଟି ବ୍ଲକ୍‌ ନୂଆପଡ଼ା ଗ୍ରାମରେ ଅପରାହ୍ନ ପ୍ରାୟ ୨ଟା ବେଳେ ବଜ୍ରାଘାତ ଘଟି ୧୦ଟି ଛେଳିଙ୍କ ଜୀବନ ଚାଲି ଯାଇଥିଲା। ପଶୁ ଚିକିତ୍ସକ ମୃତ ଛେଳିମାନଙ୍କ ବ୍ୟବଚ୍ଛେଦ କରାଇଥିଲେ। ଗୋଟିଏ ଦିନରେ ବଜ୍ରପାତଜନିତ ଏତେ ମୃତାହତ ଚର୍ଚ୍ଚାକୁ ଆସିଛି।

Comments are closed.