ଆମ ଓଡ଼ିଶା ନବୀନ ଓଡ଼ିଶା: ଆଜି ପୁରୀ ଓ ନୟାଗଡ଼ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ଆଜି ପୁରୀ ଓ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ ଦୁଇ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିବେ । ପୁରୀ ଜିଲ୍ଲାରେ ୧୩୪ କୋଟି ଟଙ୍କା ବ୍ୟୟରେ ୪ ହଜାର ୧୩୦ ଓ ନୟାଗଡ଼ ଜିଲ୍ଲାରେ ୯୭ କୋଟି ଟଙ୍କା ବ୍ୟୟରେ ୨ ହଜାର ୯୨୪ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରୁ ରାଜ୍ୟ ସରକାରଙ୍କର ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ପ୍ରତି ପଞ୍ଚାୟତ, ପ୍ରତି ଗାଁ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ।

Comments are closed.