ଭାରତରେ ରାବଣ ଆରାଧନାର ବିଚିତ୍ର ପରମ୍ପରା

ଆଜି ପବିତ୍ର ଦଶହରା, ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟର ପାବନ ପର୍ବ । ଲଙ୍କାପତି ରାବଣ ଉପରେ ଶ୍ରୀରାମଚନ୍ଦ୍ରଙ୍କ ବିଜୟର ପର୍ବ । ତେଣୁ ଦଶହରାରରେ ଅଧର୍ମ, ପାପ ଓ ସବୁ ଆସୁରିକ ଶକ୍ତିର ପ୍ରତୀକ ରାବଣ, ବିଭୀଷଣ ଓ କୁମ୍ଭକର୍ଣ୍ଣ କୁଶପୁତ୍ତଳିକା ଦହନ କରାଯାଏ । ଦଶହରାରେ ଦୁର୍ଗତିନାଶିନୀ ମହିଷାସୁର ମର୍ଦ୍ଦିନୀ ମା’ ଦୁର୍ଗା ଓ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଆବାହନ କରାଯାଉଥିବା ବେଳେ ବୈଚିତ୍ର୍ୟପୂର୍ଣ୍ଣ ଓ ବିବିଧ ସଂସ୍କୃତିର ଦେଶ ଭାରତର କିଛି ଅଂଚଳରେ ଲଙ୍କାପତି ରାବଣର କରାଯାଏ ଆରାଧନା । ଆଉ କିଛି ଅଞ୍ଚଳରେ ବିଜୟା ଦଶମୀକୁ ଶୋକ ପର୍ବ ଭାବେ ପାଳନ କରାଯିବା ପରମ୍ପରା ରହି ଆସିଛି । ଆସୁରିକ ଶକ୍ତିର ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଭାରତବର୍ଷର କିଛି ଲୋକ ବିଭିନ୍ନ କାରଣରୁ ରାବଣକୁ ଦଶହରାରେ ଆରାଧନା କରନ୍ତି । ଆମ ଦେଶର ବିଭିନ୍ନ ସ୍ଥାନରେ ରହିଛି ରାବଣ ମନ୍ଦିର। ରାବଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ, ଜ୍ଞାନୀ ଓ ପରମ ଶିବ ଭକ୍ତ ଭାବେ ଗ୍ରହଣୀୟ । ଆଉ କିଛି ସଂପ୍ରଦାୟ ରାବଣକୁ ନିଜର ବଂଶଜ ବୋଲି ବିଶ୍ୱାସ କରି ପୂଜାର୍ଚ୍ଚନା କରନ୍ତି । ଭାରତର କେଉଁ ସବୁ ସ୍ଥାନରେ ରାବଣ ପୂଜା ପାଏ ଓ କାହିଁକି , ଆସନ୍ତୁ ଉପରେ ନଜର ପକାଇବା ।

ମଧ୍ୟପ୍ରଦେଶ-ରାଜସ୍ଥାନ ସୀମାରେ ଥିବା ମନ୍ଦସୌରକୁ ରାବଣର ରାଣୀ ମନ୍ଦୋଦରୀଙ୍କ ବାପ ଘର ବୋଲି ବିଶ୍ୱାସ କରାଯାଏ । ରାବଣ ମନ୍ଦସୌରର ଜ୍ୱାଇଁ ପୁଅ ବୋଲି ଏଠାକାର କିଛି ଲୋକେ ତାକୁ ବେଶ୍ ସମ୍ମାନ କରନ୍ତି । ରାବଣର ଅସୀମ ଜ୍ଞାନ ଓ ଭଗବାନ ଶିବଙ୍କ ପ୍ରତି ନିଷ୍ଠା ଯୋଗୁଁ ତାକୁ ଏଠାରେ ସମ୍ମାନ ଦିଆଯାଏ । ମନ୍ଦସୌରରେ ରହିଛି ରାବଣର ୩୫ ଫୁଟ ଉଚ୍ଚତାର ଏକ ମୂର୍ତ୍ତି । ପ୍ରତିବର୍ଷ ଦଶହରା ଦିନ ଲୋକେ ଏଠାରେ ରାବଣର ମୃତ୍ୟୁ ଦିବସ ପାଳନ କରି ପୂଜାର୍ଚ୍ଚନା କରନ୍ତି ।

 

ଉତ୍ତର ପ୍ରଦେଶର ବିଶରଖ ନାମକ ସ୍ଥାନରେ ବି ରାବଣ ପୂଜାର ପରମ୍ପରା ରହି ଆସିଛି । ‘ବିଶରଖ’ ହେଉଛି ବିଶ୍ରବା ଶବ୍ଦର ଅପଭ୍ରଂଶ । ବିଶ୍ରବା ଋଷି ହେଉଛନ୍ତି ରାବଣଙ୍କ ପିତା । ବିଶରଖକୁ ରାବଣର ଜନ୍ମସ୍ଥାନ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ଏଠାରେ ରାବଣ ଜଣେ ମହାବ୍ରାହ୍ମଣ ଭାବେ ସ୍ୱୀକୃତ । ବିଶ୍ୱାସ ରହିଛି ଯେ, ଏଠାରେ ଋଷି ବିଶ୍ରବା ସ୍ୱୟଂମ୍ଭୁ ଶିବ ଲିଙ୍ଗ ଆବିଷ୍କାର କରିଥିଲେ । ତେଣୁ ଋଷି ବିଶ୍ରବା ଓ ରାବଣଙ୍କ ସମ୍ମାନରେ ବିିଶରଖରେ ଥିବା ସ୍ୱୟଂମ୍ଭୁ ଶିବଲିଙ୍ଗର ପୂଜାର୍ଚ୍ଚନା କରାଯାଏ । ନବରାତ୍ରୀରେ ସ୍ଥାନୀୟ ଲୋକେ ରାବଣ ଉଦ୍ଦେଶ୍ୟରେ ଯଜ୍ଞ ଆୟୋଜନ କରନ୍ତି ।

ସେହି ଉତ୍ତର ପ୍ରଦେଶର କାନପୁର ସହରର ଶିବାଲା ଅଂଚଳରେ ରହିଛି ଦଶାନନ ମନ୍ଦିର । କେବଳ ଦଶହରା ଦିନ ହିଁ ଖୋଲିଥାଏ ଉକ୍ତ ମନ୍ଦିର । ରାବଣ ଭକ୍ତମାନେ ଦଶହରା ଦିନ ଏହି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରନ୍ତି । ଏକ ଶିବ ମନ୍ଦିର ପାଶ୍ୱର୍ରେ ରହିଛି ରାବଣ ମନ୍ଦିର।

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ରାବଣଗ୍ରାମରେ ମଧ୍ୟ ଦଶାନନ ପୂଜାର ପରମ୍ପରା ରହିଆସିଛି । ରାବଣର ନାଁ ଅନୁସାରେ ହିଁ ଗାଁର ନାମକରଣ ହୋଇଥିବା କୁହାଯାଏ । ଗାଁରେ ରହିଛି ୧୦ ଫୁଟ ଉଚ୍ଚତାର ଶୟନରତ ରାବଣ ମୂର୍ତ୍ତି । କାନ୍ୟକୁବ୍‌ଜ ବ୍ରାହ୍ମଣଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ ହୋଇଥିବା ବିଶ୍ୱାସ ରହିଛି । ରାବଣ କାନ୍ୟକୁବଜ୍ ବ୍ରାହ୍ମଣ ସଂପ୍ରଦାୟର ଥିଲା ବୋଲି ବିଶ୍ୱାସ କରାଯାଏ । ଦଶହରା ଦିନ ଏଠାରେ ରାବଣ ଦହନ ହୁଏ ନାହିଁ କି ଦଶହରା ପାଳନ କରନ୍ତି ନାହିଁ ଗ୍ରାମବାସୀ । ସବୁ ମାଙ୍ଗଳିକ କାର୍ଯ୍ୟରେ ଲଙ୍କାପତିଙ୍କ ନାମ ନିଅନ୍ତି ଲୋକେ ।

ହିମାଚଳ ପ୍ରଦେଶର କାଂଗ୍ରାରେ ମଧ୍ୟ ରାବଣକୁ ସମ୍ମାନ କରାଯାଏ । ପ୍ରଚଳିତ କିମ୍ବଦନ୍ତୀ କୁହେ ଯେ, କାଂଗ୍ରାର ବୈଜନାଥରେ ରାବଣ ମହାଦେବଙ୍କୁ କଠୋର ତପସ୍ୟାରେ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲା । ତେଣୁ ଏଠାରେ ରାବଣକୁ ଶିବଙ୍କର ଜଣେ ପରମ ଭକ୍ତ ଭାବେ ସମ୍ମାନ ଦିଆଯାଏ ।

ଆନ୍ଧ୍ର ପ୍ରଦେଶର କାକିନାଡାରେ ମଧ୍ୟ ରହିଛି ଏକ ରାବଣ ମନ୍ଦିର । ରାବଣକୁ ଏଠାରେ ଶିବଙ୍କ ପରମ ଭକ୍ତ ଭାବେ ସ୍ଥାନ ଦିଆଯାଇଛି । ଏଠାରେ ରାବଣ ସହ ମହାଦେବଙ୍କର ମୂର୍ତ୍ତି ମଧ୍ୟ ରହିଛି।

ରାଜସ୍ଥାନର ଯୋଧପୁରର ମୁଦଗିଲ୍ ନାମକ ଏକ ବ୍ରାହ୍ମଣ ସଂପ୍ରଦାୟ ଅଛନ୍ତି । ମନ୍ଦୋଦରୀଙ୍କ ସହ ରାବଣର ବିବାହ ବେଳେ ଏହି ବ୍ରାହ୍ମଣମାନେ ଲଙ୍କାରୁ ଏଠାକୁ ଆସିଥିଲେ । ଲଙ୍କାର ରାବଣ ବଂଶଜ ହୋଇଥିବାରୁ ଦଶହରାରେ ଏହି ମୁଦଗିଲ୍ ବ୍ରାହ୍ମଣମାନେ ରାବଣ ଦହନ କରନ୍ତି ନାହିଁ । ବରଂ ହିନ୍ଦୁ ରୀତିନୀତି ଅନୁସାରେ ଲଙ୍କାପତି ଉଦ୍ଦେଶ୍ୟରେ ଶ୍ରାଦ୍ଧ କରାଯାଇ ପିଣ୍ଡଦାନ କରନ୍ତି ମୁଦଗିଲ୍ ବ୍ରାହ୍ମଣ ସଂପ୍ରଦାୟ ।

ମହାରାଷ୍ଟ୍ରର ଗଡଚିରୋଲିରେ ଗଣ୍ଡ ଜନଜାତି ସଂପ୍ରଦାୟର ଦଶାନନ ରାବଣ ଓ ତା’ ପୁଅ ମେଘନାଦକୁ ଭଗବାନ ଭାବେ ମାନନ୍ତି । ଫାଲଗୁନ୍ ନାମକ ଏକ ଆଦିବାସୀ ଉତ୍ସବରେ ରାବଣର ଉପାସନା କରାଯାଏ ।

ଦକ୍ଷିଣ ଭାରତର କିଛି ସ୍ଥାନରେ ମଧ୍ୟ ରାବଣ ପୂଜାର ପରମ୍ପରା ରହିଆସିଛି। କର୍ଣ୍ଣାଟକର ମାଣ୍ଡ୍ୟା ଓ କୋଲାରରେ ଦଶାନନ ପୂଜାର ପରମ୍ପରା ରହିଆସିଛି । କୋଲାର ଜିଲ୍ଲାରେ ଶସ୍ୟ ଅମଳ ପର୍ବରେ ଲୋକେ ଲଙ୍କାପତିଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା ବାହାର କରନ୍ତି । ରାବଣ ସହ ମହାଦେବଙ୍କ ମୂର୍ତ୍ତି ମଧ୍ୟ ଶୋଭାଯାତ୍ରାରେ ସ୍ଥାନ ପାଇଥାଏ । ଦଶାନନ ମୂର୍ତ୍ତି କୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରନ୍ତି । ସେହିଭଳି ମାଣ୍ଡ୍ୟା ଜିଲ୍ଲାର ମାଲାଭାଲି ତାଲୁକାରେ ଥିବା ରାବଣ ମନ୍ଦିରରେ ରାବଣ ଶିବଙ୍କ ପରମ ଭକ୍ତ ଭାବେ ପୂଜା ପାଏ ।

Comments are closed.