କ୍ୟାବିନେଟ ବୈଠକ : ଗଞ୍ଜାମ ଜିଲ୍ଲାରେ ଗମନାଗମନ ଓ ଜଳସେଚନର ବିକାଶ ପାଇଁ ଦୁଇଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲ୍ଲା ବିକାଶ ସମ୍ପର୍କିତ ଦୁଇଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବ୍ରହ୍ମପୁର ସହରରେ ଗମନାଗମନକୁ ଆହୁରି ସୁଦୃଢ଼ କରିବା ଲାଗି ବ୍ରହ୍ମପୁର ରିଂ ରୋଡ ନିର୍ମାଣ ପାଇଁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ୨୪ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୧୫୬.୫୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ।

ସେହିପରି ଗଞ୍ଜାମ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଆହୁରି ସୁଦୃଢ ପାଇଁ ଏକ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଋଷିକୁଲ୍ୟା ନଦୀ ଉପରେ ଜାନିବିଲି ବ୍ୟାରେଜ୍ ନିର୍ମାଣ ସହ ଏହାର ରକ୍ଷଣାବେକ୍ଷଣ ପାଇଁ କ୍ଯାବିନେଟ ବୈଠକରେ ୮୭.୫୪ ଟଙ୍କା କୋଟିର ପ୍ରକଳ୍ପ ଖର୍ଚ୍ଚ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ଵାରା ୫୨,୬୭୫ ହେକ୍ଟର ଚାଷଜମି ଜଳସେଚିତ ହେବା ସହ ବ୍ରହ୍ମପୁର ମହାନଗରକୁ ଦୈନନ୍ଦିନ ୬୭.୫ ମିଲିୟନ ଲିଟର ପାନୀୟ ଜଳ ଯୋଗାଣ ସୁବିଧା ଉପଲବ୍ଧ ହେବ।

Comments are closed.