କାର୍ତ୍ତିକ ଶୁକ୍ଳଚତୁର୍ଦ୍ଧଶୀ ଓ ବଡ଼ଓଷା

ପଦ୍ମ ପୁରାଣରେ କୁହାଯାଇଛି,’ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେଵାନାଂ ମଧୁସୂଦନଃ’।  ଏଥିରୁ ଜଣାପଡ଼େ ଯେ କାର୍ତ୍ତିକ ଏକ ପବିତ୍ର ପୁଣ୍ୟମୟୀ ମାସ । ଏହି ମାସ ଏକାଧାରାରେ ଶିବ, ଶକ୍ତି, ପିତୃ, ମାତୃ, ଭ୍ରାତୃ, ନାଗ, ଧନ୍ଵନ୍ତରୀ ତଥା ବିଷ୍ଣୁଙ୍କର ଅତି ପ୍ରୀୟ ଅଟେ । କାର୍ତ୍ତିକ ମାସରେ ପୁଣି ଚତୁର୍ବେଦ ମର୍ତ୍ତ୍ୟ ପୁରରେ ନିବାସ କରନ୍ତି । ଏ ନେଇ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତୀ ରହିଛି । ଶଙ୍ଖାସୁର ଦେବତା ମାନଙ୍କୁ ସ୍ୱର୍ଗ ଚ୍ୟୁତ କରି ବେଦକୁ ଚୋରାଇ ନେଇ ସମୁଦ୍ର ଭିତରେ ଲୁଚି ଗଲା । ଦେବତା ମାନେ ଶ୍ରୀବିଷ୍ଣୁଙ୍କ ଶରଣ ପଶିଲେ । ବିଷ୍ଣୁ ଚାତୁର୍ମାସ୍ୟ ଅବସରରେ କ୍ଷୀର ସାଗର ମଧ୍ୟରେ ଯୋଗ ନିଦ୍ରାରେ ଶୟନ କରୁଥାନ୍ତି । ଦେବତାମାନେ ସ୍ତୁତି ଓ ବିଭିନ୍ନ ମଙ୍ଗଳ ବାଦ୍ୟନାଦ କରି ଶ୍ରୀ ବିଷ୍ଣୁଙ୍କୁ ଜାଗ୍ରତ କରାଇଲେ । ତାଙ୍କୁ ଶଙ୍ଖାସୁର ବେଦ ଚୋରାଇନେଇଥିବା କଥା କହିଲେ । ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ଦୈତ୍ୟ ଶଙ୍ଖାସୁରକୁ ବଧକଲେ ଓ ବେଦ ଉଦ୍ଧାର କଲେ । ଯେଉଁ ସମୟରେ ବେଦ ସାଗର ମଧ୍ୟରେ ଥିଲା ତାହା ଥିଲା କାର୍ତ୍ତିକ ମାସ । ଏଣୁ ଦେବତାମାନେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ ପ୍ରତି ବର୍ଷ ଏହି ମାସରେ ବେଦ ସମୁଦ୍ର ମଧ୍ୟରେ ବିଶ୍ରାମ ନେବ । ଯେଉଁ ଜନ ଏହି ମାସ ଜଳରେ ସ୍ନାନ କରି ଶୁଦ୍ଧ ପୂତ ହୋଇ ଆପଣଙ୍କୁ ଧ୍ୟାନ କରିବ ସେ ବିଷ୍ନୁ ଲୋକ ପ୍ରାପ୍ତ ହେବ ।

ବିଷ୍ଣୁଙ୍କ ଯୋଗନିଦ୍ରାରୁ ଉତ୍ଥାନଦିନକୁ ଦେବୋତ୍ଥାନ ଏକାଦଶୀ,ପ୍ରବୋଧିନୀ ଏକାଦଶୀ ଭାବେ ପାଳନ କରାଯାଏ । କାର୍ତ୍ତିକ ଶୁକ୍ଳଚତୁର୍ଦ୍ଧଶୀ ସାରା ଭାରତ ବର୍ଷରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଭାବେ ପାଳନ କରା ଯାଏ ।ଏହିଦିନ ଏକ ବିଶେଷ ଉତ୍ସବ ଆମ ରାଜ୍ୟ ଓଡ଼ିଶାରେ ପାଳନ କରା ଯାଏ ଯାହା ବଡ଼ ଓଷା ନାମରେ ପରିଚିତ । ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ଶିବ ଏବଂ ବିଷ୍ଣୁ ଉଭୟଙ୍କୁ ଆରାଧନା କରାଯାଇଥାଏ । ପଦ୍ମ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ବିଷ୍ଣୁ ଭକ୍ତ ହୋଇ ଶିବଙ୍କୁ କିମ୍ବା ଶିବ ଭକ୍ତ ହୋଇ ଶ୍ରୀବିଷ୍ଣୁଙ୍କୁ ନିନ୍ଦା କରେ ତାକୁ ଯମଦୂତଗଣ ରୋୖରଵ ନର୍କରେ ନିପତିତକରି ଚଉଦ ଇନ୍ଦ୍ରଙ୍କ ଆୟୁ ଶେଷ ପର୍ଯ୍ୟନ୍ତ ସିଦ୍ଧ କରନ୍ତି ।

ବୈକୁଣ୍ଠଚତୁର୍ଦ୍ଧଶୀ ଉତ୍ପତ୍ତି ଓ ପବିତ୍ରତା ବିଷୟରେ କେତେକ ପୌରାଣିକ ଆଖ୍ୟାନ ଦେଖିବାକୁ ମିଳି ଥାଏ ।

ଥରେ ଦେବର୍ଷି ନାରଦ ପୃଥିବି ପରିକ୍ରମା କରି ବିଷ୍ଣୁଲୋକରେ ଉପସ୍ଥିତ ହେଲେ । ବିଷ୍ଣୁ ମହର୍ଷିଙ୍କ ଆଗମନ କାରଣ ପୁଚ୍ଛା କରନ୍ତେ ନାରଦ କହିଲେ ପ୍ରଭୁ ! ଆପଣ କେବଳ ଆପଣଙ୍କ ଭକ୍ତ ମାନଙ୍କୁ କୃପାକରି ବୈକୁଣ୍ଠ ପ୍ରାପ୍ତ କରାଉଛନ୍ତି । ସାଧାରଣ ନରନାରୀ ଯେଉଁମାନେ ଜୀବନ ଜଞ୍ଜାଳ ଭିତରେ ରହି ପ୍ରଭୁଙ୍କ ଭଜନ କରିପାରୁ ନାହାଁନ୍ତି ସେମାନେ ପ୍ରଭୁଙ୍କ କୃପା କଟାକ୍ଷରୁ ବଞ୍ଚିତ ହେଉଛନ୍ତି । ତେଣୁ ଆପଣ ଏକ ଉପାୟ କରନ୍ତୁ ଯାହାଦ୍ୱାରା ସାମାନ୍ୟ ଭକ୍ତଟିଏ ମଧ୍ୟ ମୁକ୍ତି ପାଇ ପାରିବ । ବିଷ୍ଣୁ କହିଲେ ଠିକ ଅଛି କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ ଦିନ ଯେଉଁ ନର ନାରୀ ବ୍ରତ ପାଳନ ପୂର୍ବକ ମୋର ପୂଜା କରିବେ ସେମାନଙ୍କ ପାଇଁ ବୈକୁଣ୍ଠ ଦ୍ଵାର ଉନ୍ମୁକ୍ତ ରହିବ । ଏହା କହି ବିଷ୍ଣୁ ଦ୍ୱାରପାଳ ଜୟ ବିଜୟଙ୍କୁ ଡାକି କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ ଦିନ ବୈକୁଣ୍ଠ ଦ୍ଵାର ଉନ୍ମୁକ୍ତ ରଖିବାକୁ ନିର୍ଦ୍ଧେଶ ଦେଲେ । ବିଷ୍ଣୁଙ୍କ କଥାନୁସାରେ ଯେଉଁମାନେ ସାମାନ୍ୟ ଭକ୍ତ ସେମାନେ ଏହି ଦିନ ଶୁଦ୍ଧପୂତ ଭାବେ ବିଷ୍ଣୁଙ୍କୁ ଆରାଧନା କଲେ ତାଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇ ଥାଏ ଏଣୁ ଏହାର ନାମ ହୋଇଛି ବୈକୁଣ୍ଠ ଚତୁର୍ଦ୍ଦଶୀ ।

ଶ୍ରୀବିଷ୍ଣୁ ଏକଦା ଶିବ ପୂଜନ ପାଇଁ କାଶୀ ଧାମ ଆସିଥିଲେ । ସେ ମଣିକର୍ଣ୍ଣିକା ଘାଟରେ ସ୍ନାନ କରି ଏକ ହଜାର ସ୍ବର୍ଣ୍ଣ କମଳ ଦେଇ ଶିବଙ୍କର ପୂଜା କରିବାକୁ ଲାଗିଲେ । ଶିବ ବିଷ୍ଣୁଙ୍କ ଭକ୍ତି ପରୀକ୍ଷା କରିବାପାଇଁ ଆନୀତ ସ୍ବର୍ଣ୍ଣକମଳ ମଧ୍ୟରୁ ଗୋଟିଏ କମଳ ହରଣ କରିନେଲେ ଲମ। ବିଷ୍ଣୁ ଯେତେବେଳେ ଗୋଟିଏ କମଳ କମ ଅଛି ଦେଖିଲେ ସେ ଚିନ୍ତା କଲେ ମୋର ତ କମଳ ନୟନ ଓ ପୁଣ୍ଡରୀକାକ୍ଷ ବୋଲି ଗୋଟିଏ ଗୋଟିଏ ନାଁ ଅଛି । ମୋର ଚକ୍ଷୁ କମଳ ସଦୃଶ । ଏଣୁ ମୋର ଏକ ଚକ୍ଷୁ ଉତ୍ପାଟନ କରି କମ ହେଉ ଥିବା ଫୁଲର ସ୍ଥାନ ମୁଁ ପୂରଣ କରିବି । ବିଷ୍ଣୁ ଏକଥା କହି ଚକ୍ଷୁ ଉତ୍ପାଟନ ପାଇଁ ପ୍ରସ୍ତୁତ ହେଉଥିବା ଅବସରରେ ଶିବ ଆସି ତାଙ୍କ ସାମ୍ନାରେ ପ୍ରକଟ ହେଲେ ଓ କହିଲେ ତୁମ ଭଳି ଦୁନିଆଁରେ ମୋର ଆଉ କେହି ବଡ଼ ଭକ୍ତ ନାହିଁ । ଆଜି ହେଉଛି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀ । ବୈକୁଣ୍ଠ ଚତୁର୍ଦ୍ଦଶୀ ଭାବରେ ଏହା ଖ୍ୟାତ ହେଉ । ଏହିଦିନ ନିଷ୍ଠାର ସହ ବ୍ରତ ଉପଵାସ କରି ଯିଏ ଆପଣଙ୍କୁ ପୂଜା କରିବ ତାକୁ ସାଜୁଯ୍ୟ ବୈକୁଣ୍ଠପ୍ରାପ୍ତି ହେବ । ସେହିଦିନ ମଧ୍ୟ ସଦାଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ବିଷ୍ଣୁ ସଦାଶିବଙ୍କୁ ଏହି ଦିନ ଆରାଧନା କରି ଥିବାରୁ ବୈକୁଣ୍ଠ ଚତୁର୍ଦ୍ଧଶୀରେ ଶିବଙ୍କୁ ଆରାଧନା କଲେ ବିଷ୍ଣୁଲୋକ ପ୍ରାପ୍ତି ହୋଇ ଥାଏ । ଏହା ଶିବ ଓ ବିଷ୍ଣୁଙ୍କ ମହା ମିଳନ ତିଥି । କାଶୀରେ ବୈକୁଣ୍ଠ ଚତୁର୍ଦ୍ଧଶୀ ଦିନ ଶିବ ବିଷ୍ଣୁଙ୍କୁ ବେଲପତ୍ର ଓ ବିଷ୍ଣୁ ଶିବଙ୍କୁ ତୁଳସୀ ଦଳ ପ୍ରଦାନ କରନ୍ତି ।

ମହାଭାରତରେ ବର୍ଣ୍ଣନା ରହିଛି ଏହି ବୈକୁଣ୍ଠ ଚତୁର୍ଦ୍ଧଶୀ ଦିବସରେ କୃଷ୍ଣ ମହାଭାରତ ଯୁଦ୍ଧରେ ନିହତ ଯୋଦ୍ଧା ମାନଙ୍କୁ ବୈକୁଣ୍ଠପ୍ରାପ୍ତି ଅର୍ଥେ ପିଣ୍ଡ ଦାନ କରିଥିଲେ ।

ଶିବ ଓ ବିଷ୍ଣୁଙ୍କ ଏକତ୍ରପୂଜନ ପରମ୍ପରା ବଡ଼ଓଷା ଏକମାତ୍ର ଶୈବ ପୀଠ ଧବଳେଶ୍ୱରରେ ପାଳିତ ହୋଇଥାଏ । ପୁଣ୍ୟତୋୟା ମହାନଦୀ ଗର୍ଭରେ ପବିତ୍ର ଅନନ୍ତ ବାସୁଦେବ କୁଦରେ ଶୈବ କ୍ଷେତ୍ର ଧବଳେଶ୍ୱର ପୀଠ ବିରାଜମାନ । ପରମ୍ପରା ରହିଛି ବୈକୁଣ୍ଠ ଚତୁର୍ଦ୍ଧଶୀ ଦିନ ଚାଉଳ ଚୁନାରେ ଗଜ ମଣ୍ଡା ଶିବଲିଙ୍ଗ ଆକାରରେ ତିଆରି କରି ପୂଜା ହୋଇଥାଏ । ଗଜମଣ୍ଡା ତିଆରି ସମୟରେ ଏହା ଫାଟିଗଲେ ଅଶୁଭବୋଲି କୁହାଯାଏ । ଗଜମଣ୍ଡା ଶିବ ଓ ବିଷ୍ଣୁଙ୍କ ପ୍ରତୀକ ।

Comments are closed.