ରାଜନୀତି ମଇଦାନରେ ବିକାଶର ଟ୍ରେଣ୍ଡ ସେଟର ଭି.କେ ପାଣ୍ଡିଆନ

ଲେଖକ: ଶୁଭସଙ୍କେତ ପ୍ରଧାନ

ଭୁବନେଶ୍ବର – ଆଜି ବିଧିବଦ୍ଧ ଭାବେ ରାଜନୀତିର ମଇଦାନକୁ ଓହ୍ଲାଇଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ବିଜେଡିରେ ସାମିଲ କରିଛନ୍ତି । ବିକାଶର ଟ୍ରେଣ୍ଡ ସେଟର ଭାବେ ପରିଚିତ ପାଣ୍ଡିଆନଙ୍କ ସଫଳ ପ୍ରଶାସନିକ ଦକ୍ଷତାରୁ ଆଗକୁ ବିଜେଡିକୁ ଖୁବ୍ ଫାଇଦା ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଏହି ମାଷ୍ଟର ଷ୍ଟ୍ରାଟେଜିଷ୍ଟଙ୍କ ପାଇଁ ବିଜେଡି ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଆଶା କରାଯାଉଛି । ଭି.କେ ପାଣ୍ଡିଆନଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ବିରୋଧୀଙ୍କୁ ତାଠୁ ଅଧିକ ଚିନ୍ତାରେ ପକାଇଛି। କାରଣ ନବୀନ ବାବୁଙ୍କ ପରି ପୋଖତ ଓ ବିଚକ୍ଷଣ ରାଜନୀତିଜ୍ଞଙ୍କ ପାଖେ ପାଖେ ରହି ଭି.କେ ପାଣ୍ଡିଆନ ବି ଇତିମଧ୍ୟରେ ରାଜନୀତିରେ ପରିପକ୍ୱ ହୋଇ ସାରିଥିବା କଥାକୁ ବିରୋଧୀ ଠଉରେଇ ସାରିଛନ୍ତି। ଆଉ ବର୍ତ୍ତମାନ ତାଙ୍କ ରଣନୀତିରେ ବିଜେଡି ଆଗାମୀ ସାଧାରଣ ନିର୍ବାଚନ ମଇଦାନକୁ ଯିବା ଏକ ପ୍ରକାର ନିଶ୍ଚିତ।

୨୦୦୦ ମସିହା ପୂର୍ବରୁ ଓଡିଶାର ସ୍ଥିତି କିଛି ଭଲ ନଥିଲା । ଅନେକ ଅସ୍ଥିରତା ଦେଖି ଆସିଥିଲା। ରାଜନୈତିକ ଅସ୍ଥିରତା ସହ ଦୁର୍ବଳ ହୋଇପଡ଼ିଥିଲା ରାଜ୍ୟର ଅର୍ଥନୈତିକ ସ୍ଥିତି। ହେଲେ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶାର ଭାଗ୍ୟାକାଶରେ ଏକ ସ୍ବର୍ଣ୍ଣିମ ତଥା ଦୀପ୍ତିମନ୍ତ ପ୍ରତିଭା ଭାବେ ୧୯୯୭ ମସିହାରେ ଉଭା ହୋଇଥିଲେ କର୍ମଯୋଗୀ ନବୀନ ପଟ୍ଟନାୟକ। ଓଡିଶାରେ ତାଙ୍କ ୨୩ ବର୍ଷର ଶାସନ କାଳରେ ହୋଇଥିବା ଆକାଶଛୁଆଁ ବିକାଶ ଏବଂ ସୁଶାସନ ହିଁ ତାଙ୍କୁ ଓଡିଶାର ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ଗଢି ତୋଳିଛି। ଖାଲି ସେତିକି ନୁହେଁ, ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢିବା ସହ ବିରୋଧୀ ଦୁର୍ବଳ ହୋଇ ଚାଲିଛନ୍ତି। ତେବେ, ଏହି ୨୩ ବର୍ଷର ଶାସନ ମଧ୍ୟରୁ ଦୀର୍ଘ ୧୨ ବର୍ଷ ଧରି ତାଙ୍କର ପ୍ରତିଟି ସ୍ବପ୍ନ ଏବଂ ଘୋଷଣାକୁ ସାକାର ରୂପ ଦେବାରେ ଅନନ୍ୟ ବିନ୍ଧାଣୀ ସାଜିଥିବା ଭି.କେ ପାଣ୍ଡିଆନଙ୍କ ଭୂମିକାକୁ ମଧ୍ୟ ଆଜି ସାରା ରାଜ୍ୟ ଆତ୍ମୀୟତାର ସହ ସ୍ବୀକାର କରୁଛି। ରାଜ୍ୟର ପ୍ରତିଟି କ୍ଷେତ୍ରରେ ଚାଲିଥିବା ରୂପାନ୍ତରଣ ଏବଂ ବିକାଶର ଅଗଣିତ ରେକର୍ଡ ହିଁ ତାଙ୍କୁ ପ୍ରଶାସନିକ କ୍ଷେତ୍ରରେ ସବୁଠୁ ବିରଳ ଅଧିକାରୀ ଭାବେ ବିବେଚିତ କରିଛି। ୫ଟି ସଚିବ ଭାବେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବିକାଶର ନକ୍ସା ଆଙ୍କିଥିବା ଭି.କେ ପାଣ୍ଡିଆନ ରାଜ୍ୟର ସ୍ବାର୍ଥ ପାଇଁ ଆଇଏଏସ ଚାକିରି ଛାଡିଛନ୍ତି । ସେ ପ୍ରଶାସନିକ ସେବାର ବନ୍ଧନରୁ ବାହାରି ମୁକ୍ତ ଭାବେ ସମାଜସେବାକୁ ପାଥେୟ କରି ବିଜୁ ଜନତା ଦଳରେ ସାମିଲ ହେବା ନିଶ୍ଚିତ ଭାବେ ଓଡିଶା ପାଇଁ ଶୁଭ ସୂଚନା।

ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ଦାୟିତ୍ବ ନବୀନ ବାବୁ ଗତ ୨୦୦୦ ମସିହାରେ ନେଇଥିଲେ। ଆଉ ସେହି ବର୍ଷ ହିଁ ଭି.କେ ପାଣ୍ଡିଆନ ଓଡିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଜିଲ୍ଲାପାଳ ଭାବେ ତାଙ୍କର ପ୍ରଶାସନିକ ଜୀବନ ଆରମ୍ଭ ହେବା ଦିନରୁ ହିଁ ତାଙ୍କ ପ୍ରତିଭା ଲୋକଲୋଚନକୁ ଆସିଥିଲା। ସେଠାରେ ସୀମିତ ସମୟ ମଧ୍ଯରେ ସେ ନେଇଥିବା ପଦକ୍ଷେପକୁ ଆଜି ପର୍ଯ୍ୟନ୍ତ ଲୋକେ ଭୁଲି ପାରିନାହାନ୍ତି। ଏହାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ନିଷ୍ଠାର ପ୍ରମାଣ ଦେଇ ପାରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସେ ନିଜ ଦକ୍ଷତା ଓ ସାମର୍ଥ୍ୟର ପ୍ରମାଣ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସ୍ଥାଭାଜନ ହୋଇଥିଲେ । ସିଏମଓରେ ତାଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ।  ନିଜର ନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ  ସେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସଭାଜନ ହୋଇପାରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ସ୍ବପ୍ନକୁ ସାକାର କରିବାକୁ ସେ ଦିନରାତି ଏକ କରିଦେଇଥିଲେ।

ଗୁରୁ ଶିଷ୍ଯ ଭାବେ ହେଉ ଅବା ବାପ ପୁଅ ଭାବେ ହେଉ ପାଣ୍ଡିଆନ ବାବୁ ନବୀନଙ୍କ ପାଖେ ଛାଇ ପରି ରହି ଆସିଛନ୍ତି। ରାଜ୍ୟର ବିକାଶ ପାଇଁଁ ନବୀନଙ୍କ ପ୍ରତିଟି ନିର୍ଦ୍ଦେଶକୁ ଶତ ପ୍ରତିଶତ ସଫଳତାର ସହ ତୁଲାଇପାରିଛନ୍ତି। ଯଦ୍ବାରା ବିରୋଧୀଙ୍କ ସବୁ ସମାଲୋଚନା ତଥା କୁତ୍ସାରଟନା ସତ୍ତ୍ବେ ପାଣ୍ଡିଆନଙ୍କ ପ୍ରତି ନବୀନ ବାବୁଙ୍କ ଭରସା ଅତୁଟ ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ୫ଟି ଉପକ୍ରମ ଆରମ୍ଭ କରିଥିଲେ। ଆଉ ବିଶ୍ୱ‌ସ୍ତ ଭି.କେ ପାଣ୍ଡିଆନଙ୍କୁ ହିଁ ଦେଇଥିଲେ ଏହାର ଦାୟିତ୍ବ। ଓଡିଶାରେ ପ୍ରାଶାସନିକ ଜୀବନରେ ସାଉଁଟିଥିବା ଅଭିଜ୍ଞତାକୁ ପାଥେୟ କରି ବିକାଶର ନୂଆ ନକ୍ସା ଆଙ୍କି ଚାଲିଥିଲେ ପାଣ୍ଡିଆନ। ଏଠାକାର ମାଟି, ପାଣି, ପବନ ସହିତ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଖାଣ୍ଟି ଓଡ଼ିଆ ହୋଇ ସାରିଛନ୍ତି। କେନ୍ଦ୍ରାପଡା ମାଟିର ଝିଅ ଆଇଏଏସ୍ ତଥା ମିଶନ ଶକ୍ତିର ସଚିବ ସୁଜାତା ରାଉତଙ୍କୁ ବିବାହ କରି ସେ ଓଡ଼ିଶାର ଜ୍ବାଇଁ ଭାବେ ଏ ମାଟି ସହ ଚିରଦିନ ପାଇଁ ଯୋଡି ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ, ଓଡ଼ିଆଙ୍କ ଭାବାବେଗକୁ ବି ସେ ସବୁ ବେଳେ ସମ୍ମାନ ଦେଇ ଆସିଛନ୍ତି।

ଚଳିତ ବର୍ଷ ସେ ରାଜ୍ୟର ସମସ୍ତ ଜିଲ୍ଲାର ୩୧୪ଟି ବ୍ଲକ୍ ଗସ୍ତ କରିଥିଲେ ।ଏହି ଗସ୍ତରେ ଲୋକଙ୍କ ପ୍ରତି ତାଙ୍କ ସହୃଦୟତା ବାରି ହୋଇ ପଡିଥିଲା। ଧୈର୍ଯ୍ୟର ସହ ହଜାର ହଜାର ଲୋକଙ୍କ ଆପତ୍ତି , ଅଭିଯୋଗ ଶୁଣି ସମସ୍ତଙ୍କ ସମସ୍ୟାର ସମାଧାନ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ଯରେ ପୂରଣ କରି ସେ ଓଡ଼ିଶାର ପ୍ରତିଟି ସାଧାରଣ ଲୋକଙ୍କ ହୃଦୟର ମଣିଷ ହୋଇ ପାରିଥିଲେ। ଆଉ ସେଥିପାଇଁ ତାଙ୍କ ଜିଲ୍ଲା ଗସ୍ତ ସଂପୂର୍ଣ୍ଣ ଭାବେ ବିକାଶ ପାଇଁ ଉଦ୍ଧିଷ୍ଟ ଥିଲେ ସୁଦ୍ଧା ବିରୋଧୀ ବିରୋଧ କରି ଅପଦସ୍ତ ହେବା ସାର ହୋଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ପାଣ୍ଡିଆନ ସବୁ ସଭାରେ ଯେଭଳି ଭାବେ ଖାଣ୍ଟି ଓଡ଼ିଆରେ ଲୋକଙ୍କ ସହ ଭାବ ବିନିମୟ କରୁଥିଲେ ତାହା ତାଙ୍କ ସମାଲୋଚକଙ୍କ ମୁହଁକୁ ବି ବନ୍ଦ କରି ଦେଇଥିଲା।

ଭି.କେ ପାଣ୍ଡିଆନ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ଏ ମାଟିର ମହାନ ସଂସ୍କୃତି ଓ ପରମ୍ପରାର ଅଭିବୃଦ୍ଧିକୁ ଗୁରୁତ୍ବ ଦେଇ ଆସିଛନ୍ତି। ଏହାଦ୍ୱାରା ଏଠିକାର ସଂସ୍କୃତିକୁ ବି ସେ ଆପଣାର କରିସାରିଛି। ପୁଣି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଧର୍ମର ଧାର୍ମିକ ପୀଠର ଉନ୍ନତି ତାଙ୍କର ଏହି ଗସ୍ତର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ଥିଲା। ସେହିପରି ଭିତ୍ତିଭୂମି ବିକାଶରେ ଏହି ଗସ୍ତ ଏକ ମାଇଲଖୁଣ୍ଟ ସାଜିଥିଲା।

ତାଙ୍କର ନେତୃତ୍ବରେ ୫-ଟି ଦ୍ବାରା ହାଇସ୍କୁଲ ରୂପାନ୍ତରଣରୁ ଆରମ୍ଭ କରି ମୋ କଲେଜ ଅଭିଯାନରେ କଲେଜ ଓ ବିଶ୍ବବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ସ୍ବାସ୍ଥ୍ୟସେବାର ଉନ୍ନତି, ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମିରୁ ଜଳସେଚନ ଯାଏ ତାଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ଆଜି ଓଡିଶା ଦେଖୁଛି। ବିଶ୍ବର ସର୍ବବୃହତ ରାଉରକେଲାର ବୀର୍ସା ମୁଣ୍ଡା ହକି ଷ୍ଟାଡିଅମ ହେଉ ଅବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ହେଉ ଅବା ଗଙ୍ଗାଧର ସେଚ ପ୍ରକଳ୍ପ ହେଉ ଅବା ଶ୍ରୀମନ୍ଦିର ଐତିହ୍ୟ କରିଡର କିମ୍ବା ତାରାତାରିଣୀ ଓ ସମଲେଇ ପୀଠର ବିକାଶ ପ୍ରକଳ୍ପ ହେଉ ପ୍ରତି କାମର ସଫଳତା ପଛରେ ପାଣ୍ଡିଆନ ବାବୁଙ୍କ ଭୂମିକାକୁ ସମସ୍ତେ ସ୍ୱୀକାର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ରହି ଧୈର୍ଯ୍ୟ ଓ କର୍ତ୍ତବ୍ୟପରାୟଣତାକୁ ଶିଖିଛନ୍ତି ପାଣ୍ଡିଆନ। ସମାଲୋଚନାରେ ସେ ଆଦୌ ବିଚଳିତ ହୋଇନାହାନ୍ତି। ସମାଲୋଚନାକୁ ଆଦୌ ଭ୍ରୁକ୍ଷେପ ନ କରିବାର କଳା ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଠିକ୍ ଭାବେ ଶିଖିଛନ୍ତି ପାଣ୍ଡିଆନ।

ତେବେ, ଗତ ଦଶହରା ବେଳେ ସମୟରେ ଆଇଏଏସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ୫ଟି ଅଧ୍ୟକ୍ଷ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ। ଆଉ ଏହି ନୂତନ ଦାୟିତ୍ବ ନେବା ପରେ ପ୍ରାୟ ମାସେ ହେଲା ଯେଭଳି ଭାବେ ତାଙ୍କୁ ରାଜ୍ୟର ପ୍ରତିଟି ପ୍ରାନ୍ତର ହଜାର ହଜାର ଲୋକ ସ୍ଵତଃସ୍ପୃତ ଭାବେ ଭେଟି ଶୁଭେଚ୍ଛା ଦେଇଛନ୍ତି ତାହା ତାଙ୍କ ଲୋକପ୍ରିୟତାର ପ୍ରମାଣ ଦିଏ । ପୁଣି ଏହି ନୂତନ ଦାୟିତ୍ବ ନେବା ମାତ୍ରେ ଓଡିଶାର ସାମଗ୍ରିକ ବିକାଶ ପାଇଁ ତାଙ୍କର ଅହରହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସେ ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ପାଣ୍ଡିଆନଙ୍କୁ ବିରୋଧ କଲେ ଲୋକଙ୍କ ଆକ୍ରୋଶର ଶିକାର ହେବାର ଭୟ ବିରୋଧୀଙ୍କୁ ଘାରିଛି।

ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ଭଳି ବିଚକ୍ଷଣ ବ୍ୟକ୍ତିତ୍ବଙ୍କ ବିଜେଡିରେ ଯୋଗଦାନ ନିହାତି ଭାବେ ଦଳ ପାଇଁ ତଥା ରାଜ୍ଯ ପାଇଁ ଶୁଭ ସଙ୍କେତ ବୋଲି ଚର୍ଚ୍ଚା ହେଲାଣି। ବିଶେଷ କରି ତାଙ୍କ ଭଳି ଜଣେ ଷ୍ଟ୍ରାଟେଜି ମେକର୍ ବିରୋଧୀଙ୍କ ଆଗାମୀ ସାଧାରଣ ନିର୍ବାଚନର ସବୁ ରଣନୀତିକୁ ଫେଲ କରିବାରେ ସମର୍ଥ ହେବେ ବୋଲି ବିଜେଡି ଶିବିରରେ ଆଲୋଚନା ସରଗରମ ହୋଇଛି।
ଅପରପକ୍ଷେ, ଏଭଳି ଜଣେ କର୍ମବୀରଙ୍କ ବିଜୁ ଜନତା ଦଳରେ ସାମିଲ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି ମତପ୍ରକାଶ ପାଇଛି। ତାଙ୍କର ରାଜନୀତିରେ ସକ୍ରିୟ ଯୋଗଦାନ ଏକ ସ୍ବଚ୍ଛ ରାଜନୀତି ପାଇଁ ସକାରାତ୍ମକ ବାର୍ତ୍ତା ଦେବା ସହ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି।

ଲେଖକ ଜଣେ ରାଜନୈତିକ ସମୀକ୍ଷକ ।

Comments are closed.