ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଏବଂ ନୂତନ ବିଏସକେୱାଇ ହେଲ୍ପଲାଇନର ଶୁଭାରମ୍ଭ

ସମ୍ବଲପୁର : ଆଜି ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪୦ କୋଟି ଟଙ୍କା ବ୍ୟୟରେ ୧୦୩ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ , ସାରା ରାଜ୍ୟରେ ୧୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ରାଜ୍ୟ ବାହାରେ ରହୁଥିବା ପରିବାର ପାଇଁ ବି.ଏସ.କେ.ୱାଇ ଟୋଲ ଫ୍ରି ନମ୍ବର ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫ଟି ଉପକ୍ରମରେ ବିଭିନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ ମଡେଲ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ‘ସୁସ୍ଥ ଓଡିଶା ସୁଖୀ ଓଡିଶାଽ। ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏସ୍.ସି.ବି. ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ କାମ ଚାଲିଛି। ନୂଆ ନୂଆ ମେଡିକାଲ କଲେଜ ଖୋଲୁଛି। ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି। ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମଚାରୀ ପଦବୀ ପୂରଣ ହେଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସ୍ତରରେ- ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନଽ। ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି ଚାଲିବୁ ବୋଲି ସେ କହିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଓଡ଼ିଶାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଆଦର୍ଶ ରେ ପରିଣତ କରିବା ର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିବର୍ତନ ଓଡ଼ିଶାକୁ ଏକ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ରେ ପରିଣତ କରିବ।

ସମ୍ବଲପୁରରେ ଭିଡିଓ କନଫରେନ୍ସିଂ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୧୫.୭ ଲକ୍ଷ ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜୁଜୁମୁରା ଏବଂ ୧୧୬୨ ଲକ୍ଷ ଟଙ୍କା ବ୍ୟୟରେ ଧନକଉଡ଼ା ବ୍ଲକରେ ରାଜ୍ୟ ଔଷଧ ପରୀକ୍ଷଣ ପରୀକ୍ଷାଗାରକୁ ଉଦଘାଟନ କରିଛନ୍ତି। କୁନ୍ତରାଠାରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ କୋଠା ନିର୍ମାଣ, ବାମରାଠାରେ ୭୪.୯୮ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ କୋଠା ନିର୍ମାଣ, ଚାରମାଳଠାରେ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ ନିର୍ମାଣ, ରେଢ଼ାଖୋଲ ବ୍ଲକରେ ୭୪.୮୭ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଜନ ୟୁନିଟ ନିର୍ମାଣ, ମାନେଶ୍ବର ବ୍ଲକରେ ଥେମରାଠାରେ ଜନସ୍ୱାସ୍ଥ୍ୟ ୟୁନିଟ କୋଠା ନିର୍ମାଣ ପାଇଁ ୭୪.୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ରେଙ୍ଗାଲି ବ୍ଲକର ଲୋଇଡାଠାରେ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ କୋଠା ନିର୍ମାଣ ପାଇଁ ୭୪. ୩୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି ଏବଂ ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା ।

ସ୍ଥାନୀୟ ଅସ୍ଵାନ କକ୍ଷରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆଇ.ଏ.ଏସ, ସି.ଡି.ଏମ.ଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଡି.ପି.ଏମ ଡାକ୍ତର ମୌସୁମୀ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ ଏସ.ଏଚ.ଜି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.