ଦାଉଦ୍ ଇବ୍ରାହିମକୁ ବିଷ‌ ଦିଆଯାଇଥିବା ଦାବି

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ ବିଷ ଦିଆଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଖବର। ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦକୁ କରାଚିରେ ବିଷ ଦିଆଯାଇଥିବା କୁହାଯାଉଛି। ପାକିସ୍ତାନୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ଦାଉଦର ଅବସ୍ଥା ଗୁରୁତର ଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଦାଉଦକୁ ବିଷ ଦିଆଯିବା ଖବର କୌଣସି ଗଣମାଧ୍ୟମ ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ । ଯେଉଁ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଡାକ୍ତରଖାନାର ସେହି ଫ୍ଲୋରରେ ଦାଉଦ୍ ଏକମାତ୍ର ରୋଗୀ ଚିକିତ୍ସିତ ହେଉଥିବା ଦାବି ହୋଇଛି | ଡାକ୍ତରଖାନାର କେବଳ ବରିଷ୍ଠ ଅଧିକାରୀ ଏବଂ ଦାଉଦର ଘନିଷ୍ଠ ସହଯୋଗୀ ଓ ପରିବାର ସଦସ୍ୟଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି।

ଦାଉଦକୁ ବିଷ ଦିଆଯାଇଥିବା ଖବର ପରେ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି । ପାକିସ୍ତାନରେ ଇଣ୍ଟରନେଟ୍ ବନ୍ଦ ରହିଥିବା ଖବର ମଧ୍ୟ ରହିଛି। ଲାହୋର, କରାଚି, ଇସଲାମାବାଦ ପରି ବଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ ରହିଛି | ଏହାଛଡ଼ା ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ମଧ୍ୟ କାମ କରୁନାହିଁ ।

ସାରା ବିଶ୍ୱରେ ଇଣ୍ଟରନେଟ୍, ସାଇବର ସୁରକ୍ଷା ଏବଂ ଡିଜିଟାଲ୍ ଶାସନ ଉପରେ ନଜର ରଖୁଥିବା ଏକ ସଂସ୍ଥା ନେଟବ୍ଲକ୍ ପାକିସ୍ତାନରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଲଗାଯାଇଥିବା ନିଶ୍ଚିତ କରିଛି।

ଅନ୍ୟପକ୍ଷରେ ପାକିସ୍ତାନର ସାମ୍ବାଦିକ ଅର୍ଜୁ କାଜମି ଦାଉଦ ଇବ୍ରାହିମକୁ ବିଷ ଦିଆଯାଇଛି ବୋଲି ସ୍ପଷ୍ଟ କରିଛନ୍ତି । ତାର ଅବସ୍ଥା ସଙ୍କଟାପନ୍ନ ରହିଛି। ତାକୁ କରାଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।

Comments are closed.