ମାଲକାନଗିରି: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଥିଲା ୧ ଲକ୍ଷ ଟଙ୍କା ପୁରସ୍କାର

ମାଲକାନଗିରି: ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଉଙ୍ଗି ମାଦବି (ରୋଷନି, ୨୦ ବର୍ଷ) ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲା କାଟେକଲ୍ୟାଣ ଥାନା ପିତଡବା ଗ୍ରାମ। ସେ ୨୦୧୬ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇ ଲାଲବାହିନୀର ଅନେକ ହିଂସାକାଣ୍ଡରେ ସମ୍ପୃକ୍ତ ହୋଇଥିଲେ। ତେବେ ସ୍ବଳ୍ପ ବୟସରେ ଅଧିକ ରକ୍ତପାତ ଦେଖିବା ପରେ ବରିଷ୍ଠ କ୍ୟାଡରଙ୍କ ଅନୈତିକ କାର୍ଯ୍ୟକଳାପ ଓ ତେଲୁଗୁ ଭାଷାଭାଷୀ ମାଓବାଦୀଙ୍କ ପକ୍ଷପାତିତାରେ ଅତିଷ୍ଠ ହୋଇ ମାଓ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲିସ ଡିଜିଙ୍କ ଆତ୍ମସମର୍ପଣ ଆହ୍ବାନ ସହ ଆକର୍ଷଣୀୟ ଥଇଥାନ ପ୍ୟାକେଜ ତାଙ୍କୁ ହିଂସାର ବାଟ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ପ୍ରୋତ୍ସାହିତ କରିଥିଲା।

Comments are closed.