ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଛାତ୍ର ଓ ସାଧାରଣ ଲୋକଙ୍କ ସହ ବିଚାର ଆଲୋଚନା କରିଥିଲେ। ଗଜପତି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାଣ୍ଡିଆନ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ଯୁବଗୋଷ୍ଠୀଙ୍କ ପାଇଁ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ ସାଜିଥିବା ନେଇ ୫-ଟି ଅଧ୍ୟକ୍ଷ ଆଲୋଚନା କରିଥିଲେ। ବୌଦ୍ଧିକ ସଫଳତା ସହ ସାମଗ୍ରିକ ବ୍ୟକ୍ତିତ୍ଵ ବିକାଶର ଏହି ମଞ୍ଚ ସହାୟକ ହୋଇପାରିବ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ କଠୋର ପରିଶ୍ରମ ସହ ଆତ୍ମବିଶ୍ଵାସ ନେଇ କାମ କଲେ ହିଁ ଜୀବନରେ ସଫଳ ହୋଇପାରିବେ ବୋଲି ୫-ଟି ଅଧ୍ୟକ୍ଷ ମତ ଦେଇଥିଲେ। ଫେବ୍ରୁଆରୀ ସୁଦ୍ଧା ଜିଲ୍ଲାରେ କଲେଜ ରୂପାନ୍ତରଣ ପ୍ରକଳ୍ପ ଶେଷ ହୋଇଯିବ ବୋଲି ୫-ଟି ଅଧ୍ୟକ୍ଷ ଏହି ଅବସରରେ କହିଥିଲେ।

ଜିଲ୍ଲାରେ ମୋଟ ୫୪ କୋଟି ଟଙ୍କା ବ୍ୟୟରେ ଚାଲିଥିବା ୯ଟି ସେତୁର କାମ ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ଗତବର୍ଷ ମେ’ ମାସରେ ତାଙ୍କର ଜିଲ୍ଲା ଗସ୍ତ ବେଳେ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ।

ପରେ ୫-ଟି ଅଧ୍ୟକ୍ଷ ଜିଲ୍ଲାର ପ୍ରମୁଖ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ୯୬୬ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଛେଳିଗଡ ଜଳସେଚନ ପ୍ରକଳ୍ପ ସମେତ ରାୟଗଡ଼ା ବ୍ଲକକୁ ପାଇପ ପାଣି ଯୋଗାଣ ପ୍ରକଳ୍ପ, ପାରଳାଖେମୁଣ୍ଡି ବାଇପାସ୍ ରୋଡ୍, ବିଭିନ୍ନ ଜଳପ୍ରପାତ ଓ ଭିଉ ପଏଣ୍ଟର ଉନ୍ନତିକରଣ, ଜିରାଙ୍ଗ ମଠର ଉନ୍ନତିକରଣ ଓ ଜିଲ୍ଲାର ବିଭିନ୍ନ ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ଏସବୁ ମଧ୍ୟରୁ କିଛି ପ୍ରକଳ୍ପ ଗତବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ବେଳେ ମିଳିଥିବା ଦାବିପତ୍ର ଆଧାରରେ ହାତକୁ ନିଆଯାଇଛି।

ଗଜପତି ଜିଲ୍ଲା ଗସ୍ତରେ ଆଜି ସେ କାଶୀନଗର ଓ ରାମଗିରିଠାରେ ସାଧାରଣ ଜନତାଙ୍କ ସହ ଆଲୋଚନା କରି ଆପତ୍ତି ଅଭିଯୋଗ ଶୁଣିବା ସହ ଖୁବ୍ ଶୀଘ୍ର ସମାଧାନର ଆଶ୍ୱାସନା ଦେଉଥିଲେ ୫-ଟି ଅଧ୍ୟକ୍ଷ ।

Comments are closed.