ରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ 

ଭୁବନେଶ୍ବର – ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀ ଆସନ୍ତା ଫେବ୍ରୂଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ ।
             ଏହି ସମୟରେ ରାଜ୍ୟର ସମସ୍ତ ପୌରାଞ୍ଚଳ ମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି l ଏ ନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ପରିଷଦ ଓ ଏନଏସିର ନିର୍ବାହୀ ଅଧିକାରୀ ମାନଙ୍କୁ ପତ୍ର ଲେଖିବା ସହ ଆବାସୀ ମାଧ୍ୟମରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି I
   ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,  ଭୁବନେଶ୍ୱରଠାରେ ହେବାକୁ ଥିବା  ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ବ୍ୟାପକ କରିବା ନିମନ୍ତେ ସବୁ ସହରାଞ୍ଚଳ , ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କରେ ଏହା ପାଳନ କରିବା ଆବଶ୍ୟକତା ରହିଛି ।
ଏହି ଆୟୋଜନ ନିମନ୍ତେ ନିମ୍ନଲିଖିତ କାର୍ଯ୍ୟକ୍ରମଗୁଡ଼ିକ ଗ୍ରହଣ କରାଯାଇପାରେ ବୋଲି ସେ ପରାମର୍ଶ ଦେଇଛନ୍ତି l
* ବ୍ୟାପକ ସଚେତନତା ନିମନ୍ତେ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅବଦାନ ରଖିଥିବା ପ୍ରସିଦ୍ଧ କବି, ଲେଖକ ଓ ଭାଷାବିତ୍‌ଙ୍କ ପରି ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କ ଚିତ୍ର / ଛବି ବା ପେଣ୍ଟିଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରମୁଖ ସ୍ଥାନଗୁଡ଼ିକରେ ରଖାଯାଇପାରେ ।
* ଓଡ଼ିଆ ଗବେଷକ, ବିଦ୍ୱାନ ଓ ବୁଦ୍ଧିଜୀବୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଦ୍ଧିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ ।
* ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ତର୍କ, ପ୍ରବନ୍ଧ ଓ ତତ୍କାଳ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇପାରେ ।
* ସମ୍ମିଳନୀର ଯଥାର୍ଥ ଆୟୋଜନକୁ ଦୃଷ୍ଟିରେ ରଖି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ବିଭିନ୍ନ ୱାର୍ଡରେ ଓଡ଼ିଆ ଅସ୍ମିତା ରଥର ପରିକ୍ରମା କରାଯାଇପାରେ ।
* ଓଡ଼ିଆରେ ସାଇନ୍‌ବୋର୍ଡ/ବିଲ୍‌ବୋର୍ଡ/ ହୋର୍ଡିଂଗୁଡ଼ିକ ଲେଖାଯିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରାଯାଇପାରେ ।
      ଏପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନକୁ ସୁନିଶ୍ଚିତ କରିବା ନିମନ୍ତେ ଏବଂ ସଂପୃକ୍ତ କାର୍ଯ୍ୟକ୍ରମର ବିବରଣୀ ଓ ଉଚ୍ଚମାନର ( ହାଇ ରିଜୋଲୁସନ୍‌) ଫଟୋଗୁଡ଼ିକ ଏହି ବିଭାଗର ଅବଗତି ତଥା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇବାକୁ ପୌର ନିର୍ଦ୍ଦେଶକ ଲେଖିଥିବା ପତ୍ରରେ ଅନୁରୋଧ କରିଛନ୍ତି l ଏ ନେଇ ଆଭାସୀ ଆଲୋଚନା କାଳରେ ସମସ୍ତ ପୌର ପରିଷଦ ଏହି ଆଲୋଚନା ରେ ଯୋଗଦାନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ରକ୍ଷା କରିବା ନିମନ୍ତେ ସେମାନଙ୍କ ପ୍ରତିବଦ୍ଧତା ଜଣାଇଥିଲେ l

Comments are closed.