ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର – ଚଳିତ ମାସ ୨୮ ତାରିଖରୁ ଆଗାମୀ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ଓ ମୟୂରଭଞ୍ଜ , କେନ୍ଦୁଝର , ବ୍ରହ୍ମପୁର , ଭୁବନେଶ୍ବର , କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥ‌ିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ , ସଂପୃକ୍ତ ବିଭିନ୍ନ ବିଭାଗର ଶାସନ ସଚିବ , ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟ ପୁଲିସର ବରିଷ୍ଠ ପଦାଧିକାରୀ , ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଡଃ . ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ଓଡିଶାରେ ରହିଥ‌ିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ରାଷ୍ଟ୍ରପତିଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଫେବ୍ରୁଆରୀ ୨୮ ତାରିଖରେ ରାଇରଙ୍ଗପୁରରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର ରହିଛି । ୨୯ ତାରିଖ ସକାଳେ ମା ‘ କୀଚକେଶରୀ ମନ୍ଦିର ପରିଦର୍ଶନ , କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ । ସେହି ଦିନ ଅପରାହ୍ନରେ ଭୁବନେଶ୍ବର ଯାତ୍ରା କରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କର ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ଯ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଓଡିଶାରେ ପହଞ୍ଚିବାଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ରାଷ୍ଟ୍ରପତିଙ୍କର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ଥିବାରୁ ସବୁ ସ୍ଥାନଗୁଡିକୁ ପୂର୍ବରୁ ଭଲଭାବେ ଯାଞ୍ଚ କରିବା ସହ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ତଦନୁସାରେ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ରାଷ୍ଟ୍ରପତିଙ୍କର ରହଣି , ସୁରକ୍ଷା ବ୍ୟବସ୍ଥା , କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ , ସ୍ୱାସ୍ଥ୍ୟସେବା ଓ ଚିକିତ୍ସା , ଆମ୍ବୁଲାନ୍ସ , ଗନ୍ତବ୍ୟ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ , ରାସ୍ତାର ପରିମଳ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ଯୋଗାଣ , ବସିବା ବ୍ୟବସ୍ଥା , ବେରିକେଡିଂ ବ୍ୟବସ୍ଥା , ଆବଶ୍ୟକ ମାସ୍ ବ୍ୟବସ୍ଥା , ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରମୁଖ ଉତ୍ସବ ସ୍ଥଳରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଗଣମାଧ୍ୟମକୁ ପ୍ରଦାନ କରିବା ପାଇଁ ସୁବିଧା କରାଯିବା , କାର୍ଯ୍ୟକ୍ରମ ସ୍ଥଳକୁ ଇଣ୍ଟରନେଟ୍ ସୁବିଧା , ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା । ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।

Comments are closed.