ଦିଲ୍ଲୀ, ଗୁଜରାଟ, ହରିୟାଣାରେ ଏକାଠି ନିର୍ବାଚନ ଲଢ଼ିବେ କଂଗ୍ରେସ-ଆପ୍

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ, ଗୁଜରାଟ ଓ ହରିୟାଣାରେ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ । ଉଭୟ ଦଳ ଶୀଘ୍ର ଆସନ ଭାଗବଣ୍ଟା ସମ୍ପର୍କରେ ଘୋଷଣା କରିପାରନ୍ତି ।

ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟରେ ଆସନ ଭାଗବଣ୍ଟା ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି । ଉଭୟ ଦଳ ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିପାରନ୍ତି। କେଉଁ ଦଳ କେଉଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି ।

ଆପ୍ ସହ ଜଡ଼ିତ ଏକ ସୂତ୍ରରୁ ଜଣାପଡିଛି ଯେ ଆପ୍ ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ ଦେବ । କିନ୍ତୁ କଂଗ୍ରେସ ଚାନ୍ଦନୀ ଚୌକ୍, ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ।

ମେଣ୍ଟ ସମ୍ଭାବନା ନେଇ ପଚରାଯିବାରୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅରବିନ୍ଦର ସିଂ ଲଭଲି ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶ। ଏହି ମେଣ୍ଟ କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ସୁଦୃଢ଼ ଭାବେ ନିର୍ବାଚନ ଲଢ଼ିବ ।

ଜାତୀୟ ରାଜଧାନୀରେ ୭ଟି ଲୋକସଭା ଆସନ ଅଛି। ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ସମସ୍ତ ୭ଟି ଆସନ ଜିତିଥିଲା।

ସୂଚନାନୁସାରେ, ହରିୟାଣାର ଆପକୁ ଗୋଟିଏ ଏବଂ ଗୁଜରାଟରେ ଦୁଇଟି ସିଟ୍ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

ଲଭଲି କହିଛନ୍ତି ହରିୟାଣାରେ ଆପ୍ ଗୁରୁଗ୍ରାମ କିମ୍ବା ଫରିଦାବାଦ ଆସନରୁ ନିର୍ବାଚନ ଲଢ଼ିପାରେ । ଗୁଜରାଟ, ଭରୁଚ ଏବଂ ଭାବନଗର ଲୋକସଭା ଆସନ ଆପକୁ ଯାଇପାରେ । ତେବେ ଭେଟେରାନ କଂଗ୍ରେସ ନେତା ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ଭରୁଚ ଆସନ ଆପକୁ ଦେବା ସପକ୍ଷରେ ନାହାଁନ୍ତି । ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, ଯଦି ଗୁଜରାଟର ଭରୁଚ ଲୋକସଭା ଆସନ ଆମ୍ ଆଦମୀ ପାର୍ଟିକୁ ଦିଆଯାଏ, ତେବେ ସେ ଓ ଦଳର କର୍ମୀମାନେ ଆପ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ। ଏହି ଆସନରୁ ଫୈସଲ କିମ୍ବା ତାଙ୍କ ଭଉଣୀ ମମତାଜ କଂଗ୍ରେସରୁ ଟିକେଟ୍ ପାଇଁ ଦାବିଦାର ଅଛନ୍ତି ।

ଆପ୍ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର କହିଥିଲେ ମେଣ୍ଟ ନେଇ ଆଲୋଚନା ବିଳମ୍ବ ହେଉଛି। ଆଗାମୀ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଆସନ ଭାଗବଣ୍ଟା ନେଇ ସୂଚନା ମିଳିବ ବୋଲି ସେ ସଙ୍କେତ ଦେଇଥିଲେ । ‌ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହେବା ସମ୍ଭାବନା ରହିଛି ।

Comments are closed.