ବ୍ରହ୍ମପୁରରେ ଆଜିଠୁ ଗଡିବ ‘ମୋ ବସ୍’, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ବ୍ରହ୍ମପୁର: ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଓ ଖୋର୍ଦ୍ଧା ପରେ ଶନିବାରରୁ ବ୍ରହ୍ମପୁର ଓ ସମ୍ବଲପୁର ମହାନଗରରେ ମୋ‌ବସ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ରେଶମ‌ ସହରବାସୀ ଟାଉନ୍ ବସ୍ ବା ସିଟି ବସର ଆଧୁନିକ ଭର୍ସନ ତଥା ଅତ୍ୟାଧୁନିକ ଯାତ୍ରୀ ସେବା‌ ସୁବିଧା ସୁଯୋଗ ସମ୍ବଳିତ ମୋ ବସରେ ଯାଆସ କରିପାରିବେ। ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରସ୍ଥିତ ବସ୍ ଟର୍ମିନାଲରୁ ୪ଟି ରୁଟରେ ୫ଟି ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ୍ (ଏସି) ବସ୍ ଓ ୧୦ଟି ନନ୍ -ଏସି ବସ୍ ଚଳାଚଳ ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ମୋ ବସ୍ ଚଳାଚଳ ଉଦଘାଟନ ସହ ହଳଦିଆପଦର ଠାରେ ମୋ ବସ୍ ଟର୍ମିନାଲର ମଧ୍ୟ ଲୋକାର୍ପଣ କରିବେ। ସମସ୍ତ ୧୫ଟି ବସ୍ ହଳଦିଆପଦର ଠାରେ ପହଞ୍ଚି ସାରିଥିବା ବେଳେ ଉଦଘାଟନ କାର୍ଯ୍ୟକ୍ରମ ପାଇଁ କ୍ରୁଟ୍ (କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ) ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ସ୍ବଳ୍ପ ମୂଲ୍ୟରେ ଆରାମଦାୟକ ପରିବହନ ସେବା ଯୋଗାଉଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ଲକ୍ଷ୍ମୀ ବସ୍ ସେବା ଉପଲବ୍ଧ ଥିବା ବେଳେ ଜନବହୁଳ ସହରାଞ୍ଚଳରେ ସର୍ବସାଧାରଣ ବସ୍ ସେବାକୁ ଏଣିକି ତ୍ବରାନ୍ବିତ କରାଯାଉଛି। ବ୍ରହ୍ମପୁର ମହାନଗରରେ ପୂର୍ବରୁ ଗଟସଲ୍ (ଗଞ୍ଜାମ ଅର୍ବାନ୍ ଏରିଆ ଟ୍ରାନ୍ସପୋର୍ଟ ଲିମିଟେଡ୍) ନାମରେ ସିଟି ବସ୍ ଚଳାଚଳ କରୁଥିଲା। ବ୍ରହ୍ମପୁରରୁ ଗୋପାଳପୁର, ଛତ୍ରପୁର, ପୁରୁଷୋତ୍ତମପୁର ଆଦି ନିର୍ଦ୍ଦିଷ୍ଟ କେତେକ ରୁଟରେ ବସ୍ ଯାଆସ କରୁଥିଲା। ତେବେ ଲୋକଙ୍କ ଚାହିଦା ମେଣ୍ଟାଇବା ଦୃଷ୍ଟିରୁ ଆଉ କିଛି ଅଧିକ କରାଯିବାର ଆବଶ୍ୟକତା ରହିଥିଲା। ବିଶେଷ କରି ମହାନଗର ହିସାବରେ ଏଠାକୁ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶବିଦେଶରୁ ମଧ୍ୟ ଲୋକଙ୍କ ଚଳପ୍ରଚଳ ଥିବାରୁ ଅତ୍ୟାଧୁନିକ ଓ ଏସି ବସ୍ ଚଳାଚଳର ଆବଶ୍ୟକତା ଅନୁଭୂତ ହେଉଥିଲା।

ତେଣୁ ରାଜ୍ୟ ସରକାର ଗଟସଲ୍ ସ୍ଥାନରେ ରାଜଧାନୀରେ ସେବା ଯୋଗାଉଥିବା କ୍ରୁଟକୁ ନିୟୋଜିତ କରି ମୋ ବସ୍ ଚଳାଚଳ କରିବାକୁ ସ୍ଥିର କରିଥିଲେ। ସେହି ଦୃଷ୍ଟିରୁ ରୁଟ୍, ଷ୍ଟପେଜ୍, ଯାତ୍ରୀ ସୁବିଧା ଆଦି ସର୍ଭେ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ପରେ ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ନିୟମିତ ବସ୍ ଚଳାଚଳ କରିବ। ହଳଦିଆପଦର ବସ ଟର୍ମିନାଲରୁ ଅନ୍ଧପସରା ରୋଡ୍- ପୁରୁଣା ବ୍ରହ୍ମପୁର- ଫାଷ୍ଟଗେଟ୍, ସହର ମଧ୍ୟରେ ଥିବା ନୂଆ ବସଷ୍ଟାଣ୍ଡରୁ ଲୋଚାପଡା ରୋଡ୍ ଦେଇ ଗୁରୁଣ୍ଠି, ନୂଆ ବସଷ୍ଟାଣ୍ଡରୁ ସହରର ପ୍ରମୁଖ ଛକ ଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ନୂଆ ବସଷ୍ଟାଣ୍ଡରୁ ଆମ୍ବପୁଆକୁ ମୋ ବସ୍ ଗଡିବ। ଭବିଷ୍ୟତରେ ରୁଟ୍ ସଂଖ୍ୟା ଓ ବସ୍ ସଂଖ୍ୟା ବୃଦ୍ଧି ପାଇବ।

Comments are closed.