୧୦୦ତମ ମ୍ୟାଚରେ ଚମକିଲେ ଅଶ୍ବିନ, ଧର୍ମଶାଳା ଟେଷ୍ଟରେ ଇନିଂସ୍ ବିଜୟ ସହ ୪-୧ରେ ସିରିଜ୍ ଜିତିଲା ଭାରତ

ଧର୍ମଶାଳା: ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୬୪ ରନରେ ହରାଇଛି ଭାରତ । ମାତ୍ର ଅଢେ଼ଇ ଦିନରେ ଇଂଲଣ୍ଡକୁ ଧରାଶାୟୀ କରି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୪-୧ରେ ଜିତିନେଇଛି । ବିରାଟ କୋହଲି, କେଏଲ୍ ରାହୁଲ (ପ୍ରଥମ ଟେଷ୍ଟ ଛାଡ଼ି) ଓ ମହମ୍ମଦ ସାମିଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ବିନା ଖେଳିଥିବା ଭାରତ ପ୍ରଥମ ଟେଷ୍ଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଟେଷ୍ଟ ହାରିବା ସତ୍ତ୍ବେ ରୋହିତଙ୍କ ୟଙ୍ଗ୍ ବ୍ରିଗେଡ୍ ପରବର୍ତ୍ତୀ ୪ଟି ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଦଳର ଲଢ଼ୁଆ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି।

ଏଚପିସିଏ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା । ହେଲେ ଇଂଲଣ୍ଡ ବ୍ୟାଟର ଭାରତୀୟ ସ୍ପିନରଙ୍କ ଜାଲରେ ଫସି ଯାଇଥିଲେ । ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୧୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଅଧିନାୟକ ରୋହିତ ଓ ଗିଲଙ୍କ ଶତକ ବଳରେ ଭାରତ ୪୭୭ ରନ୍ କରିଥିଲା । ପ୍ରଥମ ଇନିଂସ୍ ଆଧାରରେ ୨୫୯ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଏହାପରେ ଇଂଲଣ୍ଡ ପକ୍ଷେ ପରାଜୟରୁ ବର୍ତ୍ତିବା କଷ୍ଟକର ହୋଇପଡ଼ିଥିଲା । ଦଳ ଦ୍ବିତୀୟ ଇନିଂସରେ କେବଳ ୧୯୫ ରନରେ ସୀମିତ ରହିଯାଇଥିଲା। ଭ୍ରମଣକାରୀ ଦଳ ତୃତୀୟ ଦିନର ଚା’ ପାନ ବିରତି ପୂର୍ବରୁ ହିଁ ଇନିଂସ ଓ ୬୪ ରନରେ ଲଜ୍ଜାଜନକ ପରାଜୟ ସହ ସରେଣ୍ଡର କରିଦେଇଥିଲା । ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୮୪ ରନ୍ କରିଥିଲେ ।

ରବିଚନ୍ଦ୍ରନ ଅଶ୍ୱିନ ଭାରତର ବିଜୟରେ ଅନ୍ୟତମ କର୍ଣ୍ଣଧାର ସାଜିଛନ୍ତି। ନିଜ ୧୦୦ତମ ଟେଷ୍ଟରେ ଏହି ଭେଟେରାନ ସ୍ପିନର ୯ ୱିକେଟ୍ ନେଇ ଏହାକୁ ସ୍ମରଣୀୟ କରିଛନ୍ତିି । ପ୍ରଥମ ଇନିଂସରେ ୪ ଓ୍ବିକେଟ୍ ନେଇଥିବା ଅଶ୍ବିନ ଦ୍ବିତୀୟ ଇନିଂସରେ ୫ ଓ୍ବିକେଟ୍ ହାସଲ ସହ ଭାରତର ବିଜୟ ସହଜ କରିଦେଇଥିଲେ । ଏହାଛଡା କୁଲଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜାଡେଜା ଗୋଟିଏ ଓ୍ବିକେଟ୍ ପାଇଥିଲେ । ମ୍ୟାଚରେ ୭ ଓ୍ବିକେଟ୍ ଓ ବ୍ୟାଟିଂରେ ଉପଯୋଗୀ ଅବଦାନ ପାଇଁ କୁଲଦୀପ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ‌। ସିରିଜରେ ଦୁଇଟି ଦ୍ୱିଶତକ ସହ ୭୧୨ ରନ୍ କରିଥିବା ଯୁବ ଓପନର୍ ଯଶସ୍ବୀ ଜୈସୱାଲ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଛନ୍ତି।

ଗତ ୧୨ ବର୍ଷରେ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ନ ହାରିବା ଧାରା ଜାରି ରଖିଛି । ଇଂଲଣ୍ଡ ବିପକ୍ଷ ଏହି ସଫଳତା ଘରୋଇ ମାଟିରେ ଭାରତର କ୍ରମାଗତ ୧୭ତମ ସିରିଜ୍ ବିଜୟ |

Comments are closed.