ଆଗାମୀ ଦଶ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ନିର୍ବାଚନ ପୂର୍ବରୁ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାର ସାଢେ ଚାରି କୋଟି ପରିବାରର ସେବା କରିବାକୁ ମନୋନୀତ ହୋଇଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟା ବିଧ୍ୱସ୍ତ ପଛୁଆ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ସେ କିଭଳି ଆହ୍ୱାନର
ସମ୍ମୁଖୀନ ହୋଇଥିଲେ, ସେ ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ବିକାଶର ପଥରେ ଫେରାଇ ଆଣିବା ବଡ ଆହ୍ବାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ସାଢ଼େ ୪ କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି ଓ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ମଡେଲର ଉଦାହରଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତ ୫ ବର୍ଷ ୫-ଟି ସିଦ୍ଧାନ୍ତ ଆଧାରିତ ରହିଛି । ଏହି ଅବଧିକୁ ଏକ ମାଇଲଖୁଣ୍ଟ, ଯାହାକି ଓଡ଼ିଶାକୁ ରୂପାନ୍ତରୀକରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି । ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି । ସ୍ୱଚ୍ଛ ପ୍ରଶାସନ ଓ ପ୍ରଯୁକ୍ତି ବିଦ୍ୟାର ଅଧିକ ଉପଯୋଗ ମାଧ୍ୟମରେ ଆମ ଟିମ୍ ଖୁବ୍ କମ ସମୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭବିଷ୍ୟତ ଉଜ୍ଜଳ । ଆମେ ୨୦୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉ ଆମେ ଚାହୁଁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦଶନ୍ଧି ହେଉଛି ଯୁବଗୋଷ୍ଠୀଙ୍କ ଦଶନ୍ଧି । ଯୁବବର୍ଗଙ୍କ ମହତ୍ତ୍ୱ।କାଂକ୍ଷାଙ୍କୁ ଗୁରୁତ୍ୱ ଦେଇ ସର୍ବୋକୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କୁ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ପ ପଡ଼ିବ। ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ । ଏଭଳି ଏକ ରାଜ୍ୟ ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ। ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ତାଙ୍କୁ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ଏକ ସଶକ୍ତ ଓଡ଼ିଶାର ଆରମ୍ଭ କରିବୁ ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ- ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.