ସରଫରାଜ, ଜୁରେଲଙ୍କୁ ମିଳିଲା ବିସିସିଆଇ କେନ୍ଦ୍ରୀୟ ଚୁକ୍ତି

ନୂଆଦିଲ୍ଲୀ: ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି । ଉଭୟ ଖେଳାଳି ଗ୍ରୁପ୍ ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ସାମିଲ ଖେଳାଳି ବାର୍ଷିକ ୧ କୋଟି ଟଙ୍କା ପାଉଣା ପାଇଥାନ୍ତି।

ଜୁରେଲ ଓ ସରଫରାଜ ଚଳିତ ସିଜନରେ ତିନୋଟି ଟେଷ୍ଟ ଖେଳିବା ମାନଦଣ୍ଡ ପୂରଣ କରିଛନ୍ତିି । ତେଣୁ ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବାକୁ ସୋମବାର ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ମଞ୍ଜୁରି ମିଳିଥିଲା ।

ଏହାଛଡ଼ା ବିସିସିଆଇ ପରବର୍ତ୍ତୀ ରଣଜୀ ଟ୍ରଫି କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଡିସେମ୍ବର ଏବଂ ଜାନୁୟାରୀ ମାସରେ ବିସିସିଆଇ ଉତ୍ତର ଭାରତରେ କୌଣସି ମ୍ୟାଚ୍ ଆୟୋଜନ କରିବ ନାହିଁ । କାରଣ ଉତ୍ତର ଭାରତରେ କୁହୁଡ଼ି ଓ ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି ।

ସମ୍ପୂର୍ଣ୍ଣ ଘରୋଇ କ୍ୟାଲେଣ୍ଡର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ତେବେ ବିସିସିଆଇ ଆପେକ୍ସ କାଉନସିଲ୍ ୨୦୨୪-୨୫ ପାଇଁ ଅସ୍ଥାୟୀ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲା ଯାହା ବୈଠକ ଏଜେଣ୍ଡାର ଏକ ପ୍ରମୁଖ ଅଂଶ ଥିଲା ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ ଘରୋଇ କ୍ରିକେଟ୍ କ୍ୟାଲେଣ୍ଡର ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ପୂର୍ବ ବର୍ଷ ପରି ସୟଦ ମୁସ୍ତାକ ଅଲି ଟ୍ରଫି ପରେ ଅକ୍ଟୋବର ମଝି କିମ୍ବା ଶେଷ ଆଡ଼କୁ ରଣଜୀ ଟ୍ରଫି ଆରମ୍ଭ ହୋଇପାରେ।

Comments are closed.