ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ସମ୍ପର୍ଣ୍ଣ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି

ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ପାଳିତ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି । ଶ୍ରୀମନ୍ଦିର ରେ ଦ୍ୱୀପହର ଧୂପ ବଢିବା ପରେ ଦକ୍ଷିଣ ଘରୁ ଶ୍ରୀଦୋଳଗୋବିନ୍ଦ ରତ୍ନ ସିଂହାସନ କୁ ବିଜେ କରିଥିଲେ। ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଙ୍କ ସହ ମଣି ବିମାନରେ ଆରୁଢ଼ ହୋଇଥିଲେ।

ଏହାପରେ ଶ୍ରୀଦୋଳଗୋବିନ୍ଦ ବେଣ୍ଟ ନୀତି ସମ୍ପାଦନ ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ଘଣ୍ଟ ଛତା ଓ କୀର୍ତ୍ତନ ସହିତ ପବିତ୍ର ବଡ଼ଦାଣ୍ଡ ଦେଇ ଚଳନ୍ତି ବିଗ୍ରହ ନରେନ୍ଦ୍ର ଚକଡାରେ ବିଜେ କରିଥିଲେ। ପଞ୍ଚପଚାର ପୁଜା ସହିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପ୍ରଦତ୍ତ ପନ୍ତିଭୋଗ ବଢିବା ପରେ ମୁଦିରସ୍ତ ଶ୍ରୀଦୋଳଗୋବିନ୍ଦ ଙ୍କୁ ନୂତନ ଧନୁ ଓ ତୀର ଲାଗି କରିଥିଲେ।

ପୂର୍ବରୁ ନରେନ୍ଦ୍ର ପୁଷ୍କରିଣୀ କୂଳରେ ପାଇକ ସେବକ ସାତୋଟି ନାଶୀଲଗା ପଇଡ଼ କ୍ରମନ୍ଵୟରେ ବାଲି ଚକଡ଼ା କରି ରଖିଥିଲେ। ପ୍ରଭୁଙ୍କୁ ଲାଗି ହୋଇଥିବା ନୂତନ ଧନୁ ଓ ତୀରରେ ପାଇକ ସେବକ ଉକ୍ତ ପଇଡ଼ ଗୁଡିକୁ ପ୍ରତୀକାତ୍ମକ ଭାବରେ ତୀର ବିଦ୍ଧ କରିଥିଲେ। ଏହାପରେ ମୁଦିରସ୍ତ ସେବକ ପଭୁଙ୍କୁ କର୍ପୂର ଆଳତି ଓ ବନ୍ଦାପନା କରିବା ପରେ ଶ୍ରୀଜୀଉମାନେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ।

ଏହିସମୟରେ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଧୂମଧାମରେ ବାଣ ଫୁଟାଯାଇ ପ୍ରଭୁଂକୁ ସ୍ୱାଗତ କରାଯାଇଥିଲା।

ବାସ୍ତବରେ ଏହି ବେଣ୍ଟ ନୀତି ହେଉଛି ଏକ ରାଜକୀୟ ବା ରାଜନୀତି। ଶ୍ରୀଜଗନ୍ନାଥ ମହାପ୍ରଭୁ ସମସ୍ତ ରାଜା ମାନଙ୍କ ରାଜା ହୋଇଥିବାରୁ ରାଜଧର୍ମ ଭାବରେ ମୃଗୟା କରିବାକୁ ଆସିଥାନ୍ତି। ଅନ୍ୟ ବେଣ୍ଟ ନୀତିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୋଖରୀକୁ ବିଜେ କରୁଥିବା ବେଳେ ବର୍ଷରେ ଏହି ଗୋଟିଏ ଦିନ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଙ୍କ ସହ ନରେନ୍ଦ୍ର ପୁଷ୍କରିଣୀ କୁ ବିଜେ କରିଥାନ୍ତି।

Comments are closed.