ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ମୃତ

ଇସଲାମାବାଦ: ପାକିସ୍ତାନରେ ଖାଇବର ପଖତୁନଖ୍ବା ପ୍ରଦେଶର ଗାଲା ଜିଲ୍ଲାର ବେଶାମ ସହରରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ପାଞ୍ଚ ଚୀନ୍ ନାଗରିକଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ ଇଞ୍ଜିନିୟରଙ୍କ ଗାଡ଼ିକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନାରୁ ଜଣାପଡିଛି । ଆତ୍ମଘାତୀ ଜଣକ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ଚୀନୀ ନାଗରିକଙ୍କୁ ନେଇ ଯାଉଥିବା ବସକୁ ପିଟି ଦେଇଥିଲା ବୋଲି ପୋଲିସ କହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରକ ଭର୍ତ୍ତି ଗାଡ଼ି ଯେଉଁ ବସକୁ ଧକ୍କା ଦେଇଥିଲା, ସେଥିରେ ଚୀନର କିଛି ଇଞ୍ଜିନିୟର ଥିଲେ । ସେମାନେ ଇସଲାମାବାଦରୁ ଖାଇବର ପଖତୁନଖ୍ବା ପ୍ରଦେଶର ଦାସୁକୁ ଯାଉଥିଲେ ଯେଉଁଠାରେ ଏକ ଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଆକ୍ରମଣରେ ପାଞ୍ଚ ଜଣ ଚୀନ୍ ନାଗରିକଙ୍କ ଓ ସେମାନଙ୍କ ଗାଡ଼ିର ପାକିସ୍ତାନୀ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଦାସୁ ଏକ ପ୍ରମୁଖ ଡ୍ୟାମର ସ୍ଥାନ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ହୋଇଛି । ୨୦୨୧ରେ ଏକ ବସ୍‌ରେ ବିସ୍ଫୋରଣ ହେବାରୁ ୯ ଜଣ ଚୀନ୍ ନାଗରିକଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମଙ୍ଗଳବାର ପାକ୍ ନୌସେନା ଏୟାରବେସ ଉପରେ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣର କିଛି ଘଣ୍ଟା ପରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି । ନୌସେନା ଏୟାରବେସ ଉପରେ ଆକ୍ରମଣରେ ଅତି କମରେ ଜଣେ ସୈନିକ ନିହତ ହୋଇଥିଲେ।

Comments are closed.