ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ଵୟ ବୈଠକ : ଯାଞ୍ଚ ଓ ଚଢାଉକୁ କଡାକଡି କରିବା ଉପରେ ଗୁରୁତ୍ବ

ଭୁବନେଶ୍ୱର – ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ଵୟ ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ବିଭିନ୍ନ ଯାଞ୍ଚ ଓ ଚଢଉ ଦାୟିତ୍ବରେ ଥ‌ିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଞ୍ଚ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା , ନିର୍ବାଚନ ଆଦର୍ଶ ଆଚରଣ ବିଧ‌ିକୁ କଡାକଡ଼ି ଅନୁପାଳନ କରାଯିବା ନେଇ ଗଠିତ ରାଜ୍ୟସ୍ତରୀୟ କମିଟିର ସଭ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥ‌ିବା ଯାଞ୍ଚ ଓ ଚଢଉ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ , ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ , ଜିଏସଟି କମିଶନର , ରାଜ୍ୟ ପୋଲିସ ମହ ନିର୍ଦ୍ଦେଶକ , ପରିବହନ ବିଭାଗ କମିଶନର , ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ , ଓଡିଶା ପ୍ରମୁଖ ସଦସ୍ୟମାନେ ଯୋଗଦେଇଥିଲେ ।

ବୈଠକରେ ପୋଲିସ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି , ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଅନୁପ୍ରବେଶକାରୀ ଏବଂ ଉଗ୍ରବାଦୀ କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ଅପରାଧିକ ମାମଲାରେ ପୋଲିସ ତରଫରୁ ଅଦ୍ୟାବଧୂ କାର୍ଯ୍ୟନୁଷ୍ଠାନ , ନିର୍ବାଚନ ଘୋଷଣା ପରଠାରୁ ଅସ୍ତ୍ରଶସ୍ତ୍ର , ଗୋଳାବାରୁଦ ଇତ୍ୟାଦି ଜବତ , ମଦ ଓ ନିଶାଦ୍ରବ୍ୟ ମାମଲାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ବିଭିନ୍ନ ଜିଲ୍ଲାରେ ପୋଲିସ୍ ମୁତୟନ , ଆନ୍ତଃରାଜ୍ୟ ସୀମାରେ ପୋଲିସ ଚେକ୍ ପୋଷ୍ଟ , ଅବକାରୀ ଚେକ୍ ପୋଷ୍ଟ , ଜଙ୍ଗଲ ବିଭାଗ ଚେକ୍ ପୋଷ୍ଟ ଆଦିରେ କଡ଼ାକଡ଼ି ନଜର ରଖାଯିବା , ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଅନୁପ୍ରବେଶକାରୀ , ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ ନଗଦ ଟଙ୍କା କାରବାର ଉପରେ କଡ଼ା ନଜର ରଖିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି କଡାକଡି ଅନୁପାଳନ ପାଇଁ ସଂପୃକ୍ତ ପୋଲିସ ପ୍ରଶାସନ , ଅବକାରୀ ବିଭାଗ , ଜଙ୍ଗଲ ବିଭାଗ , ବାଣିଜ୍ୟ ଓ ପରିବହନ ବିଭାଗ ଆଦି ବିଭିନ୍ନ ବିଭାଗରେ ମୁଖ୍ୟମାନଙ୍କୁ ସମନ୍ଵୟ ରଖି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ବେଆଇନ ମାଦକ ଦ୍ରବ୍ୟ ଜବତ ସଂପର୍କରେ ଅବକାରୀ ବିଭାଗ ତରଫରୁ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ସୂଚନା ପ୍ରଦାନ କରିଥିଲେ । ସେହିପରି ଜିଏସ୍‌ଟି କମିଶନର ଦ୍ରବ୍ୟ ଓ ସେବାକର ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଏ ସଂପର୍କରେ ନିୟମିତ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ ନିୟମିତ ଅନୁଷ୍ଠିତ ହେଉଥ‌ିବା , ବାଣିଜ୍ୟ ଓ ପରିବହନ ବିଭାଗ ସମନ୍ଵୟରେ ମିଳିତ ଚଢଉ କରାଯାଇଥିବା ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ ।

Comments are closed.