ମା’ ତାରାତାରିଣୀଙ୍କ ଅଶୋକାଷ୍ଟମୀ ପୂଜା, ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ପୂଜା

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ, ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଆଜି ଚୈତ୍ର ମାସ ବାସନ୍ତୀକ ପର୍ବର ଅଶୋକାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ଚତୁର୍ଥ ପାଳି ମଧ୍ୟ ହୋଇଥିଲା। ଏକକାଳୀନ ଦୁଇଟି ଉତ୍ସବ ହେଉଥିବାରୁ ମନ୍ଦିର ପରିସର ବେଶ୍ ଚଳଚଞ୍ଚଳ ଥିଲା। ଭକ୍ତମାନେ ଦେବୀଙ୍କ ମହିଷାମର୍ଦ୍ଦିନୀ ବେଶ ଦର୍ଶନ କରିବା ସହ ପରିବାର ମଙ୍ଗଳକାମନା କରିଥିଲେ।

ମା’ ତାରାତାରିଣୀଙ୍କ ମନ୍ଦିରରେ ବାସନ୍ତୀକ ପର୍ବ ତଥା ଅଶୋକାଷ୍ଟମୀ ପୂଜା ସକାଶେ ବିଭିନ୍ନ ରୀତିନୀତି ପାଳନ ପୂର୍ବକ ପୂଜା ପାଠ ସାଙ୍ଗକୁ ଘୃତ ଯଜ୍ଞ ଓ ଚଣ୍ଡୀ ପାଠ କରାଯାଇଥିଲା। ମଧ୍ୟ ରାତ୍ରରେ ମହାଦୀପ ପ୍ରଜ୍ବଳନ କରାଯାଇଥିଲା। ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ମନ୍ଦିର ବେଢ଼ା ପରିକ୍ରମା କରି ୨୧ ପାହାଚ ଅତିକ୍ରମ କରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ରତ୍ନ ସିଂହାସନରେ ବିଜେ କରିଥିଲେ। ଅପରପକ୍ଷରେ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ବେ ଚୈତ୍ର ଚତୁର୍ଥ ପାଳି ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଚୈତ୍ର ମାସରେ ପାଞ୍ଚ ପାଳି ପଡୁଛି। ତଥାପି ଚତୁର୍ଥ ପାଳି ମଙ୍ଗଳବାର ଯାତ୍ରାରେ ଅସଂଖ୍ୟ ଭକ୍ତ ଜୁଟିଥିଲେ। ଭୋର ତିନିଟାରୁ ମନ୍ଦିର ରୀତିନୀତି ସମାପନ କରାଯାଇ ଭୋରରେ ସର୍ବସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥିଲା। ଅପରାହ୍ନ ତିନିଟା ପଯ୍ୟନ୍ତ ଭକ୍ତଙ୍କ ସମାଗମ ଲାଗି ରହିଥିଲା। ବିଶେଷ କରି ଅଶୋକାଷ୍ଟମୀ ପୂଜା ସକାଶେ ସନ୍ଧ୍ୟାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଭକ୍ତଙ୍କ ନାହଁ ନଥିବା ଭିଡ଼ ଜମିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ତଥା ବ୍ଲକ୍ ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କର୍ତ୍ତା ଭାବେ ସେବାୟତ ମୁଖ୍ୟ ତପନ କୁମାର ରଣା, ମୁଖ୍ୟ ପୁରୋହିତ ସୀମାଞ୍ଚଳ ଦାଶ ଶର୍ମା ଦାୟିତ୍ଵ ବହନ କରିଥିଲେ। ଏଥିରେ ମନ୍ଦିରର ସମସ୍ତ ସେବାୟତ ପୂର୍ଣ୍ଣ ସହଯୋଗ କରୁଛନ୍ତି।

Comments are closed.