ସମ୍ବଲପୁରରେ ନବୀନଙ୍କ ପ୍ରଚାର: କେନ୍ଦ୍ରକୁ କଡା ସମାଲୋଚନା, ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ୍‌ଙ୍କ ପ୍ରଶ୍ନବାଣ 

ସମ୍ୱଲପୁର ; ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତିବଦ୍ଧ । ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବାବେଳେ ତୃଣମୂଳସ୍ତରରେ ମଧ୍ୟ ଏହା ପ୍ରତିଫଳିତ ହେଉଛି । ୫ଟି ଉପକ୍ରମରେ ଅଭୁତପୂର୍ବ ଋପାନ୍ତରଣ ଘଟି ଆଗାମୀ ଦିନରେ ସମ୍ବଲପୁର ବିକାଶର ଶ୍ରେଷ୍ଠ ସୋପାନକୁ ଛୁଇଁବ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ହେଉକି ଐତିହ, ପର୍ଯ୍ୟଟନରେ ଋପାନ୍ତରଣର ସ୍ପର୍ଶ । ସମସ୍ତ କ୍ଷେତ୍ରରେ ପ୍ରଗତି ପଥେ ଆଗକୁ ବଢୁଛି ସମ୍ବଲପୁର । ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଜଣେ ଲଢୁଆ, ଟାଣୁଆ ନେତା ସମ୍ବଲପୁରରେ ବିକାଶର ମଙ୍ଗ ଧରିବେ ବୋଲି ମତପ୍ରକାଶ ପାଇଛି ।
ନିର୍ବାଚନକୁ ଆଉ କିଛିଦିନ ବାକି ରହିଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମ୍ବଲପୁର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ତଥା ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଦିନ ସମ୍ବଲପୁର ଏବଂ ନାକଟିଦେଉଳରେ ପ୍ରଚାର କରିଛନ୍ତି । ଏହି ଅବସରରେ ଅଇଁଠାପାଲି ସ୍ଥିତ ପିଏଚଡି ପଡିଆରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଥିଲା । ନିଜର ପ୍ରିୟ ନେତାଙ୍କୁ ଦେଖିବାକୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଅଇଁଠାପାଲି ପିଏଚଡି ପଡିଆରେ ପହଞ୍ଚି ଜନସଭାକୁ ସମ୍ବୋଧନ କରିଥିଲେ । ମା ସମଲେଙ୍କ ଜୟନାମ ନେଇ କହିବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସମଲେଇ  ପ୍ରକଳ୍ପ ଭଲ କି ବୋଲି ଉପସ୍ଥିତ ଜନତାଙ୍କ ଠାରୁ ମତାମତ ଲୋଡିଥିଲେ । ସେହିଭଳି ବିଏସକେୱାଇ ଯୋଜନା, ମମତା ଯୋଜନା, ୫ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ଭଲକି ବୋଲି ପଚାରିଥିଲେ । ବିରୋଧୀ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ । ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।
ମଞ୍ଚ ଉପରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ସ୍ୱରରେ ସିଧାସଳଖ ଟାର୍ଗେଟ କରିଥିଲେ ୫ଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରର ପରିଚୟ ହେଉଛି ସମ୍ବଲପୁରୀ ଭାଷା । ଏହି ଭାଷା ର ଉନ୍ନତି ପାଇଁ ଧର୍ମେନ୍ଦ୍ର ପ୍ରଧାନ କଣ କରିଛନ୍ତି ବୋଲି ପ୍ରଥମ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବାକୁ ବାରମ୍ବାର ଚିଠି ଲେଖିଥିବାବେଳେ କେନ୍ଦ୍ର ସରକାର କାହିଁକି ଏଥିପ୍ରତି ବିଚାର କଲେ ନାହିଁ ବୋଲି ପଚାରିଥିଲେ । ସେହିଭଳି ସମ୍ବଲପୁରୀ କପଡାର ପରିଚୟ ପାଇଁ କଣ କରିଛନ୍ତି ? ସମ୍ବଲପୁରୀ ବୁଣାକାର ଭାଇଭଉଣୀଙ୍କ ପାଇଁ କଣ କରିଛନ୍ତି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ କଳାକୃତିକୁ ବେଶ ଭଲପାଆନ୍ତି । ତେଣୁକରି ରାଜ୍ୟ କୃଷି ଭବନକୁ ସେ ସମ୍ବଲପୁରୀ କଳାକୃତିରେ ସଜାଇ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆଜି ସମଗ୍ର ବିଶ୍ୱରେ ୧ ନମ୍ବର ବିଲ୍ଡିଂ ଭାବରେ ମାନ୍ୟତା ପାଇଛି ।  ସେହିଭଳି ଏ ଅଞ୍ଚଳର ପରିଚୟ ଏଠାକାର ବରପୁତ୍ରମାନେ । ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗଧର ମେହେର, ସନ୍ଥକବି ଭୀମଭୋଇ, ପାର୍ବତିଗିରୀ ଦେବୀ । ଏମାନଙ୍କ  ସ୍ମୃତିରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ମହାନଦୀ ଏ ଅଞ୍ଚଳର ଜୀବନଧାରା । ଏ ଅଞ୍ଚଳର ଲୋକେ ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ସ୍ୱାଭିମାନ କଥା କହୁଥିବା ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ ସାଙ୍ଗରେ ଠିଆହୋଇ ରାଜନୀତି କରିଛନ୍ତି । ସମଲେଇ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା । ମା ସମଲେଇଙ୍କ ଉନ୍ନତି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇଥିଲେ । ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲେ । କିନ୍ତୁ ଆପଣଙ୍କ ସାଙ୍ଗରେ ଥିବା ପ୍ରଣବ ପ୍ରକାଶ ଦାସ ଦିନରାତି ଏକ କରି ଏହି ପ୍ରକଳ୍ପ କାମକୁ ସମ୍ପୁର୍ଣ୍ଣ କରିଛନ୍ତି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ । ଗ୍ରାମାଞ୍ଚଳର ଗରୀବ, ନିରୀହ ଲୋକ ଯେଉଁମାନେ ଜଙ୍ଗଲକୁ ଯାଇ‌ କେନ୍ଦୁପତ୍ର ତୋଳି ପେଟ ପୋଷୁଛନ୍ତି । ସେମାନଙ୍କ ଠାରୁ ଜିଏସଟି ନେଲା ସମୟରେ ଆପଣଙ୍କୁ ଦୁଃଖ ଲାଗୁନି କି ବୋଲି ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । ବରଗଡ ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ମାତ୍ର ତିନିବର୍ଷରେ ସମ୍ପୁର୍ଣ୍ଣ ହୋଇଥିବାବେଳେ ସମ୍ବଲପୁର ରୁ କଟକ ସଂଯୋଗ କରୁଥିବା ଏନଏଚ-୫୫ କେବେ ସମ୍ପୁର୍ଣ୍ଣ ହେବ ବୋଲି ପଚାରିଥିଲେ । ଏମସିଏଲ କମ୍ପାନୀ ପ୍ରତିବର୍ଷ ଏଞ୍ଚଳରୁ ୨୨ ହଜାର କୋଟି ଟଙ୍କା ଲାଭ କରୁଛି । ପ୍ରତିବଦଳରେ ଦେଉଛି କଣ ଧୁଆଁ ଓ ପ୍ରଦୂଷଣ । ମୁଖ୍ୟମନ୍ତ୍ରୀ ୫ ଟି ସ୍କୁଲ ମାଧ୍ୟମରେ ଋପାନ୍ତରଣ କରିଛନ୍ତି । କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ପ୍ରଧାନ କେତୋଟି ସ୍କୁଲ ନିର୍ମାଣ କରିଛନ୍ତି ? ସେହିଭଳି ଧାନର ଏମଏସପି ବୃଦ୍ଧି, ଗ୍ୟାସ ଦରବୃଦ୍ଧି, କୃଷିବୀମା, ଦକ୍ଷତା ବୃଦ୍ଧି ଏଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଯଦି ସାହାସ ଅଛି ତାହେଲେ ଆଜି ସନ୍ଧ୍ୟା ସୁଦ୍ଧା ମୋ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସଭା କାର୍ଯ୍ୟ ସମୟରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ରେଙ୍ଗାଲି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ ଓ ରେଢାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Comments are closed.