୫ ଲୋକସଭା, ୩୫ ବିଧାନସଭା ଆସନରେ ମତଦାନ ଆରମ୍ଭ, ୩୦୫ ପ୍ରାର୍ଥୀଙ୍କ ଫଇସଲା କରିବେ ୭୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର

ଭୁବନେଶ୍ୱର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୫ଟି ଲୋକସଭା ଆସନ ଓ ଏସବୁ ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନ ରଣାଙ୍ଗନରେ ଅଛନ୍ତି ମୋଟ ୩୦୫ ଜଣ ପ୍ରାର୍ଥୀ। ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସ୍କା ଲୋକସଭା ଆସନରେ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩୫ ବିଧାନସଭା ଆସନରେ ଲଢୁଛନ୍ତି ୨୬୫ ପ୍ରାର୍ଥୀ। ୭୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ।

ଏହିଷପର୍ଯ୍ୟାୟରେ ୧୩ ଜଣ ହେଭିୱେଟ ପ୍ରାର୍ଥୀଙ୍କ ଉପରେ ନଜର ରହିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ଟି ଆସନ ହିଞ୍ଜିିଳି ଓ କଣ୍ଟାବାଞ୍ଜିରେ ଆଜି ଭୋଟ ଗ୍ରହଣ ହେଉଛି ।

ଏହି ପର୍ଯ୍ୟାୟରେ ମତଦାନ ପାଇଁ ମୋଟ ୯ ହଜାର ୧୬୨ଟି ବୁଥ ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରୁ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରୁଛନ୍ତି। ୧୫୪୧ ଆଦର୍ଶ ବୁଥ ମଧ୍ୟ କରାଯାଇଛି। ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି।

ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୨୨, ଗଞ୍ଜାମ ଜିଲ୍ଲାରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଆସନ – ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଲୋକସଭା ଆସନ ଓ ୨୮ ବିଧାନସଭା ଆସନରେ ମତଦାନ ହୋଇଥିଲା। ଭୋଟ୍ ପ୍ରତିଶତ ହାର ୭୪ ପ୍ରତିଶତରୁ ଅଧିକ ରହିଥିଲା ।

ରାଜ୍ୟରେ ଏହି ମାସ ୨୫ରେ ତୃତୀୟ ଓ ଜୁନ ପହିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ ।

Comments are closed.