କଡ଼ା ସୁରକ୍ଷା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ବିଭିନ୍ନ ପାହ୍ୟାର ୩୩ ହଜାର ପୋଲିସ କର୍ମଚାରୀ ମୁତୟନ

ଭୁବନେଶ୍ୱର – ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ମତଦାନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାଜ୍ୟର କୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଅରୁଣ ଷଡଙ୍ଗୀ କହିଛନ୍ତି। ଏହାସହ ରାଜନୈତିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରାଯାଇ ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରାଯିବା ସହ ଦୋଷୀ ସାବ୍ୟସ୍ତ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି ।

ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ପୋଲିସ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛନ୍ତି ବୋଲି ଡିଜିପି କହିଛନ୍ତି I ରାଜନୈତିକ ହିଂସାକାଣ୍ଡ ସମ୍ପର୍କରେ କୌଣସି ଆଭାସ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଦ୍ଵିତୀୟ ପର୍ଯ୍ୟାୟ ମତଗ୍ରହଣ ପାଇଁ ୧୧ ପୋଲିସ ଜିଲ୍ଲାରେ ୭୩୩୯ ସ୍ଥାନରେ ୯୧୬୨ ମତଦାନ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୫୫୬ଟି ବୁଥ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୩ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି ଯେଉଁଥିରେ ୧୦୨ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୬୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୭ ଜଣ ଅତିରିକ୍ତ ଏସପି, ୮୮ ଡିଏସପି, ୨୩୬ ଇନ୍ସପେକ୍ଟର, ୨୦୦୦ ଏସଆଇ/ ଏଏସଆଇ ସହ ୧୧୮୦୦ କନଷ୍ଟେବଳ/ ହାବିଲଦାର, ୫୮୦୦ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଆଜି ନିର୍ବାଚନ ହେଉଥିବା ୧୧ ପୋଲିସ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲାରେ ମାଓ ଗତିବିଧି ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଜିପି କହିଥିଲେ । ଗତ ୪ ମାସ ମଧ୍ୟରେ ୪ ଟି ଜିଲ୍ଲାରେ ୫୪୯ଟି ନକ୍ସଲ ବିରୋଧୀ ଅଭିଯାନ କରାଯାଇଛି । ନିର୍ବାଚନ ଲାଗି ସିଏପିଏଫର ୧୧୭ଟି ଅପରେସନ ପାର୍ଟି ଓ ୩୮ ୟୁନିଟ ଏସଓଜି ଓ ଡିଭିଏଫ ଜଙ୍ଗଲରେ ମାଓ ଅପରେସନ ଚଳାଇଛନ୍ତି । ଛତିଶଗଡ଼ର ୪ଟି ସୀମାବର୍ତ୍ତୀ ସ୍ଥାନରେ ଅପରେସନ ଚାଲିଛି । ମାଓ ଇଲାକାରେ ନିର୍ବାଚନ ଥିବା ସ୍ଥାନରେ ଅତିରିକ୍ତ ଡିଜି ଅପରେସନ ଦେବଦତ୍ତ ସିଂ ଅବସ୍ଥାନ କରି ସ୍ଵତନ୍ତ୍ର ନଜର ରଖିଛନ୍ତି ବୋଲି ଡିଜିପି କହିଥିଲେ ।

ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ପୋଲିସ ଜିଲ୍ଲାରେ ୧୪୧ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୧୧ ଜିଲ୍ଲାରେ ୨୫୭ ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ରହିଛନ୍ତି । ଏହାବ୍ୟତୀତ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୧୧ଟି ଜିଲ୍ଲାରେ ୧୮ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Comments are closed.