ଆରସିବିର ଟ୍ରଫି ସ୍ବପ୍ନ ପୁଣି ଅଧୁରା, ରାଜସ୍ଥାନ-ସନରାଇଜର୍ସ ଦ୍ବିତୀୟ କ୍ବାଲିଫାୟର

ଅହମ୍ମଦାବାଦ: ରାଜସ୍ଥାନ ରୟାଲ୍ସ ବୁଧବାର ଏଠାରେ ଆଇପିଏଲ୍ ଏଲିମିନେଟର ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ୱିକେଟରେ ହରାଇ ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି। ମେ ୨୪ରେ ଚେନ୍ନାଇରେ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ବାଲିଫାୟରରେ ରାଜସ୍ଥାନର ମୁକିବିଲା ସନରାଇଜର୍ସ ହାଇଦ୍ରାବାଦ ସହ ହେବ। ଅନ୍ୟପକ୍ଷରେ ଏଲିମିନେଟରରେ ହାରି ଆରସିବି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଦଳର ଟ୍ରଫି ସ୍ବପ୍ନ ପୁଣି ଅଧୁରା ରହିଯାଇଛି।

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ରୟାଲ୍ସ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ବଡ଼ ସ୍କୋର୍ କରିବାରୁ ରୋକିଥିଲା । ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ କରିପାରିଥିଲା।

ଏହି ବିଜୟଲକ୍ଷ୍ୟ ଜବାବରେ ଓପନର ଯଶସ୍ବୀ ଜୈସୱାଲ (୪୫ ରନ୍) ଏବଂ ରିୟାନ୍ ପରାଗ (୩୬) ଙ୍କ ଇନିଂସ୍ ପରେ ସିମ୍ରନ୍ ହିଟମାୟର (୨୬ ରନ୍) ଏବଂ ରୋଭମାନ ପାଓ୍ବେଲ (୧୬ ନଟ୍ ଆଉଟ୍) ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ବଳରେ ୨୦୦୮ ପ୍ରଥମ ସିଜନର ଚାମ୍ପିୟନ ୧୯ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଆରସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ରଜତ ପାଟିଦାର ସର୍ବାଧିକ ୩୪ ରନ୍ କରିଥିଲେ। ବିରାଟ କୋହଲି ୩୩ ଓ ମାହିପାଲ ଲୋମ୍ରର ୩୨ ରନ୍ କରିଥିଲେ। ରାଜସ୍ଥାନ ତରଫରୁ ଆବେଶ ଖାନ ୩ଟି ଓ୍ବିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ୍ ପାଇଥିଲେ।

Comments are closed.