ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀ ମୁତୟନ 

ଭୁବନେଶ୍ୱର – ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା , ଅବାଧ , ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯାଉଛି । ସେଥିପାଇଁ ୧୨ ପୋଲିସ ଜିଲ୍ଲାରେ ୭୬୪୬ ସ୍ଥାନରେ ୧୦୫୫୧ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖୁ ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି । ଯେଉଁଥିରେ ୧୨୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୧୦୬ ପ୍ଲାଟୁନ ଆର୍ମଡ ପୋଲିସ ଫୋର୍ସ ଅଛନ୍ତି । ୪୩ ଜଣ ଅତିରିକ୍ତ ଏସପି , ୯୫ ଡିଏସପି , ୨୩୮ ଇନ୍ସପେକ୍ଟର , ୨୧୬୦ ଏସଆଇ / ଏଏସଆଇ ସହ ୧୦୨୧୨ କନଷ୍ଟେବଳ / ହାବିଲଦାର , ୭୧୧୭ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ସେହିପରି ୭୬୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ଯ ନିର୍ବାଚନକୁ ତତ୍ତ୍ୱାବଧାନ କରିବେ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୨ ପୋଲିସ ଜିଲ୍ଲାରେ ୧୩୩ଟି ଚେକପୋଷ୍ଟ ରହିଛି ।

ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୧୨ ଜିଲ୍ଲାରେ ୩୩୧ ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ରହିଛନ୍ତି । ଏହାବ୍ୟତୀତ ୩୪୩ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୧୨ଟି ଜିଲ୍ଲାରେ ୨୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ ।

Comments are closed.