ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୫୮ ଆସନରେ ଚାଲିଛି ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶନିବାର (ମେ ୨୫) ଆରମ୍ଭ ହୋଇଛି । ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୫୮ ଆସନରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି।

ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ୭ଟି ଆସନ ବ୍ୟତୀତ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର ଏବଂ ପଶ୍ଚିମବଙ୍ଗର ୮-୮, ଓଡ଼ିଶାର ୬, ଝାଡ଼ଖଣ୍ଡର ୪, ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହେବ। ଏହାଛଡ଼ା ଓଡ଼ିଶାର ୪୨ଟି ବିଧାନସଭା ଆସନରେ ମଧ୍ୟ ଶନିବାର ଭୋଟ୍ ଗ୍ରହଣ ହେବ।

ଏହି ପର୍ଯ୍ୟାୟରେ ତିନି କେନ୍ଦ୍ର ମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ, କୃଷ୍ଣ ପାଲ ସିଂ ଗୁର୍ଜାର ଏବଂ ରାଓ ଇନ୍ଦରଜିତ ସିଂ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହାଛଡ଼ା ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ମନୋହର ଲାଲ ଖଟ୍ଟର ଏବଂ ଜଗଦମ୍ବିକା ପାଲ ମଧ୍ୟ ଏହି ପର୍ଯ୍ୟାୟରେ ଲଢ଼ୁଛନ୍ତି। ଏମାନଙ୍କ ବ୍ୟତୀତ ମନୋଜ ତିୱାରୀ, ମେନକା ଗାନ୍ଧୀ, ନବୀନ ଜିନ୍ଦଲ, ବାଂସୁରୀ ସ୍ୱରାଜ, ସମ୍ବିତ ପାତ୍ର, ରାଜ ବବର ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଷଷ୍ଠ ପର୍ଯ୍ୟାୟରେ ୮୮୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୯୭ ଜଣ ପୁରୁଷ ଏବଂ ୯୨ ଜଣ ମହିଳା ପ୍ରାର୍ଥୀ।

ଷଷ୍ଠ ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ହରିୟାଣାର କୁରୁକ୍ଷେତ୍ର ଆସନରୁ ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ। ତାଙ୍କ ପାଖରେ ୧୨୪୧ କୋଟି ଟଙ୍କା ସମ୍ପତ୍ତି ରହିଛି।

ଜାମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହି ଆସନ ପାଇଁ ମଧ୍ୟ ଆଜି ମତଦାନ ହେବ।

ଏହି ୫୮ ଆସନ ମଧ୍ୟରୁ ୨୦୧୯ରେ ବିଜେପି ସର୍ବାଧିକ ୪୦ଟି ସିଟ୍ ଜିତିଥିବା ବେଳେ କଂଗ୍ରେସ ଏବଂ ଆପ୍ ଖାତା ଖୋଲି ପାରିନଥିଲେ।

୫୪୩ ଲୋକସଭା ଆସନ ମଧ୍ୟରୁ ପଞ୍ଚମ ପର୍ଯ୍ୟାୟ ସୁଦ୍ଧା ୪୨୯ ଆସନରେ ଭୋଟ୍ ଗ୍ରହଣ ସରିଛି। ଷଷ୍ଠ ପର୍ଯ୍ୟାୟ ପରେ ୪୮୭ ଆସନରେ ମତଦାନ ଶେଷ ହେବ। ଜୁନ୍ ୧ରେ ଶେଷ ଏବଂ ସପ୍ତମ ପର୍ଯ୍ୟାୟରେ ଅବଶିଷ୍ଟ ୫୬ ଆସନରେ ଭୋଟ୍ ଗ୍ରହଣ ହେବ।

Comments are closed.