ହାଇବାକୁ ପଛରେ ପିଟିଲା ଅଟୋ, ୨ ଶିଶୁ ସମେତ ୩ ମୃତ, ୪ ଆହତ

ସମ୍ବଲପୁର: ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ବେ ପଧାନପାଲି ଟୋଲ ପ୍ଲାଜା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ହାଇବାକୁ ପଛରେ ପିଟିଲା ଅଟୋ। ଫଳରେ ଅଟୋରେ ଥିବା ଗୋଟିଏ ପରିବାରର ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲ। ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ନୂଆଖୁରି ଗ୍ରାମର ସାଲାସର ରାଇସ ମିଲରେ କାମ କରୁଥିବା ଏକ ଶ୍ରମିକ ପରିବାର କଳାହାଣ୍ଡି ଯିବା ପାଇଁ ସମ୍ବଲପୁରକୁ (ଓଡି- ୩୧ ଜି ୧୮୮୨) ନମ୍ବର ବିଶିଷ୍ଟ ଅଟୋରେ ଆସୁଥିଲେ। ସମ୍ବଲପୁର ସହରରୁ ଅନ୍ୟ ଏକ ଗାଡିରେ କଳାହାଣ୍ଡି ଯିବାର ଯୋଜନା ଥିଲା। ତେବେ, ପଧାନପାଲି ଟୋଲ ପ୍ଲାଜା ନିକଟରେ ଛିଡା ହୋଇଥିବା ଏକ ହାଇବା (ଜେଏଚ-୧୦ ବିତି ୮୬୭୭)କୁ ପଛ ପଟେ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଡ୍ରାଇଭର ସହ ୭ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତ ଙ୍କୁ ବୁର୍ଲ। ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୁନମ ବାଗ ( ୧୩), ନେମସିକା ବାଗ (୮), ବେଣୁଧର ବାଗ (୧୯)ଙ୍କ ମୃତ୍ୟୁ ହୋଇଥିଲା। ଆହତ ମାନେ ହେଲେ ବୈଦେହୀ ବାଗ, ପୂର୍ବୀ ବାଗ, ଜୟନ୍ତୀ ବାଗ, ବାଦଲ ବାଗ, ପିଙ୍କି ଶିକା ଓ ଅଟୋ ଡ୍ରାଇଭର ଝରଘାଟିର ରାକେଶ ପାଣିଗ୍ରାହୀ। ଅଟୋରେ ଥିବା ଯାତ୍ରୀ ମାନେ କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ବୋଲି ଜଣାପଡିଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.