ହାଇସ୍କୁଲ କ୍ୟାମ୍ପସରେ ଟ୍ରାନ୍ସଫର୍ମେସନର ବାସ୍ତବ ଉଦାହରଣ

ଲେଖକ: ପ୍ରତିଭା ନେପାକ

ବ୍ରହ୍ମପୁର: ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ହେଲେ ସେମାନଙ୍କୁ ଏବେଠାରୁ ଉପଯୁକ୍ତ ଶିକ୍ଷା ଦେବାକୁ ହେବ। ସେଥିପାଇଁ ଆବଶ୍ୟକ ଉଚିତ ଶୈକ୍ଷିକ ବାତାବରଣ, ଆନୁସଙ୍ଗିକ ସାଜସରଞ୍ଜାମ, ସର୍ବୋପରି ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଏଭଳି ଆଗ୍ରହ ସୃଷ୍ଟି କରିବା ଯେ ସେମାନେ ବିଦ୍ୟାଳୟ ପରିସରକୁ ଆକୃଷ୍ଟ ହୋଇ ଚାଲି ଆସିବେ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚାକାଂକ୍ଷୀ ପ୍ରକଳ୍ପ ‘ମୋ ସ୍କୁଲ’ ହେଉ ଅବା ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ୍’କୁ ଆଶାନୁରୂପକ କାର୍ଯ୍ୟକାରୀ କରିବା ଦିଗରେ ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଝଲକ, ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍ଠାପରତା। ତେବେ କେବଳ ଏହାକୁ ଏକ ପ୍ରକଳ୍ପ ବା କାର୍ଯ୍ୟକ୍ରମ ଭାବେ ଗ୍ରହଣ ନକରି ବରଂ ଏକ ମିଶନ୍ ମୋଡରେ ଆଗେଇ ନିଆଯାଉଛି। ଉଲ୍ଲେଖନୀୟ ଭାବେ ଏଥିରେ ୫-ଟି ଅନ୍ତର୍ଗତ ୫ ଉପାଦାନ ସ୍ପଷ୍ଟ ଭାବେ ପ୍ରତୀୟମାନ ହୋଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟର ପ୍ରତିଫଳନ କରୁଛି।

ଟେକ୍ନୋଲୋଜୀ, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସପରେନ୍ସି ଆଣ୍ଡ ଟ୍ରାନ୍ସଫର୍ମେସନ୍… ଅର୍ଥାତ୍ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ଗୋଷ୍ଠୀଗତ ସମ୍ପୃକ୍ତି ବା ସାମୂହିକ ପ୍ରୟାସ, ନିର୍ଦ୍ଧାରିତ ସମୟରେ ଉଚିତ କାର୍ଯ୍ୟ, ସ୍ବଚ୍ଛତା ବା ପାରଦର୍ଶିତା ଏବଂ ରୂପାନ୍ତରଣ… ୫-ଟିର ଏହି ପଞ୍ଚତତ୍ତ୍ବ ହାଇସ୍କୁଲ ଟ୍ରାନ୍ସଫର୍ମେସନରେ ସ୍ପଷ୍ଟ ପ୍ରତିଫଳିତ ହେଉଛି। ଅଡିଓ – ଭିଜୁଆଲ୍ ଟିଚିଂ, ପ୍ରୋଜେକ୍ଟର ଜରିଆରେ ପାୱାର୍ ପଏଣ୍ଟ୍ ପ୍ରେଜେଣ୍ଟେସନ୍, ଇଣ୍ଟରନେଟ୍ ସଂଯୋଗ ଥିବା କମ୍ପ୍ୟୁଟର୍ ଜରିଆରେ ଜ୍ଞାନ ଆହରଣ ସୂଚାଉଛି ଯେ ଏଥିରେ କିଭଳି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଉଭୟକୁ ଯୁଗପଯୋଗୀ କରାଯାଇ ପାରିଛି। ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଆରମ୍ଭରୁ ଯୋଜନା କରିବା ସାଙ୍ଗକୁ ଏହାର ବାସ୍ତବ କାର୍ଯ୍ୟକାରିତା ଦିଗରେ ଗୋଷ୍ଠୀଗତ ସମ୍ପୃକ୍ତି ଏକ ଉଲ୍ଲେଖନୀୟ ଉପାଦାନ ଭାବେ ରହି ଆସିଛି। ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି, ସ୍ଥାନୀୟ ଜନ ପ୍ରତିନିଧି ଓ ସାଧାରଣ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ମତାମତକୁ ଗୁରୁତ୍ବ ଦିଆଯାଇ କାମ କରାଯାଇଛି। ମୋ ସ୍କୁଲ ଫଣ୍ଡ୍ ବିନିଯୋଗ ହୋଇଛି ଯେଉଁଥିରେ କି ପୂର୍ବତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ଅବଦାନ ଯେତିକି ରାଜ୍ୟ ସରକାର ତାହାର ଦୁଇ ଗୁଣ ଟଙ୍କା ଯୋଗାଇ ଦେଇଛନ୍ତି। ଏହାଦ୍ୱାରା ଆଲୁମନୀ (ପୂର୍ବତନ ବିଦ୍ୟାର୍ଥୀ)ଙ୍କ ମନରେ ଏକ ସତ୍-ଭାବନା ସୃଷ୍ଟି ହୋଇପାରିଛି ଯେ ସେମାନଙ୍କ ଛୋଟ ବଡ଼ ସହାୟତା ଫଳରେ ଯେଉଁ ବିଦ୍ୟାର ମନ୍ଦିରରୁ ସେମାନେ ପାଠ ପଢ଼ି ଆଜି ସମାଜରେ ମୁଣ୍ଡ ଟେକି ଚାଲି ପାରୁଛନ୍ତି ସେହି ଶିକ୍ଷାୟତନକୁ ନୂଆ ରୂପ ମିଳିପାରିଛି। ସେମାନଙ୍କ ପରିବର୍ତ୍ତୀ ପୀଢ଼ିର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ପାଇବାରେ ସକ୍ଷମ ହୋଇପାରୁଛନ୍ତି।

ରାଜ୍ୟର ପ୍ରାୟ ୧୦୦୦ରୁ ଅଧିକ ଉଚ୍ଚବିଦ୍ୟାଳୟରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକାରୀ କରାଯାଉଛି। ପ୍ରାୟ ୬ ମାସ ତଳେ ଯେତେବେଳେ ମୁଖ୍ୟମନ୍ତ୍ରୀ ଏହି ଚିନ୍ତା କରିଥିଲେ ସେତେବେଳେ ସେ ଦେଶର ୭୫ତମ ସ୍ଵାଧୀନତା ଦିବସ ସୁଦ୍ଧା ନିଜ ନିର୍ବାଚନମଣ୍ଡଳୀର ସମସ୍ତ ୫୦ଟି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ “ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି – ଶେରଗଡ଼ର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସାରିବା ପାଇଁ ମୁଁ ପ୍ରଶାସନକୁ ଲକ୍ଷ୍ୟ ଦେଇଥିଲି। ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା। ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁଁ”। ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ଆଉ ୮୩ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟ ନଭେମ୍ବର ୧୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହି ଦିନ ଶିଶୁ ଦିବସ ତଥା ‘ମୋ ସ୍କୁଲ’ ଅଭିଯାନର ୪ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଆଉ ଏକ ପର୍ଯ୍ୟାୟ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍। ସେଥିପାଇଁ ମଧ୍ୟ ଟିମ୍ ଗଞ୍ଜାମ ଜୋରସୋରରେ ପ୍ରୟାସ ଚଳାଇଛି। ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରଶାସନ ଓ ବିଧାୟକମାନେ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏତେ ବିଶାଳ କାର୍ଯ୍ୟ। ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହେଉଛି। ଅଥଚ ସବୁ କାମ ବେଶ୍ ସ୍ବଚ୍ଛତାର ସହ, ସମ୍ପୂର୍ଣ୍ଣ ପାରଦର୍ଶିତା ଆଧାରରେ ସମ୍ପନ୍ନ କରାଯାଉଛି। ଯେଉଁଠି ପିଲାଙ୍କ ଭବିଷ୍ୟତ ଗଠନର କଥା କୁହାଯାଉଛି, ଯେଉଁଠି ରାଜ୍ୟ ଓ ଜାତିର ଭବିଷ୍ୟତକୁ ଏବେଠାରୁ ରୂପ ଦେବାର ମହତ୍ ଉଦ୍ଦେଶ୍ୟ ନିହିତ ରହିଛି, ସେଠି ବା ଅଭିଯୋଗର ସ୍ଥାନ ଆସିବ କେଉଁଠୁ। ପୁଣି ଯେହେତୁ ବିଭିନ୍ନ ଗୋଷ୍ଠୀ, ସମ୍ପୃକ୍ତ ପକ୍ଷମାନଙ୍କ ମତାମତକୁ ନେଇ କାର୍ଯ୍ୟ କରାଯାଉଛି, ତେଣୁ କେଉଁଠି ମଧ୍ୟ ଅସନ୍ତୋଷର ଚିହ୍ନବର୍ଣ୍ଣ ସୁଦ୍ଧା ଦେଖିବାକୁ ମିଳୁନାହିଁ। ବରଂ ଶିକ୍ଷାନୁଷ୍ଠାନର ପରିବର୍ତ୍ତିତ ଚେହେରା ଦେଖି ପିଲାଙ୍କ ଠାରୁ ଅଭିଭାବକ, ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ବେଶ୍ ଆନନ୍ଦିତ ଓ ଗୌରବାନ୍ବିତ ଯେ ଆମ ରାଜ୍ୟର ହାଇସ୍କୁଲ ଶିକ୍ଷା ଏବେ ଦେଶରେ ରୋଲ୍ ମଡେଲ ପାଲଟିବାକୁ ଯାଉଛି।

ମୋଟାମୋଟି ଭାବେ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ରୂପାନ୍ତରଣ ପ୍ରକ୍ରିୟାର ସର୍ବୋକୃଷ୍ଟ ନିଦର୍ଶନ ପାଲଟିଛି। ସେଥିପାଇଁ ତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ତୁମମାନଙ୍କ ପାଇଁ। ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢ଼ିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ।… ‘୫-ଟି’ର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣକୁ ସଫଳ କରିଛି”। ସେ ଆହୁରି କହିଛନ୍ତି ଯେ- ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲମାନଙ୍କର ଏହି ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଗୌରବମୟ ଅଧାୟ ଯୋଡ଼ି ପାରିଛି। ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବାସ୍ତବରେ ହାଇସ୍କୁଲ ରୂପାନ୍ତରଣ ହେଉଛି, ଓଡ଼ିଶା ସରକାରଙ୍କ ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍ ଉଦାହରଣ। ଭିଜନ୍ ଡକ୍ୟୁମେଣ୍ଟରୁ ଆରମ୍ଭ କରି ଖର୍ଚ୍ଚ ବିଷୟରେ ଲୋକମାନେ ସବୁ ବିଷୟରେ ଅବଗତ ଅଛନ୍ତି। ସେମାନେ ନିଜେ ମଧ୍ୟ କାମ ତଦାରଖ କରିଛନ୍ତି। ସ୍ଵଚ୍ଛତା ହେଉଛି ‘୫-ଟି’ର ସବୁଠାରୁ ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହିଁ ତୃଣମୂଳସ୍ତରରେ, ହାଇସ୍କୁଲ କ୍ୟାମ୍ପସରେ ଦେଖିବାକୁ ମିଳିଛି।

Comments are closed.