ଲେଖକ: ପ୍ରତିଭା ନେପାକ
ମହାପୁରୁଷଙ୍କ ଜୀବନକୁ ଯେତେବେଳେ ଲକ୍ଷ୍ୟ କରାଯାଏ, ସେତେବେଳେ ଜଣାପଡ଼େ ଯେ ବିଦ୍ୟାଳୟ ଶିକ୍ଷା ସମୟରେ ହିଁ ସେମାନଙ୍କ ମହାନତାର ମୂଳଦୁଆ ପଡ଼ିଥିଲା। ଶୈଶବରୁ ହିଁ ସେମାନେ ଅନ୍ୟ ପାଇଁ ଆଦର୍ଶ ନଜିର ସୃଷ୍ଟି କରିଥିଲେ। ଆଉ ସେଥିରେ ସହାୟକ ହୋଇଥିଲା ସେମାନଙ୍କ ଶିକ୍ଷାୟତନ ପରିବେଶ, ସେମାନଙ୍କ ବିଦ୍ୟାଳୟ ଶିକ୍ଷା। ଗୋଟିଏ କଥା ସ୍ପଷ୍ଟ ଯେ ସଫଳ ତଥା ଅନ୍ୟମାନଙ୍କ ପାଇଁ ଆଦର୍ଶ ଜୀବନର ମୂଳଦୁଆ ବିଦ୍ୟାଳୟ ପଢ଼ା ସମୟରେ ପଡ଼ିଥାଏ। ଭବିଷ୍ୟତକୁ ଉନ୍ନତ କରି ଗଢ଼ି ତୋଳିବାକୁ ହେଲେ ବିଦ୍ୟାଳୟ ଶିକ୍ଷାକୁ ଉତ୍ତମ କରିବା ଜରୁରି। ଏହି କଥାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ହାଇସ୍କୁଲ ଶିକ୍ଷାକୁ ଉତ୍ତମ, ଯୁଗପଯୋଗୀ ତଥା ଅତ୍ୟାଧୁନିକ କରିବାକୁ ସତତ ପ୍ରୟାସ ଚଳାଇଛନ୍ତି। ତାହାର ଏକ ଉଦାହରଣ ହେଉଛି ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍।
ଭବିଷ୍ୟତର ସୁନାଗରିକଙ୍କୁ ଗଢ଼ି ତୋଳିବାକୁ ହେଲେ ଏବେ ଠାରୁ ସେମାନଙ୍କୁ ଦକ୍ଷ, ଯୋଗ୍ୟ, ସ୍ମାର୍ଟ କରିବାକୁ ହେବ। ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ, ସାମୂହିକ ବିକାଶ କରିବାକୁ ପଡ଼ିବ। ସେ ଶ୍ରେଣୀ କକ୍ଷ ଶିକ୍ଷାଦାନ ହେଉ କି ଖେଳ ପଡ଼ିଆ, ବିଜ୍ଞାନାଗାରରେ ଗବେଷଣା ହେଉ କି ଗୁନ୍ଥାଗାରରେ ଯାବତୀୟ ଜ୍ଞାନ ଆହରଣ ସୁଯୋଗ… ଏସବୁ ସୁବିଧା ପିଲାଙ୍କୁ ଯୋଗାଇଦେଲେ ସେମାନେ ନିଜକୁ ସ୍ମାର୍ଟ କରିପାରିବେ। ସମୟ ମୁତାବକ ନିଜ ଚରିତ୍ର, ବ୍ୟକ୍ତିତ୍ଵ ଓ ଜ୍ଞାନକୁ ତୀକ୍ଷଣ କରିପାରିବେ। ଆଉ ଉଚ୍ଚବିଦ୍ୟାଳୟ ରୂପାନ୍ତରଣରେ ତାହାର ଝଲକ ସ୍ପଷ୍ଟ ଦେଖିବାକୁ ମିଳୁଛି। ପିଲାଙ୍କୁ ଦିଆଯାଉଛି ଏମିତି ପରିବେଶ ଯେଉଁଠି ସେମାନେ କେବଳ ବିଦ୍ୟାଳୟର ପାଚେରୀ କାନ୍ଥରେ ସୀମିତ ନରହି ବ୍ଲକ୍- ଜିଲ୍ଲା- ରାଜ୍ୟ ଓ ଜାତୀୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା, ଶିକ୍ଷାଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ। କେବଳ ପୋଥିଗତ ବିଦ୍ୟାରେ ସେମାନଙ୍କ ଜ୍ଞାନ ସୀମିତ ନରହି ଦେଶଦୁନିଆର ସବୁ ଜ୍ଞାନ ସେମାନେ ଯେପରି ଆହରଣ କରିପାରିବେ ତାହାର ସୁଯୋଗ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ମୁକ୍ତ। ବିଜ୍ଞାନ ପାଠ୍ୟକ୍ରମ କେବଳ କ୍ଲାସ୍ ରୁମରେ ଶୁଣି ଶୁଣି ବା ବହିର ଚିତ୍ର ଦେଖି ସେମାନେ ଶିଖିବେନି, ବରଂ ଖୋଦ୍ ଲ୍ୟାବରେ ଗବେଷଣା, ପରୀକ୍ଷା ନିରୀକ୍ଷା କରି ହାସଲ କରିବେ ପ୍ରତ୍ୟକ୍ଷ ଜ୍ଞାନ। ଅଡିଓ- ଭିଜୁଆଲ୍ ଟିଚିଂ ସେମାନଙ୍କୁ ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷା ଆହରଣର ବାଟ ଦେଖାଇବ।
କେବଳ ପାଠ ନୁହେଁ, କ୍ରୀଡ଼ାଙ୍ଗନରେ ମଧ୍ୟ ନିଜକୁ ସେମାନେ ସମ୍ପୂର୍ଣ୍ଣ ଫିଟ୍ କରି ତୋଳିବେ। ନିଜ ପସନ୍ଦ ବା ରୁଚି ଅନୁସାରେ ଖେଳରେ ଭାଗ ନେଇ ଜିଲ୍ଲା, ରାଜ୍ୟ ଏପରିକି ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ସେ ଅଂଶଗ୍ରହଣ କରିପାରିବ। ସେଥିପାଇଁ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନରେ ଖେଳକୁଦକୁ ମଧ୍ୟ ଗୁଋତ୍ବ ଦିଆଯାଇଛି। ଆହୁରି ମଧ୍ୟ ସ୍ବାସ୍ଥ୍ୟ ଓ ସ୍ଵଚ୍ଛତା ଦୃଷ୍ଟିରୁ ସ୍କୁଲରେ ବିଶୁଦ୍ଧ ପାନୀୟ ଜଳ, ହାଇଜିନିକ୍ ଟଏଲେଟ୍ ଛାତ୍ରଛାତ୍ରୀଙ୍କୁ ଏକ ଉତ୍ତମ, ଏକବିଂଶ ଶତାବ୍ଦୀର ସଭ୍ୟ ସମାଜରେ ଜୀଇଁବାକୁ ପ୍ରେରଣାଦାୟୀ ଶିକ୍ଷା ଦେବ। ଶରୀର ସୁସ୍ଥ ରହିଲେ ତ ମସ୍ତିଷ୍କ ଉପଯୁକ୍ତ ଭାବେ ଜ୍ଞାନ ଆହରଣ କରିବାକୁ ସକ୍ଷମ ହେବ।
ଉନ୍ମତ ବିଦ୍ୟାଳୟର ଉତ୍ତମ ଶିକ୍ଷାର ଫଳ ରାଜ୍ୟ ତଥା ଜାତିର ଆଗାମୀ ପୀଢ଼ିକୁ ପ୍ରଭାବିତ କରିବ। ଏବେ ଯିଏ ଏଭଳି ରୂପାନ୍ତରିତ ଉଚ୍ଚବିଦ୍ୟାଳୟରୁ ଶିକ୍ଷା ଲାଭ କରିବ ସେ ଉଚ୍ଚଶିକ୍ଷାକୁ ମଧ୍ୟ ସହଜରେ କରାୟତ୍ତ କରିପାରିବେ। ବିଦ୍ୟାଳୟର ସବୁଜ, ସୁନ୍ଦର ପରିବେଶ ଶିକ୍ଷାଗ୍ରହଣ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ତା ସହ ଉଚ୍ଚଶିକ୍ଷା ହାସଲ କରି ନିଜ ଜୀବନକୁ ସତ୍-ମାର୍ଗରେ ପରିଚାଳିତ କରିବା ପାଇଁ ଏହା ସାଜିବ ପଥପ୍ରଦର୍ଶକ। ଅନ୍ତତଃ ଏଥିରୁ ଆଶା କରାଯାଇ ପାରେ ଯେ ଏହାଦ୍ୱାରା ପିଲାଙ୍କ ଶିକ୍ଷାଗ୍ରହଣରେ ଗୁଣାତ୍ମକ ଓ ପରିମାଣାତ୍ମକ ବୃଦ୍ଧି ଘଟିବା ନିଶ୍ଚିତ। ପିଲାଙ୍କ ପାସ୍ ହାର ବଢ଼ିବ। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟାରେ ଆଖିଦୃଶିଆ ଉନ୍ନତି ଘଟିବ। ଏଥିସହ କିଛି ବର୍ଷ ପରେ ରାଜ୍ୟରେ ଆଇଏଏସ୍, ଆଇପିଏସ୍ଙ୍କ ଭଳି ପଦାଧିକାରୀ ପ୍ରଶାସକ କୁହନ୍ତୁ ବା ବୈଜ୍ଞାନିକ, ଗବେଷକଙ୍କ ସଂଖ୍ୟାରେ କୌଣସି ଅଭାବ ରହିବନି।
ଦେଶର ଭବିଷ୍ୟତ ନୀତିନିର୍ଦ୍ଧାରକ ଯଦି ଏଭଳି ଉତ୍ତମ ଶିକ୍ଷା ପରିବେଶର ଅନୁଭୂତି ପାଇଥିବ , ତେବେ ସେ ପରବର୍ତ୍ତୀ ପୀଢ଼ି ପାଇଁ ନିଶ୍ଚିତ ଭାବେ କିଛି ମହତ୍ କାର୍ଯ୍ୟ ବା ଯୋଜନା କରିବ। ଯେପରି ବୃକ୍ଷର ମୂଳ ଯଦି ସୁଦୃଢ଼ ଥାଏ, ଚେର ଯଦି ମାଟି ଭିତରେ ବେଶ୍ ପ୍ରସାରିତ ହୋଇ ରହିଥାଏ, ତେବେ କେତେ ବଡ଼ ବନ୍ୟା ବାତ୍ୟା ମଧ୍ୟ ହାର ମାନିବ । ସେହିପରି ତୃଣମୂଳସ୍ତରରେ ବା ଶୈଶବ ଅବସ୍ଥାରେ ଯଦି ଶିକ୍ଷାଗ୍ରହଣର ମୂଳ ମଜବୁତ, ଉନ୍ମତ ଥିବ ତେବେ ଦେଶର ଭବିଷ୍ୟତର ସୁନାଗରିକ ଯେଉଁମାନେ କି ସମସ୍ତ ଆହ୍ବାନର ସଫଳ ମୁକାବିଲା ପାଇଁ ନିଜକୁ ଦକ୍ଷ ଓ ଯୋଗ୍ୟ ବିଚାର କରୁଥିବେ, ସେଭଳି ପିଢ଼ି ପରେ ପିଢ଼ି ତିଆରି ହୋଇ ଚାଲିଥିବେ। ସେମାନଙ୍କ ଜରିଆରେ ହିଁ ସମୃଦ୍ଧ ହେବ ଏ ରାଜ୍ୟ ଓ ଏ ଜାତିର ଭବିଷ୍ୟତ।
Comments are closed.