ସିଡିଏସ ଜେନେରାଲ ବିପିନ ରାୱତ ଓ ପତ୍ନୀ ହେଲିକପଟର ଦୁର୍ଘଟଣାରେ ମୃତ, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ – ହେଲିକପଟର ଦୁର୍ଘଟଣାରେ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ –ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁରିକା ରାୱତ ପ୍ରାଣ ହରାଇଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ହେଲିକପଟରରେ ଥିବା ଅନ୍ୟ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଜି ସକାଳେ ଜେନେରାଲ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଥିବା ଭାରତୀୟ ବାୟୁସେନାର ଏମଆଇ-୧୫ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲିକପଟର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁର୍ଘଟଣା ବାବଦରେ ସଂସଦରେ ବିବୃତି ଦେବେ । ଜେନେରାଲ ରାୱତ ୱେଲିଂଟନ (ନୀଳଗିରି ହିଲ୍ସ) ସ୍ଥିତ ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ଯାଉଥିବା ବେଳେ ହେଲିକପଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦେଶର ପ୍ରଥମ ସିଡିଏସେ ହେବା ପୂର୍ବରୁ ଜେନେରାଲ୍ ବିପିନ ରାୱତ ଭାରତୀୟ ସ୍ଥଳସେନାର ମୁଖ୍ୟ ବି ଥିଲେ ।

ହେଲିକପଟର ଦୁର୍ଘଟଣାରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ ଆହତ ହୋଇଛନ୍ତି । ୨୦୨୦ରେ ବରୁଣ ସିଂହ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଥିଲେ ।

Comments are closed.