କୌଣସି ବଡ଼ ସହରର ଦାମୀ ସ୍କୁଲଠୁ କମ୍ ନୁହେଁ ଆମ ସରକାରୀ ହାଇସ୍କୁଲ

ଲେଖକ : ପ୍ରତିଭା ନେପାକ

କରୋନା ହେତୁ ଅନେକ ଦିନ ପରେ ବିଦ୍ୟାଳୟରେ ଆମ ପାଦ ପଡ଼ିଲା। ହେଲେ ଗତ ବର୍ଷ ଯେତେବେଳେ ଶେଷ ଥର ସ୍କୁଲ ଆସିଥିଲୁ, ଆଉ ଏବେ ଯେତେବେଳେ ସ୍କୁଲ ଆସିଲୁ ଆକାଶପାତାଳ ଫରକ ଦେଖିଲୁ। ଆମ କ୍ଲାସ୍ ରୁମ୍‌ରେ ଆଉ ସେ ପୁରୁଣା କାଠର ଲମ୍ବା ଲମ୍ବା ଚେୟାର ଟେବୁଲ ନଥିଲା। ଗୋଟିଏ ବେଞ୍ଚରେ ତିନିରୁ ୪ ଜଣ ଲେଖାଏଁ ବସୁଥିଲୁ। ହେଲେ ଏବେ ଆରାମଦାୟକ ଚେୟାର ଟେବୁଲ, ଲେଖିବାକୁ ଓ ବସ୍ତାନି ରଖିବାକୁ ବେଶ୍ ଫର୍ଚ୍ଚା ଜାଗା। ପୁଣି ଗୋଟିଏ ଚେୟାର ଟେବୁଲରେ ଜଣେ ଲେଖାଏଁ ବସୁଛୁ। କୋଭିଡ୍ ପାଇଁ ଯେଉଁ ସାମାଜିକ ଦୂରତା କଥା କୁହାଯାଉଛି, ତାହା ବେଶ୍ ସହଜରେ ପାଳନ କରିହେଉଛି”।

“ଆମର ଶ୍ରେଣୀ କକ୍ଷରେ ଏବେ ସେ କାନ୍ଥରେ କଳା ରଙ୍ଗ ଲିପା କଳାପଟା ଆଉ ନାହିଁ। ଆଉ ଚକ୍ ଖଡ଼ିରେ ଲେଖି ଓ ଡଷ୍ଟରରେ ଲିଭାଇ ସାର୍ କିମ୍ବା ଆମ ହାତ ଧଳା ହେଉନି। ବରଂ ହ୍ଵାଇଟ୍ ବୋର୍ଡ, ମାର୍କର୍ ପେନରେ ଲେଖିବା ବେଶ୍ ସହଜ। ପୁଣି ଆମେ ପୂର୍ବରୁ କେତେକ କଥା ଖାଲି ଶୁଣି ମନେ ରଖୁଥିଲୁ। କିନ୍ତୁ ଏବେ ଆମକୁ ଭିଡିଓ ଅଡିଓ ସହ ପଢ଼ାଯାଉଛି। ଫଳରେ ବାସ୍ତବ ଜ୍ଞାନ ଆହରଣ ସହଜକର ମନେ ହେଉଛି”।

“ମୁଁ ଯେତେବେଳେ ୮ମ ପଢୁଥିଲି ସାଇନ୍ସ ଲ୍ୟାବ୍, କମ୍ପ୍ୟୁଟର୍ ଲ୍ୟାବ୍ କଥା ଖାଲି ଶୁଣିଥିଲି। ଭାବୁଥିଲି ବ୍ରହ୍ମପୁର କି ଭୁବନେଶ୍ୱର ପରି ବଡ଼ ବଡ଼ ସହରରେ କିମ୍ବା ବଡ଼ ବଡ଼ ଇଂରାଜୀ ମିଡିୟମ୍ ସ୍କୁଲରେ ଏସବୁ ଥିବ। ହେଲେ ଏବେ ଦଶମ ଶ୍ରେଣୀର ଛାତ୍ରୀ ଭାବେ ମୁଁ ନିଜେ ଇ-ଲାଇବ୍ରେରୀରେ ବସି କମ୍ପ୍ୟୁଟର୍ ଅପରେଟ୍ କରୁଛି। ଆମ ଗାଁ ସ୍କୁଲରେ ଏତେ ଉନ୍ନତ ବିଜ୍ଞାନାଗାର ହେବ ତାହା ମୁଁ କେବେ କଳ୍ପନା କରିପାରି ନଥିଲି”।

“ମୋ ଗାଁ ସ୍କୁଲରେ ବହୁତ ଜାଗା ଥିଲା। ବର୍ଷା ଦିନେ ପାଣି ଜମି କାଦୁଆ ହୋଇଯାଉଥିଲା। ଘାସଲତା ଉଠି ମାଟି ଢାଙ୍କି ହୋଇ ଯାଉଥିଲା। ଖେଳିବା ତ ଆଦୌ ସମ୍ଭବପର ନଥିଲା। ହେଲେ ଅନ୍ତତଃ ଏବେ ସୁନ୍ଦର ସୁନ୍ଦର ଗଛ ଲଗାଇ ଭଲ ଉଦ୍ୟାନଟିଏ କରାଯାଉଛି। ଆଉ ଅନାବନା ବୁଦା ଉଠିବନି କି ଜଙ୍ଗଲ ପରିବେଶ ଭଳି ଲାଗିବନି। ଏବେ ଖୋ- ଖୋ, କବାଡ଼ି ଭଳି ଖେଳକୁଦ ମଧ୍ୟ କରିହେବ”।

ଏସବୁ ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପୋଚିଲିମାର ରଘୁନାଥ ବିଦ୍ୟାପୀଠ, ଗୋଠଗାଁ ହାଇସ୍କୁଲ ଓ ଠୁରୁବୁରାଇ ହାଇସ୍କୁଲର କିଛି ଛାତ୍ରଛାତ୍ରୀଙ୍କ ମନ୍ତବ୍ୟ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଏହି ୪ଟି ସମେତ ମୋଟ ୧୦ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଉଦ୍‌ଘାଟନ କରିଛନ୍ତି। ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଅନ୍ତର୍ଗତ ଉଚ୍ଚବିଦ୍ୟାଳୟର କାୟାକଳ୍ପ ଯେପରି ବଦଳିଛି, ଯେଉଁଭଳି ପରିବର୍ତ୍ତିତ ହୋଇଛି ହାଇସ୍କୁଲ କ୍ୟାମ୍ପସ୍ ନକ୍ସା ତାହା ଛାତ୍ରଛାତ୍ରୀଙ୍କୁ ବେଶ୍ ଆକର୍ଷଣୀୟ ମନେ ହେଉଛି। ବିଦ୍ୟାଳୟକୁ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହୋଇପାରିଛି ଏହି ବଦଳିଥିବା ହାଇସ୍କୁଲ ପରିସର।

ଜଣେ ଛାତ୍ର ପ୍ରିୟନ୍ସ ସାହୁ କହିଛନ୍ତି ଯେ- ସ୍ମାର୍ଟ କ୍ଲାସ୍‌କୁ ଦେଖି ବହୁତ ବଢିଆ ଲାଗୁଛି। ପାନୀୟ ଜଳ, ନୂଆ ହଷ୍ଟେଲ ନିର୍ମାଣ ହୋଇଥିବାରୁ ଭଲ ଲାଗୁଛି। କୌଣସି ବଡ଼ ସହରର କୌଣସି ବଡ଼ ସ୍କୁଲଠୁ ଆମ ବିଦ୍ୟାଳୟ ଏବେ କୌଣସି ଗୁଣରେ କମ୍ ନୁହେଁ। ଆମ ସରକାର ପିଲାଙ୍କ ଶିକ୍ଷାଦାନ ପରିବେଶ ପାଇଁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ଆମର ବହୁତ ଫାଇଦା ହେବ। ମୁଖ୍ୟମନ୍ତ୍ରୀଙ୍କୁ ଏତିକି କହିବାକୁ ଚାହେଁ ଯେ ଏହା ଜାରି ରଖନ୍ତୁ ଓ ପିଲାଙ୍କ ଭବିଷ୍ୟତ ଉଜ୍ବଳ କରାନ୍ତୁ। ସେହିପରି ଜଣେ ଛାତ୍ରୀ ଶୁଭଶ୍ରୀ ପ୍ରଧାନଙ୍କ କହିବା ଏୟା ଯେ ଶନିବାର ଆମ ସ୍କୁଲରେ ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟିତ ହେଲା। ପୂର୍ବରୁ ଇଚ୍ଛା ହେଉଥିଲା ଯେ ଭଲ ଘରୋଇ ସ୍କୁଲରେ ପଢୁଥାଆନ୍ତୁ କି। ଏବେ କିନ୍ତୁ ଆମ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ, ମଡଣ୍ଣ ସାଇନ୍ସ ଲ୍ୟାବ୍ ଦେଖି ଖୁସି ଲାଗୁଛି ଯେ ଆମ ସ୍କୁଲ ମଧ୍ୟ କୌଣସି ସହରର କୌଣସି ବଡ଼ ଦାମୀ କିମ୍ବା ଇଂରାଜୀ ସ୍କୁଲ ଭଳି ଉନ୍ନତ। ସାର୍, ଦିଦି ଆମକୁ ପିପିଟି ମାଧ୍ୟମରେ ପଢାଉଛନ୍ତି, ଯାହା ଆମକୁ ନୂଆ ପଦ୍ଧତିରେ ଜ୍ଞାନ ଆହରଣରେ ସହାୟତା କରିବ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯେ ଆମ ପାଇଁ ଆଜି ଏଭଳି ସୁବିଧା ସୁଯୋଗ ସେ ପ୍ରସ୍ତୁତ କରିପାରିଛନ୍ତି।

ଶେରଗଡ଼ର ଜଣେ ଅଭିଭାବକ ବିଭୂପ୍ରସାଦ ତରାଇ କହିଛନ୍ତି ଯେ- ମୁଁ ଭୁବନେଶ୍ୱରରେ କାମ କରେ। ମୋ ଝିଅ ଗାଁ ସ୍କୁଲରେ ପଢ଼େ। ଆମେ ଯେତେବେଳେ ପିଲା ଥିଲୁ ତଳେ ଚଟାଣରେ ବସି ପଢ଼ିଥିଲୁ। ସ୍କୁଲ ବହି ଛଡ଼ା ଆଉ ବିଶେଷ କିଛି ନଥିଲା। ହେଲେ ଏବେ ମୋ ଗାଁ ସ୍କୁଲରେ ଯେଭଳି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ହୋଇଛି ଓ ମୋ ଝିଅ ଏବେ ଯେଉଁ ପରିବେଶରେ ପଢ଼ିବ ତାହା ଭୁବନେଶ୍ଵର କି ବ୍ରହ୍ମପୁର ଭଳି ସହରର ଦାମୀ ପ୍ରାଇଭେଟ୍ ସ୍କୁଲ ଠାରୁ କମ୍ ନୁହେଁ। ରାଜ୍ୟ ସରକାର ଏଥିପାଇଁ ଧନ୍ୟବାଦର ପାତ୍ର ଯେ ଗାଁଗହଳିର ବିଦ୍ୟାଳୟକୁ ମଧ୍ୟ ଏତେ ଉନ୍ନତ, ଯୁଗପଯୋଗୀ ଶିକ୍ଷାଦାନ ନିମନ୍ତେ ପ୍ରସ୍ତୁତ କରାଯାଇ ପାରିଛି।

ହିଞ୍ଜିଳିକାଟୁର ଜଣେ ଶିକ୍ଷାବିତ୍ ପ୍ରଶାନ୍ତ ଦାସଙ୍କ କହିବା ପ୍ରକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ଫଳ ଏୟା ଯେ ଆଜି ଉଚ୍ଚବିଦ୍ୟାଳୟ ପରିସରରେ ଏଭଳି ରୂପାନ୍ତରଣ ଦେଖିବାକୁ ମିଳୁଛି। ଆଧୁନିକ ପଦ୍ଧତିରେ ଶିକ୍ଷାଦାନ ହେଉ କି ବିଜ୍ଞାନଗାର ଅଥବା ଇ-ଲାଇବ୍ରେରୀରୁ ଆରମ୍ଭ କରି ଖେଳ ପଡ଼ିଆ, ଉଦ୍ୟାନ, ଶୌଚାଳୟ ଭଳି ଆନୁସଙ୍ଗିକ ବ୍ୟବସ୍ଥା କଥା କୁହନ୍ତୁ ସ୍କୁଲର ବଦଳିଥିବା ପରିସର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଅନେକ ମାତ୍ରାରେ ଉପଯୋଗୀ ସାବ୍ୟସ୍ତ ହେବ ଏଥିରେ କୌଣସି ଦ୍ଵିମତ ନାହିଁ। ନବୀନ ବାବୁଙ୍କ ସୁଦୂରପ୍ରସାରୀ ଯୋଜନା ଓ ତାର ସଫଳ ରୂପାୟନ ବାସ୍ତବରେ ପ୍ରଶଂସନୀୟ ବୋଲି କହିଛନ୍ତି ଜଣେ ବୁଦ୍ଧିଜୀବୀ ଯଦୁମଣି ପାଣିଗ୍ରାହୀ।

ମୋଟାମୋଟି ଭାବେ ଏବେ ବିଦ୍ୟାଳୟର ପରିବର୍ତ୍ତିତ ପରିବେଶ ଆଗାମୀ ଦିନର ସୁନାଗରିକଙ୍କୁ ଉତ୍ତମ ରୂପେ ଗଢ଼ିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି। ଏଭଳି ଶିକ୍ଷା ଉପଯୋଗୀ ପରିବେଶ, ତା ପୁଣି ସରକାରୀ ବିଦ୍ୟାଳୟରେ ଏତେ ଉନ୍ନତ ଓ ବ୍ୟବସ୍ଥିତ ଢଙ୍ଗରେ ଛାତ୍ରଛାତ୍ରୀଙ୍କ ସକାଶେ ବିନା ଅତିରିକ୍ତ ଦେୟରେ ଉପଲବ୍ଧ କରାଯାଇ ପାରିଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଚିନ୍ତିତ ପଦକ୍ଷେପକୁ ସମସ୍ତ ଶ୍ରେୟ ଯାଏ।

ଲେଖକ ତଥା ଇତିହାସ ଗବେଷକ

Comments are closed.