ସ୍ମୃତିରେ ଗଣ ଗନ୍ଧର୍ବ ଏସ୍‌.ପି ବାଲସୁବ୍ରମଣ୍ୟମ

ବିଜନ କୁମାର ମହାପାତ୍ର

ପ୍ରଖ୍ୟାତ ଲୋକପ୍ରିୟ ଗାୟକ, ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଏସ୍‌ପି ବାଲସୁବ୍ରମଣ୍ୟମଙ୍କ ଆଜି ହେଉଛି ପ୍ରଥମ ପୁଣ୍ୟତିଥି । ଗତବର୍ଷ ଆଜିର ଦିନରେ ନୀରବି ଯାଇଥିଲା ଗଣ ଗନ୍ଧର୍ବଙ୍କ ସ୍ୱର । କିନ୍ତୁ ସଂଗୀତପ୍ରେମୀଙ୍କ ହୃଦୟରେ ସର୍ବଦା ଅମର ରହିବେ ବାଲୁ । ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଏହି ମହାନ ଗାୟକଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ଘଟଣାବହୁଳ ଓ ଦୀର୍ଘ ସାଙ୍ଗୀତିକ ଜୀବନ ଉପରେ ସମ୍ୟକ ନଜର ପକାଇବା ।

ଶ୍ରୀପତି ପଣ୍ଡିତାରାଧ୍ୟାଲୁ ବାଲସୁବ୍ରମଣ୍ୟମ । ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଏସ.ପି ବାଲୁ ନାଁରେ ବେଶ୍ ଲୋକପ୍ରିୟ । ସେ ଥିଲେ ଜଣେ ନୈସର୍ଗିକ, ସ୍ୱର୍ଗୀୟ ଗାୟକ । ସେଥିପାଇଁ ତ ବାଲୁଙ୍କୁ କୁହାଯାଏ ଗଣ ଗନ୍ଧର୍ବ । ସଂଗୀତ କ୍ଷେତ୍ରରେ ଅତୁଳନୀୟ ପ୍ରତିଭାର ଅଧିକାରୀ । ତାଙ୍କ ଯାଦୁକରୀ କଣ୍ଠରେ ଅମରତ୍ୱ ପାଇଛନ୍ତି ହଜାର ହଜାର ଗୀତ । ସାରା ବିଶ୍ୱରେ ତେଲେଗୁ ସଂଗୀତର ମହକ ବିଛାଇଛନ୍ତି ବାଲୁ । ଅଗଣିତ ଶ୍ରୋତାଙ୍କୁ କରିଛନ୍ତି ମନ୍ତ୍ରମୁଗ୍ଧ । ନେଲୋରରେ ଜନ୍ମ ହୋଇ ଚେନ୍ନାଇରେ ବଢିଥିବା ବାଲୁ ସଂଗୀତ ଜଗତରେ ଲୋକପ୍ରିୟତାର ଶୀର୍ଷରେ ପହଂଚିଯାଇଥିଲେ, ଯେଉଁଠି ବହୁତ କମ୍ ହିଁ ପହଂଚିଛନ୍ତି ।

୧୯୪୬ ମସିହା ଜୁନ୍ ୪ ତାରିଖରେ ନେଲୋରରେ ଜନ୍ମ ଗ୍ରହଣ କରିଥିଲେ ଏସ.ପି ବାଲସୁବ୍ରମଣ୍ୟମ । ବାପା ଥିଲେ ଶାମ୍ବାମୂର୍ତ୍ତି ଓ ମାଆଙ୍କ ନାଁ ଥିଲା ଶକୁନ୍ତଲାମ୍ମା । ବାଲସୁବ୍ରମଣ୍ୟମଙ୍କ ଦୁଇ ଭାଇ ଓ ୫ ଉଉଣୀ ଥିଲେ । ୫ ଭଉଣୀଙ୍କ ମଧ୍ୟରୁ ଏସ.ପି ଶୈଳଜା ହେଉଛନ୍ତି ଜଣେ ଗାୟିକା । ସଂଗୀତର ସପ୍ତସ୍ୱର ପ୍ରତି ଏସ.ପି ବାଲସୁବ୍ୟମଣ୍ୟମଙ୍କ ପ୍ରବଳ ଆକର୍ଷଣ ଥିଲା । ଚେନ୍ନାଇରେ ଇଂଜିନିୟରିଂ ପଢୁଥିଲା ବେଳେ ବାଲୁଙ୍କ ସାଂଗୀତିକ ପ୍ରତିଭା ସାମନାକୁ ଆସିଥିଲେ । ୧୯୬୪ ମସିହାରେ ଏକ ସଂଗୀତ ପ୍ରତିଯୋଗିତାରେ ଗୀତ ଗାଇ ବାଲୁ ସେତେବେଳର ପ୍ରସିଦ୍ଧ ତେଲେଗୁ ସଂଗୀତଜ୍ଞ ଘଂଟଶାଲା ଓ ସଂଗୀତ ନିର୍ଦ୍ଦେଶକ କୋଦଣ୍ଡପାଣିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲେ । ଏକ ସୁଦୀର୍ଘ ସଂଗୀତମୟ ଯାତ୍ରାର ଏହା ଥିଲା ଆରମ୍ଭ ମାତ୍ର । ୧୯୬୬ ମସିହାରେ ପ୍ରଥମ ଥର ପାଇଁ ଏକ ଚଳଚ୍ଚିତ୍ର ଗୀତ ଗୀତ ଗାଇଥିଲେ ବାଲୁ । ସଂଗୀତ ନିର୍ଦ୍ଦେଶକ କୋଦଣ୍ଡପାଣିଙ୍କ ନିର୍ଦ୍ଦେଶନାରେ ବାଲୁ ‘ଶ୍ରୀ ଶ୍ରୀ ମର୍ୟ୍ୟା ଦା ରମନ୍ନା’ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ନାମ ଓ ପ୍ରଶଂସା ଅର୍ଜନ କଲା ପରେ ବାଲୁ ନିଜର ଗୁରୁ କୋଦଣ୍ଡପାଣିଙ୍କ ନାମରେ ଏକ ମ୍ୟୁଜିକ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ । ୧୯୬୬ରେ ସଂଗୀତ ଦୁନିଆରେ ସେ ଆରମ୍ଭ କରିଥିବା ଯାତ୍ରା ପରବର୍ତୀ ୫୪ ବର୍ଷ ପର୍ୟ୍ୟତନ୍ତ ବିନା ବିରତିରେ ଜାରି ରହିଥିଲା । ଭାରତୀୟ ଫିଲ୍ମ ସଂଗୀତ କ୍ଷେତ୍ରରେ ଏକାଧିକ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ ବାଲୁ । ନିଜର ୫୪ ବର୍ଷର ସମୃଦ୍ଧ ଓ ଗୌରବମୟ ସଂଗୀତ କ୍ୟାରିଅରରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ବାଲୁ । ଅର୍ଥାତ ପ୍ରତି ଦିନ ହାରାହାରି ଅଢେଇଟା ଲେଖାଏଁ ଗୀତ, ଆଉ ବର୍ଷକୁ ୯୩୦ ଗୀତ । ଫିଲ୍ମ ସଂଗୀତ କ୍ଷେତ୍ରରେ ଏହା ଏକ ଅସମାନ୍ତରାଳ ସଫଳତା, ଯାହା କି ତାଙ୍କୁ ଗିନିଜ ଅଫ୍ ବୁକ୍ ୱାର୍ଲଡ ରେକର୍ଡସରେ ସ୍ଥାନ ଦେଇଛି । ତେଲେଗୁ, ତାମିଲ, କନ୍ନଡ, ମାଲାୟଲମ , ହିନ୍ଦି ସମେତ ୧୬ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି ବାଲୁ । ଏହାଛଡା ସେ ଦକ୍ଷିଣ କେନ୍ଦ୍ରୀୟ ଦ୍ରାବିଡୀୟ ଆଦିବାସୀ ଭାଷା ଗୋଣ୍ଡୁରେ ବି ଗୀତ ବୋଲିଛନ୍ତି ବାଲୁ ।

ବାଲୁ କଣ୍ଠଦାନ କରିଥିବା ଗୀତ ଶୁଣିଲେ ଆମେ ଆଉ ଏକ ବିସ୍ମୟ ଜଗତରେ ଆତ୍ମବିଭୋର ହୋଇଯାଉ । ପ୍ରଚଣ୍ଡ ପ୍ରତିଭାସଂପ୍ନନ ଏହି ଯୋଗଜନ୍ମା ଗାୟକ ସଂଗୀତର ପ୍ରାୟ ସବୁ ରାଗରେ ପାରଙ୍ଗମ । ବିଭିନ୍ନ ସ୍ୱରରେ ଗୀତ ଗାଇ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳାରେ ସେ ଥିଲେ ସର୍ବଶ୍ରେଷ୍ଠ । ସଂଗୀତର ସବୁ ଜେନରରେ ବାଲୁ ଥିଲେ ସିଦ୍ଧହସ୍ତ ।

୧୯୮୦ ମସିହାରେ ରିଲିଜ ହୋଇଥିଲା ଏକ ତେଲେଗୁ ଫିଲ୍ମ , ଯାହାର ନାମ ଥିଲା ‘ଶଙ୍କରାଭରଣମ’ । ଏହା ତେେଲେଗୁ ତଥା ଭାରତୀୟ ସିନେମାର ସର୍ବକାଳିନ ମହାନ ଫିଲ୍ମ ମଧ୍ୟରେ ଅନ୍ୟତମ । ଶଙ୍କରାଭରଣମ ଫିଲ୍ମର ସଂଗୀତ ବି ଥିଲା ଅଦ୍ୱିତୀୟ, ଅବିସ୍ମରଣୀୟ । ପ୍ରକୃତରେ କହିବାକୁ ଗଲେ ଶଙ୍କରାଭରଣମର କାହାଣୀରେ ସଂଗୀତ ଥିଲା ଅବିଚ୍ଛେଦ୍ୟ ଅଂଶ । ଏହି ଫିଲ୍ମରେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ କେ.ଭି ମହାଦେବନଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଥିଲେ ବାଲୁ । ସବୁ ଗୀତ ଥିଲା ରାଗ ଆଧାରିତ । ଏହି ଫିଲ୍ମର ସଂଗୀତ ଓ ବାଲୁଙ୍କୁ ସାରାବିଶ୍ୱରେ ଖ୍ୟାତି ଆଣିଦେଇଥିଲା । ଶଙ୍କରାଭରଣମ ପାଇଁ ଶ୍ରେଷ୍ଠ ଗାୟକ ଭାବେ ଜାତୀୟ ପୁରସ୍କାର ପାଇଥିଲେ ବାଲୁ । ୧୯୮୧ରେ ରିଲିଜ ହୋଇଥିବା ‘ଏକ ଦୁଜେ କେଲିୟେ’ ଫିଲ୍ମରେ ଗୀତ ଗାଇ ହିନ୍ଦି ଶ୍ରୋତାଙ୍କୁ ମତୁଆଲା କରିଥିଲେ ବାଲୁ । ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଗାୟକ ଭାବେ ବାଲୁଙ୍କୁ ମିଳିଥିଲା ଆଉ ଏକ ଜାତୀୟ ପୁରସ୍କାର ।

ଏମିତି କୌଣସି ସଂଗୀତ ନିର୍ଦ୍ଦେଶକ ନାହାନ୍ତି, ଯାହାଙ୍କ ସହ ବାଲୁ ତାଙ୍କ ସମୟରେ କାମ କରିନାହାନ୍ତି । ଆଗ ଧାଡିର ସବୁ ସଂଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଗୀତ ଗାଇଛନ୍ତି ବାଲୁ । ସେହିପରି ସେ ପ୍ରାୟ ସବୁ ଖ୍ୟାତନାମା ଗାୟିକାଙ୍କ ସହ ବି ଗୀତ ଗାଇଛନ୍ତି । ତେଲେଗୁ ଫିଲ୍ମର ନାୟକ ଏନଟିଆର୍‌, ଏଏନଆରଙ୍କଠାରୁ ଆରମ୍ଭ କରି ବର୍ତମାନର ଜୁନିଅର ଏନଟିଆର୍‌, ନାଗା ଚୈତନ୍ୟ ପ୍ରମୁଖଙ୍କ ପାଇଁ ପାଶ୍ୱର୍ ଗାୟନ କରିଛନ୍ତି ବାଲୁ । ଅନ୍ତତଃ ଥରୁଟିଏ ହେଲେ ମଧ୍ୟ ବାଲୁଙ୍କ ସହ କାମ କରିବା ପାଇଁ ସବୁ ସଂଗୀତ ନିର୍ଦ୍ଦେଶକ ଓ ଗାୟକଗାୟିକା ଚାହୁଁଥିଲେ । ଏହା ହିଁ ତ ବାଲୁଙ୍କ ମହାନତାର ପରିଚୟ ବହନ କରେ ।
ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ସହ ବାଲସୁବ୍ୟମଣ୍ୟମଙ୍କର ଥିଲା ସ୍ୱତନ୍ତ୍ର ସମୀକରଣ । ରାଜା-ବାଲୁ ଥିଲେ ସୁପରହିଟ୍ ସଂଗୀତ ନିର୍ଦ୍ଦେଶକ-ଗାୟକ ଯୋଡି । ପରସ୍ପରର ସଫଳତାରେ ଭାଗିଦାରୀ ଥିଲେ ଇଲାୟାରାଜା ଓ ବାଲୁ । ଫିଲ୍ମ ସଂଗୀତ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିଅର ଆରମ୍ଭ କରିବା ଆଗରୁ ଇଲାୟାରାଜା ବାଲୁଙ୍କ ସହ କାମ କରିଥିଲେ । ସେତେବେଳେ ଇଲାୟାରାଜା ଏକ ଅର୍କେଷ୍ଟ୍ରାରେ ସଦସ୍ୟ ଥିଲେ । ସେହି ଅର୍କେଷ୍ଟ୍ରାରେ ବାଲୁ ଗୀତ ଗାଉଥିଲେ । ୧୯୭୦ରେ ଶେଷ ଭାଗରେ ଯେତେବେଳେ ଇଲାୟାରାଜା ଦକ୍ଷିଣ ଭାରତୀୟ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କଲେ, ସେ ଗାୟକ ଭାବେ ବାଲୁଙ୍କୁ ନେଇଥିଲେ । ଆଉ ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ବାଲୁ ଅସଂଖ୍ୟ ହିଟ୍ ଓ ଚିରସବୁଜ ଫିଲ୍ମ ଗୀତ ଗାଇଛନ୍ତି । ଉଭୟେ ଉଭୟଙ୍କ ସଫଳତାରେ ପରିପୂରକ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ବାଲୁ ଓ ଏସ.ଜାନକୀ ହିଁ ତାମିଲ ସମେତ ଅଧିକାଂଶ ଦକ୍ଷିଣ ଭାରତୀୟ ଫିଲ୍ମରେ ଗୀତ ଗାଇଛନ୍ତି । ରାଜା-ବାଲୁଙ୍କ ସୁପରହିଟ୍ ଯୋଡି ଅତୁଟ ରହିଥିଲା । ଏହି ଯୋଡି ଅନେକ ମ୍ୟୁଜିକାଲ ଶୋ ବି କରିଛନ୍ତି । ଏଠାରେ ଉଲ୍ଲେଖେଯାଗ୍ୟ ଯେ, ତେଲେଗୁ ଫିଲ୍ମ ସ୍ୱାତୀ ମୁଥ୍ୟମ ଓ ରୁଦ୍ର ବୀଣା ପାଇଁ ଉଭୟେ ଇଲାୟରାଜା ( ସଂଗୀତ ନିର୍ଦ୍ଦେଶନା ) ଓ ବାଲୁ ( ଗାୟକ ) ଜାତୀୟ ପୁରସ୍କାର ପାଇଥିଲେ ।

ବାଲୁଙ୍କ ନାଁରେ ରହିଛି ଏକ ଅପରାଜେୟ ରେକର୍ଡ । ଗୋଟିଏ ଦିନରେ ସେ ୨୧ଟି ଗୀତ ରେକର୍ଡ କରିଥିଲେ । ଆଉ ଏହି ରେକର୍ଡ କେହି ଭାଙ୍ଗିବା ଅସମ୍ଭବ ମନେହେଉଛି । ୧୯୮୧ ମସିହା ଫେବ୍ରୁଆରୀ ୮ ତାରିଖରେ ସକାଳ ୯ଟାରୁ ରାତି ୯ଟା ମଧ୍ୟରେ ବେଙ୍ଗଳୁରୁରେ ଉପେନ୍ଦ୍ର କୁମାରଙ୍କ ସଂଗୀତ ନିର୍ଦ୍ଦେଶନାରେ ବାଲୁ ୨୧ଟି ଗୀତ ରେକର୍ଡ କରି ଇତିହାସ ରଚିଥିଲେ ।

ନିଜର ଗୌରବମୟ ସାଂଗୀତିକ ଯାତ୍ରାରେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି ବାଲୁ । ୬ଟି ଜାତୀୟ ପୁରସ୍କାର ସମେତ ୬ଟି ନନ୍ଦି ପୁରସ୍କାର ହାସଲ କରିଛନ୍ତି ବାଲୁ । ଏଥିସହ ସେ ତାମିଲନାଡୁ ଓ କଣ୍ଣା ର୍ଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ହାସଲ କରିଛନ୍ତି । ଏଥସହ ହିନ୍ଦି ସମେତ ଦକ୍ଷିଣ ଭାରତୀୟ ଫିଲ୍ମ ପାଇଁ ଶ୍ରେଷ୍ଠ ଗାୟକ ଭାବେ ୬ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ବାଲୁ । ୨୦୧୨ରେ ବାଲୁ ପାଇଥିଲେ ଏନଟିଆର ଜାତୀୟ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବାଲୁ ୨୦୧୬ ମସିହାରେ ପାଇଥିଲେ ସିଲଭର ପିକକ୍ ସମ୍ମାନ । ୨୦୦୧ ମସିହାରେ ଭାରତ ସରକାର ବାଲୁଙ୍କୁ ପଦ୍ମଶ୍ରୀ ଓ ୨୦୧୧ ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।

କେବଳ ଗାୟନ କ୍ଷେତ୍ରରେ ନୁହେଁ , ସିନେମାର ଅନ୍ୟାନ୍ୟ ବିଭାଗରେ ବି ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ବାଲୁ । ଜଣେ ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ଡବିଂ କଳାକାର ଭାବେ ନିଜକୁ ସାବ୍ୟସ୍ତ କରିପାରିଥିଲେ । ତେଲେଗୁ ,ତାମିଲ , କନ୍ନଡ ଓ ହିନ୍ଦି ଭାଷାର ୪୬ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ.ପି ବାଲସୁବ୍ରମଣ୍ୟମ । ୭୨ଟି ଫିଲ୍ମରେ ଅଭିନୟ କରି ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି ବାଲୁ । କେବଳ ଦୁଇଟି ଚରିତ୍ର ଥିବା ତେଲେଗୁ ଫିଲ୍ମ ‘ମୈଧୁନମ’ରେ ଅଭିନୟ କରି ନିଜର ଅଭିନୟ ପରାକାଷ୍ଠା ଦେଖାଇଛନ୍ତି ବାଲୁ । ଶୁଭସଂକଳ୍ପମ, ଭମାନେ ସତ୍ୟା ଭମାନେ ଫିଲ୍ମର ପ୍ରଯୋଜନା କରିଥିଲେ ବାଲସୁବ୍ରମଣ୍ୟମ ।

ଡବିଂ କ୍ଷେତ୍ରରେ ବାଲୁଙ୍କ ପ୍ରବେଶ ଥିଲା ଏକ ସଂଯୋଗ । କେ. ବାଲଚନ୍ଦରଙ୍କ ମନ୍ମଧଲୀଳା ଫିଲ୍ମରେ ସେ ଅଭିନେତା କମଲ ହସନଙ୍କ ପାଇଁ ଭଏସ ଓଭର ଦେଇଥିଲେ । ଏହାପରେ ସେ କମଲ ହାସନ ଅଭିନୀତ ତେଲେଗୁ ଫିଲ୍ମରେ ତାଙ୍କ ପାଇଁ ଡବିଂ କରିବା ଆରମ୍ଭ କଲେ । ‘ଦଶାବତରାମ’ ଫିଲ୍ମର ତେଲେଗୁ ଭର୍ସନରେ ବାଲୁ କମଲ ହସନ କରିଥିବା ୧୦ଟି ଭୂମିକା ମଧ୍ୟରୁ ୭ଟି ଭୂମିକା ପାଇଁ ଭଏସ ଦେଇଥିଲେ । ଏହା ତାଙ୍କୁ ବେଶ୍ ପ୍ରଶଂସା ଆଣିଦେଇଥିଲା । ଏହାଛଡା ରଜନୀକାନ୍ତ, ଜେମିନି ଗଣେଶନ, ବିଷ୍ଣୁ ବର୍ଧନ, ସଲମନ ଖାନ, ଗିରୀଶ କର୍ନଡଙ୍କ ପାଇଁ ଭଏସ ଦେଇଥିଲେ ବାଲୁ ।

ଗାନ୍ଧି ପିଲ୍ମର ତେଲେଗୁ ଭର୍ସନରେ ବେନ୍ କିଙ୍ଗସଲେଙ୍କ ଭଏସ ଦେଇଥିଲେ ବାଲୁ । ତେଲେଗୁ ଫିଲ୍ମ ରାମରାଜ୍ୟମର ତାମିଲ ଭର୍ସନରେ ସେ ବାଲକ୍ରିଷ୍ଣାଙ୍କ ପାଇଁ ଭଏସ ଦେଇଥିଲେ । କେବଳ ଗାୟକ ଭାବେ ନୁହେଁ , ଡବିଂ କଳାକାର ଭାବେ ବି ବାଲୁ ନନ୍ଦି ସମ୍ମାନ ପାଇଛନ୍ତି । ତେଲେଗୁ ଫିଲ୍ମ ଅନାମୟା ଓ ଶ୍ରୀ ସାଇ ମହିମାରେ ଡବିଂ ପାଇଁ ନନ୍ଦି ସମ୍ମାନ ହାସଲ କରିଥିଲେ ବାଲସୁବ୍ରମଣ୍ୟମ ।

ସମାଜସେବା କ୍ଷେତ୍ରରେ ବି ମନୋନିବେଶ କରିଥିଲେ ଏସବିପି । ବିଭିନ୍ନ ଲୋକଙ୍କୁ ସେମାନଙ୍କ ଦୁଃସମୟରେ ହାତ ବଢାଇଛନ୍ତି ବାଲୁ । ପ୍ରାକୃତିକ ବିପର୍ୟ୍ୟୁୟ ବେଳେ ସେ ବିଭିନ୍ନ ଫଣ୍ଡ୍ ରେଇଜିଂ କାଯ୍ୟ ର୍କ୍ରମ କରି ନିଜର ସାମାଜକ ଦାୟିତ୍ୱବୋଧର ପରିଚୟ ଦେଇଛନ୍ତି ବାଲୁ । ସତରେ ସେ ଥିଲେ ଜଣେ ଯୋଗଜନ୍ମା ପ୍ରଚଣ୍ଡ ପ୍ରତିଭାସଂପନ୍ନ ବ୍ୟକ୍ତିତ୍ୱ । ଆଉ ଏଥିପାଇଁ ତ ସେ ଅମର, ଚିର ନମସ୍ୟ ।

Comments are closed.