ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ତାରାତାରିଣୀ ପୀଠ

ବ୍ରହ୍ମପୁର: କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଏବେ ନୂଆ ରୂପରେ ସଜେଇ ହେଉଛି। ସ୍ଥାନୀୟ, ଓଡ଼ିଶା ସମେତ ବାହାର ରାଜ୍ୟର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ଏହି ଦେବୀ ପୀଠର ନବକଳେବର। ଆସନ୍ତା ନଭେମ୍ବର ମାସ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା ସହ କାମ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ତାରାତାରିଣୀ ମନ୍ଦିରର ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ମନ୍ଦିରର ପ୍ରସାଦ ମଣ୍ଡପ ଓ ପାଦ ଦେଶରେ ମନ୍ଦିର କାର୍ଯ୍ୟାଳୟ ନିର୍ମାଣ ସରି ଆସିଲାଣି। ପୀଠ ପାଦଦେଶରୁ ପାହାଡ଼ ଉପରେ ମନ୍ଦିର ପର୍ଯ୍ୟନ୍ତ ସୋଲାର ଲାଇଟ୍ ଲଗାଯିବ। ଏଥିସହ ଭୂତଳ ତାର ବିଛାଇ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯିବ। ମନ୍ଦିରରେ ବିଶୁଦ୍ଧ ପାନୀୟ ଜଳ, ବାହାର ପରିସରରେ ଶୌଚାଳୟ ଓ ପରିମଳ ବ୍ୟବସ୍ଥା ତୁରନ୍ତ ସାରିବ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ। ପୀଠର ରୋଷଘର ଠାରୁ ମଝି ମନ୍ଦିରର ଗୁମୁଟ ପର୍ଯ୍ୟନ୍ତ ଛାତ କାର୍ଯ୍ୟ କରିବା ସହ ମନ୍ଦିର ବେଢା ଭିତରେ ଦଶ ମହାବିଦ୍ୟା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବୈଠକରେ ଆଗ୍ରହ ପ୍ରକାଶ କରିଛନ୍ତି ସେବାୟତ ପ୍ରତିନିଧି।

ତାରାତାରିଣୀ ମନ୍ଦିରର ଅହରହ ଚାଲିଥିବା ବିକାଶ କାର୍ଯ୍ୟରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ ରହିଛି। ପୀଠର ପାଚେରୀ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଚାଲିଛି । ଅଶ୍ବିନ ମାସରେ ଷୋଡ଼ଶ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ହେବ।

ଗଞ୍ଜାମର ଆରାଧା ଦେବୀ ମା’ ତାରାତାରିଣୀ ମନ୍ଦିରର ନୂଆ ସୁସଜ୍ଜିତ ପରିସର ଭକ୍ତ, ଆଧ୍ୟାତ୍ମ ପ୍ରେମୀ, ସାଧାରଣ ପର୍ଯ୍ୟଟକ, ପ୍ରକୃତିପ୍ରେମୀଙ୍କୁ ଟାଣି ଆଣିବ ବୋଲି ଆଶା କରାଯାଉଛି। ଏହାର ଚତୁଃପାର୍ଶ୍ବ ଉନ୍ନତି ଓ ସୌନ୍ଦର୍ଯ୍ୟକରଣର କିଛିଟା ଝଲକକୁ କ୍ୟାମେରା ଲେନ୍ସରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ନିକଟ ଅତୀତରେ ପୋଷ୍ଟ କରିଥିଲେ ଗଞ୍ଜାମ ଜିଲ୍ଲାପାଳ।

Comments are closed.