ପଶ୍ଚିମ ଓଡ଼ିଶାର ଖେଳାଳୀଙ୍କ ପାଇଁ ବରଦାନ ସାଜିବ ୨୧ ଇଣ୍ଡୋର ଷ୍ଟାଡିଅମ୍

ସମ୍ବଲପୁର : କ୍ରୀଡାରେ ପୁଞ୍ଜିନିବେଶ ଅର୍ଥ ଯୁବଶକ୍ତି ପାଇଁ ପୁଞ୍ଜିନିବେଶ । ଅଲିମ୍ପିକରେ ଉଭୟ ପୁରୁଷ ଓ ମହିଳା ଦଳର ଅପୂର୍ବ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବିବୃତିକୁ ବର୍ତ୍ତମାନ ପୁଣି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଉଛନ୍ତି । ରାଜ୍ୟର ତୃଣମୂଳସ୍ତର ଯାଏ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଥିବା ନବୀନ ସରକାର ଗତକାଲି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାର ୮୯ଟି ସହରାଞ୍ଚଳରେ ୮୯ଟି ଇନଡୋର ଷ୍ଟାଡିଅମ୍ ନିର୍ମାଣ ପାଇଁ ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି । ଏଥିରୁ କେବଳ ପଶ୍ଚିମ ଓଡିଶାରେ ୨୧ଟି ଷ୍ଟାଡିଅମ୍ ନିର୍ମାଣ ହେବାକୁ ଯାଉଛି । ଏହି ସୂଚନା ମିଳିବା ପରେ ସମଗ୍ର ପଶ୍ଚିମ ଓଡିଶାର କ୍ରୀଡ଼ାପ୍ରେମୀ ମହଲରେ ଉତ୍ସାହ ଖେଳିଯାଇଥିବା ବେଳେ ଯୁବଶକ୍ତିର ପ୍ରୋସାହନ ଦିଗରେ ନବୀନଙ୍କ ଭୂମିକା ପାଇଁ ତାଙ୍କୁ ସବୁ ମହଲରୁ ସାଧୁବାଦ ଦିଆଯାଇଛି । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଦେଶ ପାଇଁ ଅନେକ ଗୌରବ ସାଉଁଟିଛନ୍ତି । ଦୀର୍ଘ ୪ ଦଶନ୍ଧି ପରେ ଦେଶ ପାଇଁ ହକି ଦଳ ମେଡାଲ ଆଣିଛନ୍ତି । ଆଉ ଏହି ସଫଳତାର ଶ୍ରେୟ ସାରା ଦେଶବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରକୁ ହିଁ ଦେଇଛନ୍ତି । କାରଣ , ସମସ୍ତେ ଯେତେବେଳେ କ୍ରିକେଟରେ ପାଗଳ ଥିବା ବେଳେ ହକି ଦିନକୁ ଦିନ ତାର ପୁରୁଣା ଗୌରବ ହଜାଇବାକୁ ବସିଥିଲା । ଏହି ସମୟରେ ଓଡ଼ିଶା ସରକାର ହକିର ଉଭୟ ଜାତୀୟ ଦଳକୁ କୋଳେଇ ନେଇଥିଲେ । ଉଭୟ ଦଳର ପ୍ରଯୋଜକ ସାଜି ଏହି ଖେଳାଳୀଙ୍କୁ ପ୍ରୋତ୍ସାହିତ କରି ଆସିଥିଲେ । ଆଉ ଏହି ଉଦ୍ୟମ ଯୋଗୁଁ ହିଁ ହକି ପୁଣି ଥରେ ତାର ହୃତଗୌରବ ଫେରି ପାଇବାରେ ସକ୍ଷମ ହୋଇଛି । ଖାଲି ସେତିକି ନୁହେଁ , ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ୍ ଏବଂ ରାଉରକେଲାର ବିର୍ସା ଷ୍ଟାଡିଅମକୁ ବିଶ୍ବସ୍ତରୀୟ ହକି ଷ୍ଟାଡିଅମ୍ ଭାବେ ପରିଣତ କରିବାର ପୀଡା ଉଠାଇଛନ୍ତି ରାଜ୍ୟ ସରକାର । ଏହାଛଡା ଆସନ୍ତା ୨୦୨୩ରେ ହେବାକୁ ଥିବା ହକି ବିଶ୍ଵକପ୍ ଆୟୋଜନର ଭାର ଉଠାଇ ସାରା ବିଶ୍ଵର ହକି ପ୍ରେମୀଙ୍କ ଠାରୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ସାରା ରାଜ୍ୟରେ କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ଗତକାଲି ନେଇଥିବା ପଦକ୍ଷେପ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ସୃଷ୍ଟି କରିଛି । ରାଜ୍ୟର ୮୯ଟି ସହରାଞ୍ଚଳରେ ୬୯୩.୩୫ କୋଟି ବ୍ୟୟରେ ୮୯ଟି ଇନଡୋର ଷ୍ଟାଡିଅମ୍ ନିର୍ମାଣ ହେବ । ଏଥିରୁ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ୨୧ଟି ଷ୍ଟାଡିଅମ୍ ନିର୍ମାଣ ହେବାକୁ ଯାଉଛି । ବିଶେଷ କରି ପଶ୍ଚିମ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ କ୍ରୀଡା ପ୍ରତିଭା ରହିଥିବା ବେଳେ ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ଆବଶ୍ୟକତା ରହିଛି । ଫୁଟବଲ , କ୍ରିକେଟ୍ , ହକି ପରି ଆଉଟଡୋର ଖେଳ ବ୍ୟତୀତ ବହୁ ଇନଡୋର ଗେମ୍ ପ୍ରତି ଲୋକଙ୍କ ମଧ୍ୟରେ ଦିନକୁ ଦିନ ରୁଚି ବଢିବାରେ ଲାଗିଛି । ବିଶେଷ କରି ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ବ୍ୟାଡ୍‌ମିଣ୍ଟନ , ଟେବୁଲ ଟେନିସ୍‌ , କ୍ୟାରମ୍ଭ , ଚେସ୍‌ ପରି ଗେମ୍ ପ୍ରତି ଆଗ୍ରହ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏହି ଇନଡୋର ଷ୍ଟାଡିଅମର ପରିକଳ୍ପନା ରାଜ୍ୟ ସରକାର କରିଛନ୍ତି ।

ଏଥିରେ ସବୁ ପ୍ରକାର ଇନଡୋର୍ ଗେମର ବ୍ୟବସ୍ଥା ରହିବ । ତେବେ , ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ହେବାକୁ ଥିବା ଷ୍ଟାଡିଅମ୍ ଗୁଡିକ ହେଲା- ବରଗଡ ଜିଲ୍ଲାର ଅତାବିରା ଏନ୍ଏସି , ବରଗଡ ପୌର ପରିଷଦ , ବରପାଲି ଏନ୍ ଏସି , ବିଜେପୁର ଏନଏସି ଏବଂ ପଦମପୁର ଏନ୍ଏସି , ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଏବଂ ତୁଷରା ଏନ୍ଏସି , ଝାରସୁଗୁଡା ଜିଲ୍ଲାର ବେଲପାହାଡ ଏବଂ ବ୍ରଜରାଜନଗର ପୌର ପରିଷଦ , କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଏବଂ କେସିଂଗା ଏନ୍ଏସି , ନୂଆପଡା ଜିଲ୍ଲାର ଖରିଆର ରୋଡ ଏନ୍ଏସି , ଖରିଆର ଏନ୍‌ଏସି ଏବଂ ନୂଆପଡା ଏନ୍ଏସି , ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏବଂ ରେଢାଖୋଲ ଏନ୍ଏସି , ସୋନପୁର ଜିଲ୍ଲାର ବିନିକା ଏବଂ ତରଭା ଏନ୍ଏସି ଏବଂ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର , ରାଜଗାଙ୍ଗପୁର ପୌର ପରିଷତ ସମେତ ରାଉରକେଲା ମହାନଗର ନିଗମ । ଏନ୍ଏସିରେ ହେବାକୁ ଥିବା ଷ୍ଟାଡିଅମ୍ ପାଇଁ ୬.୪୦ କୋଟି ଏବଂ ପୌର ପରିଷଦର ଷ୍ଟାଡିଅମ୍ ପାଇଁ ୧୦.୧୫ କୋଟି ବ୍ୟୟବରାଦ ହେବ ।

ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସହିତ ହେବାକୁ ଥିବା ଏହି ଷ୍ଟାଡିଅମ୍ ଗୁଡିକ କରୋନା ମହାମାରୀ ସମୟରେ କୋଭିଡ୍ କେୟାର ସେଣ୍ଟର ଭାବେ ବ୍ୟବହୃତ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ , ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନା ଆଗାମୀ ଦିନରେ ରାଜ୍ୟରେ ବହୁ ସଂଖ୍ୟାରେ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଭା ସୃଷ୍ଟି ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Comments are closed.