ମହିଳା ସଂରକ୍ଷଣ ବିଲ୍ : ଯେବେ ଜାତୀୟ ସହମତି ସୃଷ୍ଟି ପାଇଁ ନବୀନ ନେଇଥିଲେ ଅଗ୍ରଣୀ ଭୂମିକା

ସଂସଦରେ ଗୃହୀତ ହୋଇଛି ପ୍ରଲମ୍ବିତ ମହିଳା ସଂରକ୍ଷଣ ବିଲ୍ । ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ଉପସ୍ଥାପିତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ୨୦୧୦ରେ ରାଜ୍ୟସଭାରେ ଗୃହୀତ ହୋଇଥିବା ପୁରୁଣା ବିଲ୍ ବୈଧତା ହରାଇଥିବାରୁ ନରେନ୍ଦ୍ର ମୋଦି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସଂପର୍କିତ ଆଉ ଏକ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିଲେ । ‘ନାରୀ ଶକ୍ତି ବନ୍ଦନ’ ନାଁରେ ଏହି ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ଦୁଇ ତୃତୀୟାଂଶ ଭୋଟରେ ଗୃହୀତ ହେବା ସହ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ । କିନ୍ତୁ ୨୦୨୯ରେ ହିଁ କାର୍ଯ୍ୟକାରୀ ହେବ ଏହି ଐତିହାସିକ ଆଇନ୍ । ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଧାରଣ ହେଲେ ହିଁ ଆଇନ କାର୍ଯ୍ୟକାରୀ ହେବ । ୨୦୨୭ ମସିହାରେ ଦେଶରେ ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଧାରଣ ହେବ । ୨୦୨୧ରେ ହେବାକୁ ଥିବା ଜନଗଣନା କୋରୋନା ଯୋଗୁଁ ସମ୍ଭବ ହୋଇପାରିନଥିଲା । ଆଇନ କାର୍ଯ୍ୟକାରିତାରେ ବିଳମ୍ବ ହେବାକୁ ଥିବାରୁ ବିରୋଧୀ ଦଳ ମୋଦି ସରକାରଙ୍କ ଆଭିମୁଖ୍ୟକୁ ପ୍ରଶ୍ନ କରିଛନ୍ତି । ହେଲେ ଦୀର୍ଘ ୨୭ ବର୍ଷ ଝୁଲି ରହିବା ପରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ମଧ୍ୟ ଭାରତର ସଂସଦୀୟ ଗଣତନ୍ତ୍ର ପାଇଁ ଏକ ଐତିହାସିକ ସଫଳତା । ଆଇନ କାର୍ଯ୍ୟକାରୀ ହେଲେ ଲୋକସଭାର ମୋଟ ୫୪୩ ସଦସ୍ୟଙ୍କ ମଧ୍ୟରୁ ୧୭୯ ଜଣ ମହିଳା ପ୍ରତିନିଧି ଦେଶ ପାଇଁ ଆଇନ ପ୍ରଣୟନ ପ୍ରକ୍ରିୟାରେ ସାମିଲ ହେବା ସହ ଶାସନ ବ୍ୟବସ୍ଥାର ଦିଗଦର୍ଶକ ଭୂମିକା ନିର୍ବାହ କରିବେ ।

ବିଶ୍ୱର ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଅଧିକରୁ ଅଧିକ ଭାଗିଦାରୀ ନେଇ ବର୍ଷ ବର୍ଷ ଧରି ଆଲୋଚନା-ପର୍ଯ୍ୟାଲୋଚନା ହୋଇଆସିଛି । କିନ୍ତୁ କେଉଁଠି ନା କେଉଁଠି କଥା ଅଟକି ଯାଉଥିଲା । ରାଜନୈତିକ ଇଚ୍ଛାଶକ୍ତି ଓ ଆନ୍ତରିକତାର ଅଭାବ ହିଁ ମହିଳା ସଂରକ୍ଷଣ ବିଲ୍ ଆଜି ଯାଏଁ ସଂସଦରେ ପଡିରହିଥିଲା । ପ୍ରତ୍ୟେକ କ୍ଷେତ୍ରରେ ମହିଳା ସଶକ୍ତିକରଣ କଥା କୁହାଯାଉଥିଲେ ମଧ୍ୟ ଏହା କାର୍ଯ୍ୟରେ କ୍ୱଚିତ ପ୍ରତିଫଳିତ ହେଉଛି । ଅତୀତରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ବାବଦରେ ମଧ୍ୟ ଏହା ଦେଖିବାକୁ ମିଳିଛି ।

କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ । ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ସପକ୍ଷରେ ସର୍ବଦା ମତପ୍ରକାଶ କରିଆସିଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ । ମହିଳା ସଶକ୍ତିକରଣ ପାଇଁ ‘ମିଶନ ଶକ୍ତି’ ଭଳି ସଫଳ ପଦକ୍ଷେପ ନେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ବଳିଷ୍ଠ ଉଦାହରଣ । ମହିଳା ସଶକ୍ତିକରଣ ଓ ସେମାନଙ୍କ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ୱକୁ କେବଳ କଥା ବା ସ୍ଲୋଗାନରେ ସୀମିତ ରଖିନାହାନ୍ତି ନବୀନ । ଆନ୍ତରିକତାର ସହ ସେ କାର୍ଯ୍ୟରେ ବି ପରିଣତ କରଛନ୍ତି । ମହିଳା ସଂରକ୍ଷଣ ବିଲ୍ ଶୀତଳ ଭଣ୍ଡାରରେ ପଡିରହିଥିବା ବେଳେ ଏବଂ ଏ ପ୍ରସଙ୍ଗରେ ଜାତୀୟ ସ୍ତରରେ ଚର୍ଚ୍ଚା ଥମିଯାଇଥିବା ବେଳେ ନବୀନ ପଟ୍ଟନାୟକ ହିଁ ଏହାକୁ ପୁନଃଜୀବିତ କରିଥିଲେ । ବିଜେଡି ସୁପ୍ରିମୋଙ୍କ ପ୍ରୟାସ ଯୋଗୁଁ ହିଁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଥିଲା ମହିଳା ସଂରକ୍ଷଣ ପ୍ରସଙ୍ଗ । ପ୍ରାୟ ୫ ବର୍ଷ ତଳେ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଦିଗରେ ନେଇଥିଲେ ଏକ ଐତିହାସିକ ପଦକ୍ଷେପ । ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ୩୩ ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗତ ପ୍ରସ୍ତାବ ୨୦୧୮ ମସିହା ନଭେମ୍ବର ୨୦ ତାରିଖରେ ସର୍ବସମ୍ମତ ଭାବେ ଗୃହୀତ ହୋଇଥିଲା । ମହିଳା ସଂରକ୍ଷଣ ପାଇଁ ୧୦୮ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ପଡିରହିଥିବା ବେଳେ ନବୀନଙ୍କ ଦ୍ୱାରା ଆଗତ ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତ ଭାବେ ଗୃହୀତ ହୋଇଥିଲା ।

ମାଆ ଓ ଝିଅମାନେ ଯଦି ରାଜ୍ୟ ଓ ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥାରେ ସକ୍ରିୟ ଭୂମିକା ନିର୍ବାହ କରନ୍ତି, ତାହା ହେଲେ ନୂଆ ଓଡିଶା ଆହୁରି ଉତ୍ସାହର ସହ ଗତିଶୀଳ ହେବ । ଓଡିଶା ମାଟିରେ ମହିଳାମାନେ ଯେ ପ୍ରକୃତରେ କ୍ଷମତାସଂପନ୍ନ ଓ ରାଷ୍ଟ୍ର ନିର୍ମାଣରେ ସଂପୃକ୍ତ, ଓଡିଶା ତାହା ସମଗ୍ର ଦେଶକୁ ଦେଖାଇବା ଦରକାର ବୋଲି ଗୃହରେ ପ୍ରସ୍ତାବ ଆଗତ କରି ନବୀନ କହିଥିଲେ । ମହିଳା ସଶକ୍ତିକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ଓ ଦେଶ ଆଗେଇ ପାରିବ ନାହିଁ ବୋଲି ବିଧାନସଭାରେ କହିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ।

ନବୀନ ପଟ୍ଟନାୟକଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ମହିଳା ସଶକ୍ତିକରଣର କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ରାଜନୈତିକ ପ୍ରକ୍ରିୟାରେ ମହିଳାଙ୍କ ଉପଯୁକ୍ତ ଭାଗିଦାରୀର ପ୍ରମୁଖ ସମର୍ଥକ ଥିଲେ ବିଜୁ ପଟ୍ଟନାୟକ । ୧୯୯୨ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ୨୦୧୧ ମସିହାରେ ନବୀନ ପଟ୍ଟନାୟକ ପଂଚାୟତ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନଗୁଜିକରେ ମହିଳା କୋଟା ପ୍ରତିଶତ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ସଂପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ ହେଲା ପରେ ମଧ୍ୟ ନୀରବ ବସି ନଥିଲେ ନବୀନ । ସଂସଦରେ ଝୁଲି ରହିଥିବା ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ସହମତି ସୃଷ୍ଟି କରିବା ସହ ଏହାକୁ ପାସ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ୨୦୧୮ ମସିହା ଡିସେମ୍ବରରେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ ନବୀନ । ଏକ ପ୍ରକାର କ୍ୟାମ୍ପେନ ମୋଡ୍‌ରେ ଆସିଥିଲେ ବିଜେଡି ସୁପ୍ରିମୋ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ବିଲ୍ ସପକ୍ଷରେ ସମର୍ଥନ ଜୁଟାଇବାକୁ ଅନୁରୋଧ କରିବା ପାଇଁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିର୍ଦ୍ଦେଶ ମୁତାବକ ବିଜେଡି ପ୍ରତିନିଧି ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ସଂପୃକ୍ତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାରେ ସହାୟକ ହେବାକୁ ଅନୁରୋଧ କରିଥିଲେ । ୨୨ଟି ଜାତୀୟ ଓ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟି ବିଲ୍ ସପକ୍ଷରେ ସମର୍ଥନ ଲୋଡିଥିଲେ ।

କେବଳ କଥା ନ କହି କାମରେ ସର୍ବଦା ବିଶ୍ୱାସ ରଖୁଥିବା ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ତାଙ୍କ ଦଳ ୩୩ ପ୍ରତିଶତ ଆସନ ଅର୍ଥାତ ୭ଟିରେ ପ୍ରାର୍ଥୀ ଦେବ । ଆଉ ସେୟା ହିଁ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ନବୀନ ପଟ୍ଟନାୟକ । ସେ ପ୍ରମାଣ କରିଥିଲେ ଯେ, ମହିଳା ସଶକ୍ତିକରଣ କେବଳ ସ୍ଲୋଗାନରେ ସୀମିତ ରହିଲେ ହେବ ନାହିଁ । ଏଥିପାଇଁ ଆନ୍ତରିକତା ଓ ଦୃଢ ରାଜନୈତିକ ଇଚ୍ଛାଶକ୍ତି ବି ଥିବା ଦରକାର । ନବୀନଙ୍କ ଉଦ୍ୟମ ଯୋଗୁଁ ଜାତୀୟ ସ୍ତରରେ ପୁଣି ମହିଳା ସଂରକ୍ଷଣ ବିଲ୍ ଚର୍ଚ୍ଚିତ ହୋଇଥିଲା । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ପ୍ରୟାସ ପାଇଁ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଥିଲେ ନବୀନ । ନବୀନଙ୍କ ଉଦ୍ୟମ ଜାତିସଂଘର ବି ଦୃଷ୍ଟି ଆକର୍ଷଣ କରିଥିଲା । ଜାତିସଂଘ ମହିଳା ସଂଗଠନ ନବୀନଙ୍କୁ ଏ ପ୍ରସଙ୍ଗରେ ଭୂୟସୀ ପ୍ରଶଂସା କରିଥିଲା । ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଙ୍ଗଠନର ପ୍ରତିନିଧି ନିସ୍ଥା ସତ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍ ପାଇଁ ପ୍ରୟାସକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଜାତୀୟ ସହମତି ସୃଷ୍ଟି ପାଇଁ ନବୀନଙ୍କ ନିରନ୍ତର ପ୍ରୟାସ ସଫଳ ହୋଇଛି । ସଂସଦରେ ଗୃହୀତ ହୋଇଛି ନାରୀ ଶକ୍ତି ବନ୍ଦନ ବିଲ । ଏହାକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଛି ବିଜେଡି । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସଂପର୍କିତ ବିଲକୁ ସଂସଦରେ ଗୃହୀତ କରିବା ନିମନ୍ତେ ୨୦୧୮ ମସିହାରୁ ହିଁ ଜାତୀୟ ସ୍ତରରେ ସହମତି ସୃଷ୍ଟି ପାଇଁ ପ୍ରୟାସରତ ଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ବିଲ ସଂସଦରେ ଅନୁମୋଦିତ ହୋଇଛି ଏବଂ ନବୀନ ଯେ, ଏକ ଦୂରଦୃଷ୍ଟି ସଂପନ୍ନ ପ୍ରଗତିଶୀଳ ନେତା, ତାହା ପୁଣିଥରେ ପ୍ରମାଣିତ ହୋଇଛି ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ। 

Comments are closed.