ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣର ଗ୍ରାଫ୍ , ଦୈନିକ ସଂକ୍ରମଣ ସଂଖ୍ୟା ତିନି ହଜାରରୁ ତଳେ, ୨୪ ଘଂଟାରେ ୨୬୧୭ ନୂଆ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ କିଛିଦିନର ଦୈନିକ ସଂକ୍ରମଣ ରିପୋର୍ଟରୁ ଏହା ପ୍ରମାଣିତ ହୋଇସାରିଛି । ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତ ସଂଖ୍ୟା ପ୍ରଥମ ଥର ପାଇଁ ୩ ହଜାର ତଳକୁ ଖସିଛି, ଯାହା କି ପରିସ୍ଥିତିରେ ଉନ୍ନତିକୁ ଦର୍ଶାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ମାତ୍ର ୨ ହଜାର ୬୧୭ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୫୨୧ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦୈନିକ କୋରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଧା ଜିଲ୍ଲା ଆଜି ମଧ୍ୟ ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଛି । ଜିଲ୍ଲାର ଗତ ୨୪ ଘଂଟା ମଧ୍ୟରେ ଚିହ୍ମଟ ହୋଇଛନ୍ତି ୫୦୬ ରୋଗୀ । କଟକ ଜିଲ୍ଲାରେ ମଧ୍ୟ ଦିନକରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଜିଲ୍ଲାରୁ ୧୩୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୫, ବରଗଡରୁ ୧୪୮, ବଲାଙ୍ଗିରରୁ ୧୦୯, ଯାଜପୁରରୁ ୧୧୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୭, ମୟୂରଭଂଜରୁ ୧୦୧, ସମ୍ବଲପୁରରୁ ୧୦୬ ଓ ସୁନ୍ଦରଗଡରୁ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ପୁରୀରୁ ୭୯ ଓ ଗଂଜାମରୁ ୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି । ହେଲେ ଏଥିରୁ ୨ ଲକ୍ଷ ୨ ହଜାର ୩୦୨ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ବି ହ୍ରାସ ପାଇବାରେ ଲାଗିଛି । ୩୨ ହଜାର ୫୧ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ କୋରୋନାରେ ୧୭ ଜଣ ପ୍ରାଣ ହରାଇଛନ୍ତି ।

Comments are closed.