ସିଞ୍ଜୋ ଆବେଙ୍କ ସମ୍ମାନରେ ଭାରତରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଭାରତର ବଡ ନେତାମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି କହିଛନ୍ତି, ମୋର ଜଣେ ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଦେହାନ୍ତରେ ମୁଁ ସ୍ତବ୍ଧ ଏବଂ ମର୍ମାହତ । ସେ ଜଣେ ମହାନ ବିଶ୍ୱସ୍ତରୀୟ ରାଜନେତା, ଜଣେ ଜଣେ ଉଚ୍ଚକୋଟୀର ପ୍ରଶାସକ ଥିଲେ। ଜାପାନ ଏବଂ ବିଶ୍ବର ଉନ୍ନତି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ଅର୍ଥନୀତି ଏବଂ ବିଶ୍ଵ ବ୍ୟାପାର ଉପରେ ତାଙ୍କର ତୀକ୍ଷ୍ଣ ଜ୍ଞାନ ମୋ ଉପରେ ସର୍ବଦା ଗଭୀର ପ୍ରଭାବ ପକାଇଥିଲା। ମୋର ଜାପାନ ଗସ୍ତ ସମୟରେ, ମୁଁ ସିଞ୍ଜୋ ଆବେଙ୍କୁ ପୁଣିଥରେ ଭେଟିବା ଏବଂ ଅନେକ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ପାଇଥିଲି | ସେ ସବୁଥର ପରି ମଜାଳିଆ ଥିଲେ | ମୁଁ ଜାଣି ନଥିଲି ଯେ ଏହା ଆମର ଶେଷ ସାକ୍ଷାତ ହେବ | ତାଙ୍କ ପରିବାର ଏବଂ ଜାପାନବାସୀଙ୍କୁ ମୋର ଆନ୍ତରିକ ସମବେଦନା | ଭାରତ-ଜାପାନ ସମ୍ପର୍କକୁ ସୁଦୃଢ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।

ସିଞ୍ଜୋ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ଆସନ୍ତାକାଲି ତାଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖିତ। ଭାରତ ଏବଂ ଜାପାନ ମଧ୍ୟରେ ରଣନୀତିକ ସମ୍ପର୍କକୁ ସୁଦୃଢ କରିବାରେ ତାଙ୍କର ଭୂମିକା ପ୍ରଶଂସନୀୟ । ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଚିରସ୍ଥାୟୀ ଛାପ ଛାଡିଛନ୍ତି। ତାଙ୍କ ପରିବାର ଏବଂ ଜାପାନବାସୀଙ୍କୁ ମୋର ସମବେଦନା।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଦିନ ନାରା ସହରରେ ଏକ ନିର୍ବାଚନ ପ୍ରଚାର ସମୟରେ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରମାନଙ୍କ ଯଥାସାଧ୍ୟ ଚେଷ୍ଟା ସତ୍ତ୍ବେ ଆବେ ଆଖି ବୁଝିଥିଲେ ।

Comments are closed.