କାଶ୍ମୀରର ଶୋପିଆନରେ ଏନକାଉଣ୍ଟର, ଜୈଶ୍ ଆତଙ୍କବାଦୀ ନିହତ

ଶୋପିଆନ: କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ଆଉ ଏକ ସଫଳତା ମିଳିଛି । ଆଜି ଶୋପିଆନରେ ଏକ ଏନକାଉଣ୍ଟର ବେଳେ ଜୈଶ-ଏ-ମହମ୍ମଦର ଜଣେ ବିଦେଶୀ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କବାଦୀ କାମରାନ୍ ଭାଇ ଓରଫ୍ ଅନିସ୍ ବୋଲି ଜଣାପଡିଛି। ପାକିସ୍ତାନୀ ଆତଙ୍କବାଦୀ କାମରାନର ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ଏଡିଜିପି କାଶ୍ମୀର ବିଜୟ କୁମାର । ସେ କହିଛନ୍ତି ଯେ କାମରାନ୍ କୁଲଗାମ-ଶୋପିଆନରେ ବେଶ୍ ସକ୍ରିୟ ଥିଲା। ଦୀର୍ଘ ଦିନ ଧରି ପୋଲିସ ତାକୁ ଖୋଜୁଥିଲା।

କାମରାନ୍ ଅନେକ ହତ୍ୟାରେ ସମ୍ପୃକ୍ତ ଥିଲା। ସେ ଦୀର୍ଘ ସମୟ ଧରି କୁଲଗାମ ଏବଂ ଶୋପିଆନ୍ ରେ ସକ୍ରିୟ ଥିଲା ବୋଲି ଏଡିଜିପି ବିଜୟ କୁମାର କହିଛନ୍ତି | କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢୁଥିବା ସୁରକ୍ଷା ବାହିନୀ ପାଇଁ କାମରାନର ହତ୍ୟା ଏକ ବଡ଼ ସଫଳତା। ଏଥିପାଇଁ ସେ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଜବତ କରାଯାଇଛି।

ଖାବରାନ ଅଞ୍ଚଳରେ ଅଧିକ ଆତଙ୍କବାଦୀଙ୍କ ଉପସ୍ଥିତି ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି। ଏଡିଜିପି କହିଛି ଯେ ଯେପର୍ଯ୍ୟନ୍ତ କାଶ୍ମୀରରେ ଆତଙ୍କବାଦୀଙ୍କ ମୂଳପୋଛ ହୋଇନାହିଁ, ସେ ପର୍ଯ୍ୟନ୍ତ ଆତଙ୍କବାଦୀ ବିରୋଧୀ ଅପରେସନ୍ ଜାରି ରହିବ। ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୧୫ରେ ଆତଙ୍କବାଦୀମାନେ ଶୋପିଆନରେ କାଶ୍ମୀରୀ ପଣ୍ଡିତ ପୂର୍ଣ୍ଣକୃଷ୍ଣ ଭଟଙ୍କୁ ହତ୍ୟା କରିଥିଲେ। ସେହି ହତ୍ୟା କାମରାନର ନିର୍ଦ୍ଦେଶରେ ହୋଇଥିଲା ।

Comments are closed.