ଆରଏସ୍ଏସ୍ ନିଜ ଡିପିରେ ଲଗାଇ ନାହିଁ ତ୍ରିରଙ୍ଗା, ବିରୋଧୀ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ ନେତା ଠାରୁ ଜନତା ସମସ୍ତେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିପି ପରିବର୍ତ୍ତନ କରି ତ୍ରିରଙ୍ଗା ଲଗାଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ସତ୍ତ୍ୱେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଡିପି (ଡିସପ୍ଲେ ପିକଚର୍) ବଦଳାଇ ନଥିବାରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ସମାଲୋଚନାର ସମ୍ମୁଖୀନ ହୋଇଛି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ସୋସିଆଲ ମିଡିଆ ଡିପିରେ ତ୍ରିରଙ୍ଗା ରଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଡିପିରେ ତ୍ରିରଙ୍ଗାର ଛବି ଲଗାଇଥିଲେ । ଅନ୍ୟ ବିଜେପି ନେତା ଓ ମନ୍ତ୍ରୀମାନେ ମଧ୍ୟ ଏପରି କରିଥିଲେ । କିନ୍ତୁ ଆରଏସଏସ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତଙ୍କ ଡିପି ଏ ଯାଏଁ ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସଂଘ ବିରୋଧୀ ଦଳ, ବିଶେଷକରି କଂଗ୍ରେସର ଟାର୍ଗେଟରେ ଅଛି।

ସମାଲୋଚନାର ସରବ୍ୟ ହେବା ପରେ ଆରଏସଏସର ଅଖିଳ ଭାରତୀ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଏକ ଭିଡିଓ ବାର୍ତ୍ତା ଜାରି କରି ନିଜ ପକ୍ଷ ରଖିଛନ୍ତି ।

ସେ କହିଛନ୍ତି ଯେ ଆଜାଦୀର ଅମୃତ ମହୋତ୍ସବ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ। ସମସ୍ତ ଲୋକ ଏହିପରି ରାଜନୀତି ଛାଡ଼ି ଏହାକୁ ଏକାଠି ପାଳନ କରିବା ଉଚିତ |

ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିପି ନ ବଦଳାଇବା ଯୋଗୁଁ କଂଗ୍ରେସ ମୁଖପାତ୍ର ଜୟରାମ ରମେଶଙ୍କ ସହ ବହୁ ନେତା ଆରଏସଏସ ଉପରେ ପ୍ରଶ୍ନ ଉଠାଇଥିଲେ ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଆରଏସଏସକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି – ଇତିହାସ ସାକ୍ଷୀ, ଯେଉଁମାନେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଉଛନ୍ତି, ସେମାନେ ସେହି ଦେଶ ବିରୋଧୀ ସଂଗଠନ(ଆରଏସଏସ)ରୁ ବାହାରିଛନ୍ତି, ଯାହା ୫୨ ବର୍ଷ ଧରି ତ୍ରିରଙ୍ଗା ଉତ୍ତୋଳନ କରିନଥିଲା । ସ୍ୱାଧୀନତା ସଂଗ୍ରାମରୁ ସେମାନେ କଂଗ୍ରେସ ଦଳକୁ ସେତେବେଳେ ଅଟକାଇ ପାରିନଥିଲେ, ଏବଂ ଆଜି ମଧ୍ୟ ରୋକିପାରିବେ ନାହିଁ । କଂଗ୍ରେସ ମୁଖପାତ୍ର ପୱନ ଖେରା ମଧ୍ୟ ଆରଏସଏସ ଟ୍ୱିଟର ଆକାଉଣ୍ଟର ସ୍କ୍ରିନସଟ ସେୟାର କରି କଟାକ୍ଷ କରିଛନ୍ତି।

ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ତ୍ରିରଙ୍ଗାକୁ ନେଇ ଆରଏସଏସର ଆଭିମୁଖ୍ୟ ଉପରେ ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆରଏସଏସ ହେଉଛି ତାଙ୍କର ମୂଳଦୁଆ ଏବଂ ଦେଶ ପାଇଁ ପ୍ରେରଣା। ସେ ଆମକୁ ନିଜର ଡିପି ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ଏବଂ ରାଲି ବାହାର କରିବାକୁ କହୁଛନ୍ତି | କିନ୍ତୁ ଆରଏସଏସ ସ୍ୱାଧୀନ ଭାରତକୁ ବିରୋଧ କରିଥିଲା। ଆରଏସଏସ ମୁଖପତ୍ର ‘ଅର୍ଗନାଇଜର’ ଗୈରିକ ଝଣ୍ଡାକୁ ଜାତୀୟ ପତାକା କରିବାକୁ ଦାବି କରିଥିଲା।” ଓଓ୍ବେସୀ ସ୍ୱାଧୀନତା ଆନ୍ଦୋଳନରେ ଆରଏସଏସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

Comments are closed.