ଆସନ୍ତା ୭ ବେଳକୁ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ଦୁଇ ଦିନ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର -ଆସନ୍ତା ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ୭ ଓ ୮ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ତମାନ ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ଦୁର୍ବଳ ଅବସ୍ଥାରେ ରହିଛି । ଲଘୁଚାପ ପରେ ପୁଣିଥରେ ଏହା ସକ୍ରିୟ ହେବ ବୋଲି ଆଶା କରାଯାଉଛି। ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ଲାଗିରହିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହୋଇପାରେ। ରାଜ୍ୟର ୨୦ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed.