ସଂସଦରେ ତୈଳଦର ତାତି, ଆଲୋଚନା ପାଇଁ ଅନୁମତି ନ ମିଳିବାରୁ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ : କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁରୁବାର ଲୋକସଭାରେ ପେଟ୍ରୋଲ, ଡିଜେଲ ସହ ଇନ୍ଧନ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ । ତେବେ ଏନେଇ ଅନୁମତି ନ ମିଳିବାରୁ ପ୍ରତିବାଦରେ ସେମାନେ ଓ୍ବାକ୍ଆଉଟ୍ କରିଥିଲେ ।

ପେଟ୍ରୋଲ ଏବଂ ଡିଜେଲ ଦର ଆଜି ପୁଣି ବଢ଼ିଛି । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ତୈଳ ଦର ୯ ଥର ବଢ଼ିଛି ଏବଂ ଲିଟର ପିଛା ଏଯାବତ୍ ମୋଟ ୬.୪୦ ଟଙ୍କା ବୃଦ୍ଧି କରାଯାଇଛି |

ସକାଳ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନେ ପେଟ୍ରୋଲ ଏବଂ ଡିଜେଲ ସମେତ ଇନ୍ଧନର ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଟେବୁଲ ନିକଟରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।ବିରୋଧୀ ଦଳର ସଦସ୍ୟମାନେ ପ୍ଲାକାର୍ଡ ମଧ୍ୟ ଧରିଥିବା ଦେଖବାକୁ ମିଳିଥିଲା ।

ତେବେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଥିଲେ ଯେ ଏହି ପ୍ରସଙ୍ଗରେ ଚଳିତ ଅଧିବେଶନରେ ସେ ସଦସ୍ୟମାନଙ୍କୁ ଚାରିଟି ସୁଯୋଗ ଦେଇଛନ୍ତି। ସଦସ୍ୟମାନେ ନିଜ ଆସନକୁ ଯାଇ ଗୃହର ପ୍ରକ୍ରିୟାରେ ଭାଗ ନେବା ଉଚିତ ବୋଲି ସେ କହିଥିଲେ ।
ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ଦଳର ସଦସ୍ୟମାନେ କିନ୍ତୁ ହୋହଲ୍ଲା ଜାରି ରଖିଥିଲେ । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନ କାଳ ପରିଚାଳନା କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ସିପିଆଇ (ଏମ୍) ଏବଂ ସିପିଆଇର ସଦସ୍ୟମାନେ ଗୃହରେ ଏହି ପ୍ରସଙ୍ଗ ଉଠାଇବାକୁ ଅନୁମତି ନ ମିଳିବା ନେଇ ବିରୋଧ କରିଥିଲେ।

ପ୍ରାୟ ୩୦ ମିନିଟ୍ ପରେ କଂଗ୍ରେସ ସଦସ୍ୟ, ତୃଣମୂଳ କଂଗ୍ରେସ ସହ ଅନ୍ୟ କେତେକ ବିରୋଧୀ ଦଳ ଗୃହରୁ ଓ୍ବାକ୍ଆଉଟ୍ କରିଥିଲେ ।

Comments are closed.