‘ଯଦି ଝିଅମାନେ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛନ୍ତି, ଜୀବନସାଥୀ କାହିଁକି ନୁହେଁ?’ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ଓଓ୍ବେସିଙ୍କ ବିରୋଧ

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ସାଂସଦ ଆସାଦୁଦ୍ଦିନ ଓଓ୍ବେସିଙ୍କ ସମେତ ଅନେକ ମୁସଲିମ ନେତା ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ ‘୧୮ ବର୍ଷ ବୟସର ପୁରୁଷ ଏବଂ ମହିଳା ବ୍ୟବସାୟ ଆରମ୍ଭ କରିପାରିବେ, ଚୁକ୍ତି ସ୍ୱାକ୍ଷର କରିପାରିବେ, ପ୍ରଧାନମନ୍ତ୍ରୀ ଚୟନ କରିପାରିବେ କିନ୍ତୁ ବିବାହ କରିପାରିବେ ନାହିଁ’।

ଅନ୍ୟପକ୍ଷରେ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଶୁକ୍ରବାର ସଂସଦରେ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଜାରି କରି ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି। ଆଇୟୁଏମ୍ଏଲ୍ କହିଛି ଯେ ଏହା ମୁସଲିମ ନିୟମର ଉଲ୍ଲଂଘନ |

କେରଳର ଅନେକ ମୁସଲମାନ ସଂଗଠନ ମଧ୍ୟ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ କରିଛନ୍ତି। ମୁସଲିମ ଲିଗ୍ ନେତା ଇଟି ମହମ୍ମଦ ବଶୀର ଶୁକ୍ରବାର ଲୋକସଭାରେ ବାଳିକାମାନଙ୍କ ବିବାହ ବୟସ ବଢାଇବା ନିଷ୍ପତ୍ତି ବିରୋଧରେ ମୁଲତବୀ ନୋଟିସ୍ ଦେଇଥିଲେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ମୁସଲିମ ପର୍ସନାଲ୍ ଲ’ ର ବିରୁଦ୍ଧାଚରଣ କରୁଛି । ଝିଅମାନଙ୍କର ବିବାହ ବୟସ ବଢାଇ ସରକାର ଏକକ ନାଗରିକ ସଂହିତା ଆଡ଼କୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ଆମେ ଏହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(ଆରଏସ୍ଏସ୍)ର ପ୍ରିୟ ଏକକ ନାଗରିକ ସଂହିତା ଲାଗୁ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ମୁସଲମାନ ପର୍ସନାଲ୍ ଲ’ ବୋର୍ଡରେ ବିବାହ, ଛାଡପତ୍ର ଏବଂ ସମ୍ପତ୍ତି ଅଧିକାର ନେଇ ଉଲ୍ଲେଖ ରହିଛି | ଏହି ବିଷୟଗୁଡ଼ିକ ଆମର ବିଶ୍ୱାସ ସହିତ ଜଡିତ ବୋଲି ସେ କହିଛନ୍ତି ।

Comments are closed.