ଛାତ୍ରଛାତ୍ରୀଙ୍କୁ ଭେଟିଲେ, ପଢ଼ା ନେଇ ବୁଝି ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଗୋପାଳପୁର : ଦଶନ୍ଧି କି ଦୁଇ ଦଶନ୍ଧି ନୁହେଁ, ଆସନ୍ତା ବର୍ଷ ଦୀର୍ଘ ୧୩ ଦଶନ୍ଧି ଅର୍ଥାତ ୧୩୦ ବର୍ଷ ପୂରଣ କରିବ ଗୋପାଳପୁରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏତେ ପୁରୁଣା ଓ ଭବ୍ୟ ଶିକ୍ଷାନୁଷ୍ଠାନକୁ ଆଜି ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ।

ସେଠି ବିଦ୍ୟାଳୟର ସୁନ୍ଦର ପରିବେଶ ଦେଖିବା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କ ସାଙ୍ଗରେ ଆଲୋଚନା କରିଥିଲେ ସେ। ଛାତ୍ରଛାତ୍ରୀମାନେ ପଢ଼ିଲେ କେବଳ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିବେ, ଦେଶର ସୁନାଗରିକ ଭାବେ ଗଢ଼ି ଉଠିବେ ତା ନୁହେଁ ବରଂ ଆଗାମୀ ପିଢ଼ିକୁ ମଧ୍ୟ ଶିକ୍ଷିତ ଓ ସଂସ୍କାରିତ କରି ପାରିବେ ବୋଲି ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବାଳିକା ଶିକ୍ଷାକୁ ବେଶ୍ ଉତ୍ସାହିତ କରୁଛନ୍ତି, ବିଭିନ୍ନ ସୁବିଧା ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି।

ଛାତ୍ରଛାତ୍ରୀମାନେ ତାହାର ସୁଯୋଗ ନେବାକୁ ବୁଝାଇଥିଲେ। ସ୍କୁଲର ସୁବିଧା, ପାଠପଢ଼ା ଆଦି ବିଷୟରେ ଡ. ଦାସ ପଚାରି ବୁଝିବା ସାଙ୍ଗକୁ କୋଭିଡ କଟକଣା ଅନୁପାଳନ ସକାଶେ ଉପଦେଶ ଦେଇଥିଲେ। ଏହି ସମୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୁରାତନ ଶିକ୍ଷାନୁଷ୍ଠାନ ଗସ୍ତ କରି ତଥା ପିଲାମାନଙ୍କ ସହ ଆଲୋଚନା କରି ବେଶ୍ ଆନନ୍ଦିତ ଥିବା କହିଛନ୍ତି ଡ. ଦାଶ।

Comments are closed.