ବର୍ଷକ ମଧ୍ୟରେ ଜିଲ୍ଲା ହେବ ପଦ୍ମପୁର: ମୁଖ୍ୟମନ୍ତ୍ରୀ

ପଦ୍ମପୁର – ଦିନିକିଆ ବରଗଡ଼ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଝାରବନ୍ଧରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମପୁର ବର୍ଷକ ଭିତରେ ଜିଲ୍ଲା ହେବ । ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଯାହା ପ୍ରତିଶ୍ରୁତି ଦିଅନ୍ତି , ତାକୁ ପୂରଣ କରନ୍ତି । ସେ କଥାରେ ନୁହଁନ୍ତି,କାମରେ ବିଶ୍ୱାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତବର୍ଷ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ଅଧୀନସ୍ଥ ମହିଳାଙ୍କ କାମକୁ ନେଇ ସେ ବେଶ୍ ଖୁସି ଅଛନ୍ତି । ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦେବା କଥା ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ଅଭିଭୂତ କରିଛି ।

ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ତାଙ୍କ ସରକାର ଗ୍ରହଣ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଦ୍ମପୁରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ ପୁଣିଥରେ ପଦ୍ମପୁର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ଆଜି ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.