ଚେନ୍ନାଇ ଓ କୋଲକାତାରେ ବିଶ୍ବକପ୍ ମ୍ୟାଚ୍ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଦଳ ଚେନ୍ନାଇ ଓ କୋଲକାତାରେ ଅଧିକାଂଶ ମ୍ୟାଚ୍ ଖେଳିପାରେ। ଆଇସିସି ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ଯେବେ ଗତଥର ଭାରତ ଗସ୍ତରେ ଆସିଥିଲା ଦଳ ଏହି ଦୁଇଟି ଭେନ୍ୟୁରେ ନିଜକୁ ସୁରକ୍ଷିତ ମଣୁଥିଲା। ତେଣୁ ଏଥର ବିଶ୍ବକପରେ ମଧ୍ୟ ଏହି ଦୁଇଟି ଭେନ୍ୟୁରେ ଦଳ ନିଜର ଅଧିକାଂଶ ମ୍ୟାଚ୍ ଖେଳିବାକୁ ଚାହୁଁଛି ।

ଅକ୍ଟୋବର ୨ ତାରିଖରୁ ବିଶ୍ୱକପ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ୪୬ଟି ମ୍ୟାଚ୍ ଦେଶର ୧୨ଟି ସହରରେ ଖେଳାଯିବାର ସମ୍ଭାବନା ରହିଛି । ବିଶ୍ବକପ୍ ଭେନ୍ୟୁ ଭାବେ ଅହମ୍ମଦାବାଦ, ଲକ୍ଷ୍ନୌ, ମୁମ୍ବାଇ, ରାଜକୋଟ, ବେଙ୍ଗାଲୁରୁ, ଦିଲ୍ଲୀ, ଇନ୍ଦୋର, ଗୁଆହାଟି ଓ ହାଇଦ୍ରାବାଦକୁ ସର୍ଟଲିଷ୍ଟ କରାଯାଇଛି | ଭାରତର କେଉଁ ଭେନ୍ୟୁରେ ପାକିସ୍ତାନ ଦଳ ନିଜ ମ୍ୟାଚ୍ ଗୁଡିକ ଖେଳିବ ସେନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛି। ତଥାପି ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ |

ଏହି ପ୍ରସଙ୍ଗରେ ଜଣେ ଆଇସିସି ଅଧିକାରୀ କହିଛନ୍ତି ଯେ ବିସିସିଆଇ ଏବଂ ଭାରତ ସରକାର ଯାହା ନିଷ୍ପତ୍ତି ନେବେ ତାହା ଉପରେ ଅନେକ କିଛି ନିର୍ଭର କରିବ । କିନ୍ତୁ ପାକିସ୍ତାନ ବିଶ୍ୱକପର ଅଧିକାଂଶ ମ୍ୟାଚ୍ କୋଲକାତା ଓ ଚେନ୍ନାଇରେ ଖେଳିବାକୁ ପସନ୍ଦ କରିବ । ସେ କହିଛନ୍ତି ଯେ ୨୦୧୬ ଟି-୨୦ ବିଶ୍ୱକପ ସମୟରେ କୋଲକାତାରେ ଭାରତ ବିପକ୍ଷ ମ୍ୟାଚ ସମୟରେ ପାକିସ୍ତାନ ଖେଳାଳିମାନେ ସୁରକ୍ଷାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।

ଚେନ୍ନାଇ ପାକିସ୍ତାନ ପାଇଁ ଏକ ସ୍ମରଣୀୟ ଭେନ୍ୟୁ | ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ୧,୩୨,୦୦୦ ଦର୍ଶକ କ୍ଷମତା ରହିଛି । ଏଠାରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ କରିବା ଆଇସିସି ପାଇଁ ଲାଭଦାୟକ ହେବ। ତେବେ ଏହି ଷ୍ଟାଡିୟମରେ ବିଶ୍ୱକପ୍‌ର ଫାଇନାଲ ଖେଳାଯିବାକୁ ଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଅନ୍ୟତ୍ର ଅନୁଷ୍ଠିତ ହେବ | ଆଇସିସିର ପ୍ରୋଗ୍ରାମିଂ କମିଟି ଆସନ୍ତା କିଛି ମାସ ମଧ୍ୟରେ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କରିପାରେ ।

ନିକଟରେ ଆଇସିସି ଜେନେରାଲ ମ୍ୟାନେଜର ୱାସିମ ଖାନ କହିଥିଲେ ଯେ, ପାକିସ୍ତାନ ଏହାର ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକ ବାଂଲାଦେଶରେ ଖେଳିପାରେ । କିନ୍ତୁ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ଅଧ୍ୟକ୍ଷ ନଜାମ ସେଠୀ ଏବଂ ଆଇସିସି ଏହାକୁ ଖଣ୍ଡନ କରିଥିଲେ । ୨୦୧୧ ବିଶ୍ବକପରେ ପାକିସ୍ତାନ ମୋହାଲିରେ ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ଖେଳିଥିଲା। କାରଣ ପାକିସ୍ତାନୀ ପ୍ରଶଂସକମାନଙ୍କ ପାଇଁ ମୋହାଲି ଷ୍ଟାଡିୟମକୁ ଆସିବା ସହଜ ଥିଲା | ଏଥର କିନ୍ତୁ ମୋହାଲି ବିସିସିଆଇର ବିଶ୍ୱକପ ଭେନ୍ୟୁ ତାଲିକାରେ ନାହିଁ।

Comments are closed.