ପନ୍ତଙ୍କ ଶତକ: ଇଂଲଣ୍ଡକୁ ୫ ଓ୍ବିକେଟରେ ହରାଇ ଭାରତ ସିରିଜ୍ ବିଜୟୀ

ମାଞ୍ଚେଷ୍ଟର: ରିଷଭ ପନ୍ତଙ୍କ ଧମାକାଦାର ଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଇଂଲଣ୍ଡକୁ ୫ ୱିକେଟରେ ହରାଇଛି । ଟି୨୦ ପରେ ଭାରତ ଏହି ଚମତ୍କାର ବିଜୟ ସହ ଦିନିକିଆ ସିରିଜ୍ ବି ଜିତିନେଇଛି । ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା ।

୨୬୦ ରନର ବିଜୟଲକ୍ଷ୍ୟରେ ଭାରତର ଟପ୍ ଅର୍ଡର ପୁଣି ଫେଲ୍ ମାରିଥିଲା । ଲର୍ଡ୍ସରେ ଭାରତୀୟ ବ୍ୟାଟିଂକୁ ଧରାଶାୟୀ କରିଥିବା ଇଂଲଣ୍ଡ ପେସର ରିସ୍ ଟପଲେ ପୁଣି ଟିମ୍ ଇଣ୍ଡିଆ ଟପ୍ ଅର୍ଡରକୁ ଘାଇଲା କରିଥିଲେ । ସେ ପ୍ରଥମ ୧୦ ଓଭର ମଧ୍ୟରେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା (୧୭)ଙ୍କ ସହ ଶିଖର ଧାୱନ (୧) ଓ ବିରାଟ କୋହଲି (୧୭)ଙ୍କୁ ଆଉଟ୍ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ମାତ୍ର ୧୬ ରନ୍ କରି ଓଭରର୍ଟନଙ୍କ ଶିକାର ହୋଇଥିଲେ । ଭାରତ ୭୨ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ପନ୍ତ ଓ ପାଣ୍ଡ୍ୟା ପଞ୍ଚମ ୱିକେଟରେ ୧୩୩ ରନ୍ ଯୋଗକରି ଭାରତୀୟ ଚେଜକୁ ଟ୍ରାକକୁ ଆଣିଥିଲେ । ବିଜୟକୁ ଆଉ ୫୫ ରନ୍ ଦରକାର ଥିବାବେଳେ ପାଣ୍ଡ୍ୟା ଆଉଟ୍ ହୋଇଯାଇଥିଲେ । ହେଲେ ପନ୍ତ ଚିତ୍ତାକର୍ଷକ ଶତକ ସହ ଔପଚାରିକତା ପୂରଣ କରିଥିଲେ । ପନ୍ତ ୧୧୩ ବଲରେ ୧୬ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୧୨୫ ରନ୍ କରିଥିଲେ । ଅନ୍ତର୍ଜାତୀୟ ଦିିିନିକିଆରେ ଏହା ତାଙ୍କ ପ୍ରଥମ ଶତକ । ବୋଲିଂରେ କମାଲ କରିବା ପରେ ପାଣ୍ଡ୍ୟା ମଧ୍ୟ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ କରିଥିଲେ । ଏହି ଅଲରାଉଣ୍ଡର ୫୫ ବଲରେ ୧୦ଟି ଚୌକା ସହ ଆକ୍ରମଣାତ୍ମମକ ୭୧ ରନ୍ କରିଥିଲେ ।

ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ସିରିଜରେ ତୃତୀୟ ଥର ପାଇଁ ଟସ୍ ଜିତି ଇଂଲଣ୍ଡକୁ ପୁଣି ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଷ୍ଟାର ପେସର ଯଶପ୍ରୀତ ବୁମରା ପିଠିରେ ଯନ୍ତ୍ରଣା ଯୋଗୁଁ ଏହି ମ୍ୟାଚରେ ଖେଳିନଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ ।

ଇଂଲଣ୍ଡ ୧୨ ରନର ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଜୋନି ବେୟାରଷ୍ଟୋ(୦) ଖାତା ଖୋଲିବା ପୂର୍ବରୁ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ସେହି ସମାନ ସ୍କୋରରେ ଜୋ ରୁଟ୍(୦)ଙ୍କୁ ପାଭିଲିୟନ ପଠାଇଥିଲେ ସିରାଜ। ପରେ ଜାସନ ରୟ ଏବଂ ବେନ ଷ୍ଟୋକ୍ସ ତୃତୀୟ ଓ୍ଵିକେଟରେ ୫୪ ରନ ଯୋଡିଥିଲେ। ରୟ ଦ୍ରୁତ ବ୍ୟାଟିଂ କରି ୩୧ ବଲରୁ ୭ ଚୌକା ସହ ୪୧ ରନ କରି ହାର୍ଦ୍ଦିକଙ୍କ ବଲରେ ଆଉଟ୍ ହୋଇଥିଲେ। ବେନ ଷ୍ଟୋକ୍ସ ୨୭ ରନରେ ଆଉଟ୍ ହୋଇଥିଲେ। ୭୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଇଂଲଣ୍ଡର ସ୍କୋରକୁ ଅଧିନାୟକ ବଟଲର ଏବଂ ମୋଇନ ଅଲ୍ଲୀ ଆଗେଇ ନେଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୭୫ ରନ ଯୋଡି ଦଳ ସ୍ଥିତି ସୁଧାରିଥିଲେ। ରବୀନ୍ଦ୍ର ଜାଡେଜା ମୋଇନ ଅଲ୍ଲୀ(୩୪ ରନ)ଙ୍କୁ ଆଉଟ୍ କରି ଭାଗିଦାରୀ ଭାଙ୍ଗିଥିଲେ।

ପୁଣି ବଟଲର ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଓ୍ଵିକେଟରରେ ୪୯ ରନ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ଲିୟାମ ୨୭ ରନରେ ପାଭିଲିୟନ ଫେରିଥିଲେ। ଅଧିନାୟକ ବଟଲର ଅର୍ଦ୍ଧଶତକ ହାସଲ କରିବା ସହ ୩ ଚୌକା ଏବଂ ୨ ଛକା ଜରିଆରେ ୬୦ ରନ କରିଥିଲେ। ପୁଣି ଡେଭିଡ୍ ଓ୍ଵିଲି ଏବଂ କ୍ରେଗ ଓଭରଟନ ଅଷ୍ଟମ ଓ୍ଵିକେଟରେ ୪୮ ରନ ଯୋଡିଥିଲେ। ଶେଷ ଆଡକୁ କ୍ରେଗ ଓଭରଟନ ୩୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ କରି ଅଲଆଉଟ୍ ହୋଇଛି। ଶେଷ ଦୁଇଟି ଓ୍ଵିକେଟ୍ ନେଇ ଚହଲ ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୬୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ ହେଁ ୬୬ ରନ ଦେଇଥିଲେ । ଜାଡେଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।

Comments are closed.